ପ୍ରଦୀପ-ସର୍ବେଶ୍ବର-ଆକାଶ ସିଣ୍ଡିକେଟ୍, ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଟାଟା ମୋଟର୍ସ ଠକେଇ ଘଟଣାରେ ଜେରା ବେଳେ ଗୁମର ଖୋଲୁଛି ନକଲି ଏମ୍‌ଡି ଆକାଶ ପାଠକଙ୍କ ଅସଲି ପିଏ ଡେଭିଡ୍ ପିଟର। କ୍ରାଇମବ୍ରାଞ୍ଚ ଜେରାରେ ୧୩ ମାସର ଚାକିରି କାଳରେ ଗୋଟି ଗୋଟି କରି ତଥ୍ୟ ଦେଇଛି ପିଟର। ଯାହାକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ାଇଛି। ଆକାଶକୁ ରିମାଣ୍ଡରେ ଆଣିବା ପାଇଁ ଆସନ୍ତାକାଲି କୋର୍ଟରେ ତଦନ୍ତକାରୀ ଅଧିକାରୀ ଆବେଦନ କରିବେ ବୋଲି ଜଣାପଡ଼ିଛି। କିନ୍ତୁ ପୂରା ଠକେଇର ସିଣ୍ଡିକେଟ୍ କେମିତି ତିଆରି ହୋଇଥିଲା ତାହା ସ୍ପଷ୍ଟ ହେବାରେ ଲାଗିଛି।

କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ତଥ୍ୟରୁ ଜଣାପଡିଛି ବ୍ରହ୍ମପୁରର ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଭି. ସର୍ବେଶ୍ବର ରାଓ ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଅତି ଘନିଷ୍ଠ। ସର୍ବେଶ୍ବର ୨୦୧୧ରେ ବହ୍ମପୁର ସିଟି କଲେଜର ଅଧ୍ୟକ୍ଷ ଥିବା ବେଳେ ପ୍ରଦୀପ ସେହି କଲେଜରେ ପରିଚାଳନା କମିଟି ଅଧ୍ୟକ୍ଷ ଥିଲେ। ସେବେଠାରୁ ସମ୍ପର୍କରେ ନିବିଡ଼ତା ଆସିଥିଲା। ପ୍ରଦୀପଙ୍କ ପାଖେ ପାଖେ ରହୁଥିଲେ ସର୍ବେଶ୍ବର। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇର ବ୍ଲୁ ପ୍ରିଣ୍ଟରେ ସାମିଲ ହୋଇଥିଲେ ସେ। ଆକାଶଙ୍କ ସହ ସର୍ବେଶ୍ବରଙ୍କୁ ପ୍ରଦୀପ ଚିହ୍ନା ପରିଚିତ କରାଇଥିଲେ। ଭୁବନେଶ୍ବରରେ ସେମାନେ ଏକାଠି ହୋଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସର୍ବେଶ୍ବର ଯେହେତୁ ଦୀର୍ଘ ୩୦ ବର୍ଷ ଧରି ଅଧ୍ୟାପନା କରୁଥିଲେ ସେଥିପାଇଁ ଗୋପାଳପୁର ଓ ବ୍ରହ୍ମପୁର ଅଞ୍ଚଳରେ ତାଙ୍କର ଲୋକ ସମ୍ପର୍କ ଯଥେଷ୍ଟ ଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଲୋକସମ୍ପର୍କ ଆହୁରି ବଢ଼ି ଯାଇଥିଲା। ଆକାଶ ପୁନେରେ ବସି ଠକେଇର ଜାଲ ବିଛାଇଥିଲେ। ଲକ୍ଷ୍ନୌ, କର୍ଣ୍ଣାଟକ, ଗୁଜରାଟରେ ଟାଟାର ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ କହି ଵେବସାଇଟରେ ବିଜ୍ଞାପନ ଦେଇଥିଲେ ଆକାଶ। ଟାଟା ବିସ୍ଥାପିତଙ୍କୁ ଟାର୍ଗେଟ କରିଥିଲେ ପ୍ରଦୀପ। ସର୍ବେଶ୍ବର ଆରମ୍ଭ କରି ଦେଇଥିଲେ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ପାସ୍‌ ଆଉଟ ଛାତ୍ରଛାତ୍ରୀଙ୍କ ବାୟୋଡାଟା ସଂଗ୍ରହ। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଜଣାଶୁଣା ଥିବା ସର୍ବେଶ୍ବରଙ୍କ ପାଖରେ ଗଦା ହୋଇଥିଲା ବାୟୋଡାଟା। ଏହାକୁ ସେ ଆକାଶଙ୍କ ମେଲ୍ ଆଇଡିକୁ ପଠାଇ

ନିୟମିତ ଯୋଗାଯୋଗରେ ରହୁଥିଲେ। ଲକଡାଉନ୍ ବେଳେ ଚାକିରି ଲୋଭ ଦେଖାଇ ପ୍ରଦୀପ-ସର୍ବେଶ୍ବର-ଆକାଶ ସିଣ୍ଡିକେଟ୍ ଜାଲ ବିଛାଇଥିଲେ। ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ଠକେଇ। ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ମାର୍କ ଅନୁସାରେ ସର୍ଟ ଲିଷ୍ଟ କରା ଯାଉଥିଲା। ଲକଡାଉନ ଥିବାରୁ ଜୁମ୍ ଆପରେ ସାକ୍ଷାତକାର ନେଉଥିଲେ ଆକାଶ ଓ ପିଟର। ଯେଉଁମାନଙ୍କର କନଫରମେସନ ହେଉଥିଲା ସେମାନଙ୍କଠାରୁ ଟଙ୍କା ଆଦାୟ କରାଯାଉଥିଲା। ଏଥିପାଇଁ ପ୍ରଦୀପଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଛି। ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରା ଯାଇଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଟିମ୍ ଗତମାସରେ ତିନିଦିନ ଧରି ଗୋପାଳପୁର ଓ ପୁନେରେ ଛାନଭିନ୍ କରିଥିଲା। ଗତ ୩୦ ତାରିଖରେ ସର୍ବେଶ୍ବରଙ୍କୁ ପଚରାଉଚରା କରିବା ସହ ତାଙ୍କର ବୟାନ ରେକର୍ଡ କରିଥିଲା। ଠକେଇର ଶିକାର ହୋଇଥିବା ବ୍ୟକ୍ତି, କିଛି ସ୍ଥାନୀୟ ଲୋକଙ୍କଠାରୁ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

ଅଧିକ ତଥ୍ୟପ୍ରମାଣ ଲାଗି ପିଟରଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆକାଶଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ସେହି ସମୟ ମଧ୍ୟରେ ପ୍ରଦୀପଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ତଦନ୍ତକାରୀ ଟିମ୍। ପିଟର-ଆକାଶ-ପ୍ରଦୀପ-ସର୍ବେଶ୍ବରଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଠକେଇ ମାମଲାରେ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଜବତ ଦସ୍ତାବିଜକୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବରେଟୋରିକୁ ପଠାଯିବ।

ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ପ୍ରଦୀପ ଓ ଆକାଶଙ୍କ ବିରୋଧରେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ପ୍ରାଥମିକ ତଦନ୍ତ କରି କେସ୍ ଡାଏରି ଦାଖଲ କରିଛି। ଯେଉଁଥିରେ ଦୁଇଜଣ ବ୍ୟକ୍ତି ଚେକ୍ ଜରିଆରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବାର ପ୍ରମାଣ ମିଳିଛି। ଅଧିକ ଖୋଳତାଡ଼ ପରେ ଆହୁରି ପ୍ରମାଣ ମିଳିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ।

ସମ୍ବନ୍ଧିତ ଖବର