ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଖିଅ ଖୋଜିବା ପାଇଁ ବ୍ରହ୍ମପୁରରେ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ୪ଦିନ ହେଲା ଡେରା ପକାଇଛି। ହେଲେ, ତଦନ୍ତକୁ ନୂଆ ଦିଗ ଦେଖାଇବା ଭଳି ସେଭଳି ଉଲ୍ଲେଖନୀୟ ତଥ୍ୟ ହାସଲ କରିପାରି ନାହିଁ। ଏପଟେ ୩ଦିନ ଧରି ନିଜ ହେପାଜତରେ ରଖିଥିବା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଛାଡ଼ି ଦେଇଛି। ତାଙ୍କ ନିକଟରୁ ସଂଗ୍ରହ କରିଥିବା ତଥ୍ୟକୁ ଆଧାର କରି କ୍ରାଇମ୍ବ୍ରାଞ୍ଚ ତା’ର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିପାରେ ବୋଲି କୁହାଯାଉଛି।
କ୍ରାଇମବ୍ରାଞ୍ଚ ଟିମ୍ ହତ୍ୟା ଅଭିଯୁକ୍ତ ଏଏସ୍ଆଇ ଗୋପାଳଙ୍କ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁ ଓ ତାଙ୍କର ସମ୍ପର୍କରେ କେତେଜଣ ବ୍ୟକ୍ତିଙ୍କୁ ପଚଉଚରା କରିସାରିଛନ୍ତି। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଆଜି ସିଟି ବସ୍ଷ୍ଟାଣ୍ଡ୍ରେ ତନାଘନା କରିଥିଲେ। ଗୋପାଳ ଜଣେ ମାନସିକ ରୋଗୀ ଏବଂ ବ୍ରହ୍ମପୁରରୁ ବସ୍ ଯୋଗେ ତାଙ୍କୁ ପାଖକୁ ଔଷଧ ପଠାଯାଉଥିବା ପରିବାର ଲୋକଙ୍କ ବୟାନକୁ ଭିତ୍ତିକରି ସମ୍ପୃକ୍ତ ବସ୍ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ବ୍ରହ୍ମପୁରୁ ବନ୍ଧବାହାଲ ଓ ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା ଦୁଇଟି ଓଏସ୍ଆର୍ସିଟି ବସ୍ର ଦୁଇଜଣ କଣ୍ଡକ୍ଟର୍ ଓ ୪ଜଣ ଡ୍ରାଇଭର୍ଙ୍କୁ ବିଭିନ୍ନ ଦିଗରୁ ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ଓଏସ୍ଆର୍ଟିସି ବ୍ରହ୍ମପୁର ଶାଖା ଡିଟିଏମ୍ଙ୍କ ଜରିଆରେ ସମସ୍ତଙ୍କୁ ଡାକରା ହୋଇଥିଲା। ଏଣୁ ଆଜି ସକାଳେ ବସ୍ର କର୍ମଚାରୀମାନେ ସିଟି ବସ୍ଷ୍ଟାଣ୍ଡ୍ସ୍ଥିତ ପୁଲିସ ଫାଣ୍ଡିରେ ପହଞ୍ଚିଥିଲେ। ବସ୍ରେ ଔଷଧ କିମ୍ବା ଅନ୍ୟ କିଛି ପାର୍ସଲ୍ କେବେକେବେ ପଠା ଯାଇଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍ ପ୍ରଶ୍ନ କରିଥିଲେ। ଏଥିରେ ଜଣେ ଡ୍ରାଇଭର୍ ଶମ୍ଭୁଦତ୍ତ ପଢ଼ିଆରୀ ସେଭଳି କିଛି ପାର୍ସଲ୍ ଯାଇ ନଥିବା କହିଥିଲେ। ତାଙ୍କ ପରେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରି ସମସ୍ତଙ୍କର ବୟାନ୍ ରେକର୍ଡ଼ କରିଥିଲା କ୍ରାଇମ୍ବ୍ରାଞ୍ଚ।
ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ମିଶ୍ର କହିଛନ୍ତି, ବର୍ତ୍ତମାନ ତଦନ୍ତ ଜାରି ରହିଛି। ଗୋପାଳଙ୍କ ବଡ଼ଭାଇଙ୍କୁ ଛଡ଼ାଯାଇଛି। ଗୋପାଳଙ୍କ ଲିଙ୍କ୍ରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଜି ସିଟି ବସ୍ଷ୍ଟାଣ୍ଡ୍ରେ ଝାରସୁଗୁଡ଼ା ଯାଉଥିବା ବସ୍ର କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, କ୍ରାଇମ୍ବ୍ରାଞ୍ଚ ଟିମ୍ ପରିବାରବର୍ଗଙ୍କ ମୋବାଇଲ୍ ଫୋନ୍ ସିଡିଆର୍ ଯାଞ୍ଚ କରିବା ସହିତ ଆର୍ଥିକ କାରବାର ଦିଗ ଉପରେ ମଧ୍ୟ ଖୋଳତାଡ଼ କରିଛି। ଆସନ୍ତା କାଲି ସେମାନଙ୍କ ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ ତଥ୍ୟ ପୁଣି ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ ଏଏସ୍ଆଇ ଗୋପାଳ ଗୁଳିକରି ହତ୍ୟା କରିବା ଘଟଣାର ତଦନ୍ତ କରିବା ପାଇଁ ଗତ ୩୧ତାରିଖରୁ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁର ଆସିଛି।