ଯୁଯୁମୁରା: ବୃଦ୍ଧ ଦମ୍ପତିଙ୍କ ଶୁଦ୍ଧିକ୍ରିୟାର ଆୟୋଜନ କରିଛି ଗାଁର କ୍ରିକେଟ୍‌ କ୍ଲବ୍‌। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଗତ ୨୯ ତାରିଖରେ ମୃତ୍ୟୁ ହୋଇଥିବା ବୃଦ୍ଧ ଦମ୍ପତିଙ୍କ ପୁଅ ନ ଥିବାରୁ ଗାଁର ବୀର ବଜରଂଗ କ୍ରିକେଟ୍‌ କ୍ଲବ୍‌ (ବିବିସିସି) ଏକାଦଶାହ କାର୍ଯ୍ୟକ୍ରମର ଆୟୋଜନ କରିଛି। ରବିବାର ଆୟୋଜିତ ଏହି ଶୋକ କାର୍ଯ୍ୟକ୍ରମରେ ବୃଦ୍ଧ ଦମ୍ପତିଙ୍କ ବନ୍ଧୁବାନ୍ଧବ, ସଂପର୍କୀୟ, ଗାଁ ଲୋକେ ଉପସ୍ଥିତ ଥିଲେ। ପ୍ରାୟ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଯୁଯୁମୁରା ବ୍ଲକ ଡଙ୍ଗାପାଳ ଗ୍ରାମ କାର୍ତ୍ତିକ ପ୍ରଧାନ(୭୦) କିଛି ବର୍ଷ ହେଲା ଫାଇଲେରିଆରେ ପୀଡ଼ିତ ହୋଇଥିଲେ। ସ୍ତ୍ରୀ ଅନସୂୟା ପ୍ରଧାନ (୬୭) ତାଙ୍କ ସେବାଯତ୍ନ କରିଥିଲେ। ତେବ‌େ ଅନସୂୟା ଗତ ୨୭ ତାରିଖ ଦିନ କୌଣସି କାରଣରୁ ପଡ଼ି ଯିବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ପକ୍ଷେ ଗାଁରେଥିବା ସ୍ବାମୀ କାର୍ତ୍ତିଙ୍କ ମୃତ୍ୟୁ ହୋଇଗଲା। ଏହି ଖବର ଜାଣିବା ପରେ ବୁର୍ଲା‌ରେ ଚିକିତ୍ସାଧୀନ ଥିବା ସ୍ତ୍ରୀ ଅନସୂୟାଙ୍କ କିଛି ମିନିଟ୍ ପରେ ମୃତ୍ୟୁ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବରୁ ଏହି ଦମ୍ପତିଙ୍କ ପୁଅ ପ୍ରତାପ ପ୍ରଧାନଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା। ଏକମାତ୍ର ଝିଅ ପ୍ରଭାତୀଙ୍କୁ ନାକଟିଦେଉଳ ଅଞ୍ଚଳରେ ବିବାହ କରାଇଥିଲେ। ଦୁଃଖର କଥା ଯେ, ପ୍ରଭାତୀ ମଧ୍ୟ କିଛି ବର୍ଷ ପୂର୍ବରୁ ସ୍ବାମୀଙ୍କୁ ହରାଇ ଏକମାତ୍ର ପୁଅ ସହିତ ଦିନ କାଟୁଛନ୍ତି। ସ୍ବାମୀ, ବୃଦ୍ଧ ବାପା, ମା’ ଓ ଭାଇଙ୍କୁ ହରାଇବା ପରେ ପ୍ରଭାତୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।