ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଗୁଜରାତରେ ନାର୍କୋ ଟେଷ୍ଟ ଶେଷ ହୋଇଛି। ରବିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳକୁ ନେଇ ରାତି ପ୍ରାୟ ୯ଟାରେ ରାୟପୁରରେ ପହଞ୍ଚିଛି। ‌ସେଠାରୁ କାର୍‌ ଯୋଗେ ତାକୁ ଝାରସୁଗୁଡ଼ାକୁ ଅଣାଯାଉଛି। ସୋମବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ତାକୁ ହାଜର କରାଯିବ। ଏହି ସମୟରେ କ୍ରାଇମବ୍ରାଞ୍ଚ ଟିମ୍‌ ନାର୍କୋ ଟେଷ୍ଟ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରିବ। ଏହି ହାଇ ପ୍ରୋଫାଇଲ୍‌ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ। ତେବେ ୭ ଘଣ୍ଟାର ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ କ’ଣ କହିଛି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ରବିବାର ବିମାନ ଯୋଗେ ଅଭିଯୁକ୍ତ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ଅହମ୍ମଦାବାଦରୁ ବାହାରି ରାୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ରାତି ପ୍ରାୟ ୯ଟା ବେଳକୁ ରାୟପୁରରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ତାକୁ ପୁଲିସ୍‌ ଏସକର୍ଟରେ ବରଗଡ଼-ସମ୍ବଲପୁର ଦେଇ ଝାରସୁଗୁଡ଼ା ନିଆଯାଉଥିବା ଜଣାପଡ଼ିଛି। ଝାରସୁଗୁଡ଼ା ପହଞ୍ଚିବା ପରେ ପୂର୍ବବତ୍‌ ତାକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ୍‌ରେ ରଖାଯିବ ବୋଲି କହାଯାଉଛି। ଅଭିଯୁକ୍ତ ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହେବାକୁ ଯାଉଥିବାରୁ ତାକୁ କୋର୍ଟରେ ହାଜର କରାଇ ପୁଣିଥ‌ରେ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, କୋର୍ଟଙ୍କ ଅନୁମତିକ୍ରମେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ପାଇଁ ଗୁଜରାତର ଗାନ୍ଧୀନଗରସ୍ଥିତ ଫରେନ୍‌ସିକ ଲାବ୍‌ରୋଟାରି ନିର୍ଦ୍ଦେଶାଳୟକୁ ନେଇଥିଲା କ୍ରାଇମବାଞ୍ଚ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଗତ ୧୦ ତାରିଖରେ ଗୋପାଳର ଏହି ନାର୍କୋ ଟେଷ୍ଟ ହୋଇପାରିନଥିବା ବେଳେ ଗତକାଲି ଦୀର୍ଘ ୭ ଘଣ୍ଟା ଧରି ଗୋପାଳର ଏହି ପରୀକ୍ଷା ହୋଇଥିଲା।

publive-image

ଏହି ସମୟରେ କ୍ରାଇମବ୍ରାଞ୍ଚ ଦ୍ବାରା ଦିଆଯାଇଥିବା ପ୍ରଶ୍ନ ତାଲିକା ଆଧାରରେ ନାର୍କୋ ଟେଷ୍ଟ କରୁଥିବା ଟିମ୍‌ ତାକୁ ପଚାରିଥିଲେ। ଯେଉଁଥିରେ ଅଭିଯୁକ୍ତ ଗୋପାଳ ଏକ ସମ୍ବେଦନଶୀଳ ଦିଗ ପ୍ରତି ଉତ୍ତର ରଖିଥିବା ବି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ଗୋପାଳର ଚେତା ଫେରିବା ପରେ ସେ ରାତ୍ରିଭୋଜନ କରି ବିଶ୍ରାମ ନେଇଥିଲା। ଆଜି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ଟିମ୍‌ ତାକୁ ନେଇ ଝାରସୁଗୁଡ଼ା ଅଭିମୁଖେ ବାହାରିଥିଲା। ଯଦିଓ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସକୁ ପୁଲିସ୍‌ ଗିରଫ କରିଛି। କିନ୍ତୁ ହତ୍ୟା ପଛର ପ୍ରକୃତ କାରଣ ଏବେ ବି ରହସ୍ୟ ହୋଇ ରହିଛି। ତେଣୁ ନାର୍କୋ ଟେଷ୍ଟରେ ଗୋପାଳ କହିଥିବା କଥା ଏହି ରହସ୍ୟ ଉପରୁ ପରଦା ହଟାଇପାରେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ୨୯ ତାରିଖରେ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ଗୋପାଳକୁ ତୁରନ୍ତ ଗିରଫ କରିଥିବା ବେଳେ ପରେ କ୍ରାଇମବ୍ରାଞ୍ଚ ହାତକୁ ଏହି ମାମଲା ଯାଇଥିଲା। କ୍ରାଇମବ୍ରାଞ୍ଚ ୩ଟି ପର୍ଯ୍ୟାୟରେ ଗୋପାଳକୁ ରିମାଣ୍ଡରେ ନେଇ ପଚରାଉଚରା ମଧ୍ୟ କରିସାରିଛି। ଅଭିଯୁକ୍ତ ଗୋପାଳ ନିକଟରୁ ପ୍ରମାଣ ସ୍ବରୂପ ଗୁଳି ଫୁଟିଥିବା ବନ୍ଧୁକ, କିଛି ଅତିରିକ୍ତ ଗୁଳି ଆଦି ବି ଜବତ କରିଛି।