ଘୁଷୁରି ଲୋଭରେ ଧରାପଡ଼ିଲା କୁମ୍ଭୀର, ଭିତରକନିକା ଅଭୟାରଣ୍ୟକୁ ପଠାଗଲା

ଇନ୍ଦୁପୁର: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ନିକଟରେ ବିରୂପା ନଦୀରୁ ୧୨ଫୁଟ୍‌ ଲମ୍ବର ବିଶାଳକାୟ କୁମ୍ଭୀର ଧରାହୋଇଛି। ଏକ ମାଈ ଘୁଷୁରିକୁ ଆକ୍ରମଣ କରି କୁମ୍ଭୀର ତା’ଦେହରୁ ଅଧା ମାଂସ ନେଇ ଯାଇଥିଲା। ଘୁଷୁରି ପାଳକମାନେ ସଂଧ୍ୟାରେ ଉକ୍ତ ବଳକା ଘୁଷୁରିକୁ ନଦୀକୂଳ ଏକ ଚୁଆରେ ଜିଅଳ(ଆଧାର) ଦେଇ କୁମ୍ଭୀରକୁ କାବୁ କରିଥିଲେ। ଆଜି ସକାଳେ ବନବିଭାଗ ଅଧିକାରୀମାନେ ପହଞ୍ଚି ସ୍ବତନ୍ତ୍ର ଗାଡ଼ିରେ ଉକ୍ତ କୁମ୍ଭୀରକୁ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟକୁ ନେଇଛନ୍ତି।

ସୂଚନା ମୁତାବକ, ଇନ୍ଦୁପୁରର ଘୁଷୁରିପାଳକ ବିଭୂତି ଗେଡ଼ି ସୋମବାର ସଂଧ୍ୟାରେ ବିରୂପା ନଦୀ ନିକଟ‌ରେ ଘୁଷୁରି ଚରାଉଥିବାବେଳେ ଏକ ମାଈ ଘୁଷୁରିକୁ କୁମ୍ଭୀର ଟାଣିନେଇଥିଲା। ପାଖରେ ଥିବା ଘୁଷୁରିପାଳକମାନେ ଟେକା ପଥର ଫୋପାଡ଼ିବାରୁ ଅଧାଖିଆ ଘୁଷୁରିକୁ ଛାଡ଼ି କୁମ୍ଭୀର ବିରୂପା ଭିତରକୁ ପଳାଇଥିଲା। ଏହାପରେ ଘୁଷୁରିପାଳକମାନେ ଅଧାଖିଆ ଘୁଷୁରିକୁ ବାଉଁଶ ଓ ରଶିରେ ବାନ୍ଧି ନଦୀକୂଳରେ ଥିବା ଏକ ଚୁଆ ପାଖରେ ଛାଡ଼ିଥିଲେ। କେଇଘଣ୍ଟା ପରେ କୁମ୍ଭୀରଟି ନଦୀରୁ ଉଠି ଘୁଷୁରି ପାଖକୁ ଆସିବାରୁ କିଛିଦୂରରେ ଜଗିଥିବା ଘୁଷୁରିପାଳକମାନେ ରଶିରେ ବାନ୍ଧିଥିବା ଘୁଷୁରିକୁ ଧୀରେଧୀରେ ଟାଣିକି ଚୁଆ ଭିତରକୁ ନେଇ ଆସିଥିଲେ। କୁମ୍ଭୀରଟି ଘୁଷୁରି ପଛେପଛେ ଚୁଆରେ ପହଞ୍ଚି ଘୁଷୁରିକୁ ଧରିବା କ୍ଷଣି ଜଗିଥିବା ଘୁଷୁରିପାଳକମାନେ ଚାରିପଟୁ ଘେରି କୁମ୍ଭୀରକୁ ଚୁଆ ଭିତରକୁ ପକାଇ ଦେଇଥିଲେ। ଆଜି ସକାଳେ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ରଥ, ଡେପୁଟି ରେଞ୍ଜର ବବ୍ରୁଭୂଷଣ ସାହୁ , ଫରେଷ୍ଟର୍‌ ସୁଷମା ସାହୁ, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟର ଡାଙ୍ଗମାଳକୁ ନେଇଥିଲେ।

ସମ୍ବନ୍ଧିତ ଖବର