ସୋର : ଅଧିକ ସୁଧ ଲୋଭ ଦେଖାଇ ଏଜେଣ୍ଟମାନଙ୍କ ଜରିଆରେ ଅନ୍‌ଲାଇନ୍ ଟ୍ରେଡିଂ (ପୁଞ୍ଜି ନିବେଶ) କରିବାକୁ ଫୁସୁଲାଉ ଥିଲେ। ଅନେକ ବଡ଼ବଡ଼ିଆ ସେମାନଙ୍କ ଜାଲରେ ପଡ଼ି ସେୟାର ମାର୍କେଟ୍‌ରେ କୋଟି କୋଟି ଟଙ୍କା ବିନିଯୋଗ ମଧ୍ୟ କରିଥିଲେ। ଶେଷରେ ୫ କୋଟି ସ୍ବାହା କରି ଅଭିଯୁକ୍ତ ହଠାତ୍‌ ଅଦୃଶ୍ୟ ହୋଇଗଲେ। ତେବେ, ଏହି ମାମଲାର ଛାନ୍‌ଭିନ୍ କରି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଜାଲ୍‌ ଟ୍ରେଡିଂ ସଂସ୍ଥାର ଦୁଇଜଣ ମୁଖ୍ୟ ଠକଙ୍କୁ ଆଜି ବାଲେଶ୍ବର ସୋରରୁ ଗିରଫ କରିଛନ୍ତି।

Advertisment

ଦୁଇ ଠକ ହେଲେ ରିପନ କୁମାର ଜେନା ଓ ଅନୁପମ ପ୍ରଧାନ। ସେମାନଙ୍କ ଘର ସୋର ଉତ୍ତରେଶ୍ୱରରେ। ଏ ଦୁହେଁ ନିଜ ନିଜ ଘରେ ‘ଓମ୍‌ ଏଜେନ୍ସି ଆଣ୍ଡ ଗ୍ରାସ୍‌ ଗ୍ରୀନ୍‌ ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏକ ବ୍ରୋକର୍‌ ସଂସ୍ଥା ଖୋଲିଥିଲେ। ୨୦୧୯ ମସିହାରୁ ଏହି ସଂସ୍ଥା ଲୋକଙ୍କ ପାଖରୁ ମାସକୁ ୮ରୁ ୧୦ ପ୍ରତିଶତ ହା​ରରେ ସୁଧ ମିଳିବ ବୋଲି ପ୍ରଲୋଭିତ କରି ସେୟାର ମାର୍କେଟ୍‌ରେ ପୁଞ୍ଜି ନିବେଶ କରିଥିଲା। ଏଥିପାଇଁ ରିପନ ଓ ଅନୁପମ ବିଭିନ୍ନ ସ୍ଥାନରେ ଏଜେଣ୍ଟ ରଖିଥିଲେ। ପାଖାପାଖି ୩୦ ଜଣ ବଡ଼ବଡ଼ିଆ ଏଜେଣ୍ଟମାନଙ୍କ କଥାରେ ରାଜି ହୋଇ ‘ଓମ୍‌ ଏଜେନ୍ସି ଆଣ୍ଡ ଗ୍ରାସ୍‌ ଗ୍ରୀନ୍‌ ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ଜରିଆରେ କୋଟି କୋଟି ଟଙ୍କା ବିନିଯୋଗ କରିଥିଲେ। ପ୍ରଥମେ ଚୁକ୍ତି ଅନୁସାରେ ବିନିଯୋଗକାରୀମାନେ ସୁଧ ଟଙ୍କା ପାଇଥିଲେ। ହେଲେ ପରେ ସେୟାର ମାର୍କେଟ୍‌ ସ୍ଥିତି ଭଲ ନଥିବା ଦର୍ଶାଇ ଏହି ସଂସ୍ଥା ନିବେଶକମାନଙ୍କୁ କିଛି ମାସର ସୁଧ ଟଙ୍କା ଦେଇନଥିଲା। ପରେ ରିପନ ଓ ଅନୁପମ ସଂସ୍ଥାକୁ ବନ୍ଦ କରି ଉଭାନ ହୋଇ ଯାଇଥିଲେ। ପାଖାପାଖି ୫ କୋଟି ଟଙ୍କା ଦୁହେଁ ଠକି ନେବା ପରେ ଲୋକେ ଘେରିଥିଲେ ସଂସ୍ଥାର ଏଜେଣ୍ଟଙ୍କୁ।

ବାଲେଶ୍ୱର ଫକୀରମୋହନ ନଗରର ଜିତେନ୍ଦ୍ର କୁମାର ଦାସ ୨୦୨୨ ମସିହା ଅକ୍ଟୋବର ୧୦ ତାରିଖରେ ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ)ରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଆଜି ସକାଳେ ଇଓଡବ୍ଲୁର ଅଧିକାରୀମାନେ ସୋର ପୁଲିସ ସହାୟତାରେ ଉତ୍ତରେଶ୍ୱରସ୍ଥିତ ଉଭୟଙ୍କ ଘରେ ଚଢ଼ାଉ କରି ରିପନ ଓ ଅନୁପମକୁ ଗିରଫ କରିଥିଲେ।

ଏ ନେଇ ଇଓଡବ୍ଲୁରେ ୧୮/୨୨ରେ ଏକ ମାମଲା ରୁଜୁ ସହ ସ୍ବତନ୍ତ୍ର ଓପିଆଇଡି କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଠକଙ୍କୁ ଜେଲ୍‌ ପଠାଯାଇଥିବା ସରକାରୀ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ସୂଚନା ଦେଇଛନ୍ତି।