ଟିକରପଡ଼ାରେ ନାବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ: ମହାନଦୀ କୂଳକୁ ଯାଇଥିବା ଜଣେ ନାବାଳକକୁ କୁମ୍ଭୀର ନଦୀ ଭିତରକୁ ଟାଣି ମାରି ଦେଇଛି। ମୃତ ବାଳକ ହେଲେ ଟିକରପଡ଼ା ଗାଁର ସମୀର ନାଏକ(୮)। ଆଜି ମଧ୍ୟାହ୍ନରେ ସେ ସାଙ୍ଗମାନଙ୍କ ସହ ଟିକରପଡ଼ା ଗଣ୍ଡ ନିକଟକୁ ‌ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଟିକରପଡ଼ା ଘାଟସାହିର ସମୀର ନାଏକ ଆଜି ସାଙ୍ଗମାନଙ୍କ ସହ ମହାନଦୀ କୂଳରେ ଖେଳୁଥିଲା। ଏହି ସମୟରେ ଶୌଚ ପାଇଁ ନଦୀ ପାଖକୁ ଗଲା ବେଳେ ଏକ ବଡ଼ କୁମ୍ଭୀର ତାକୁ ନଦୀ ଭିତରକୁ ଟାଣି ନେଇଥିଲା। ସାଙ୍ଗମା‌ନେ ପାଟି କରିବାରୁ ଲୋକେ ଜମା ହୋଇ କୁମ୍ଭୀରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ କୁମ୍ଭୀର ସମୀରକୁ ନେଇ ନଦୀ ଭିତରକୁ ଚାଲି ଯାଇଥିଲା।

ସ୍ଥାନୀୟ ଲୋକେ ଡଙ୍ଗାରେ ଯାଇ କୁମ୍ଭୀର କବଳରୁ ନାବାଳକକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣା ପରେ ମହାନଦୀ ଘାଟ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ନାବାଳକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଓ କୁମ୍ଭୀର ଆକ୍ରମଣ ରୋକିବା ପାଇଁ ପଦକ୍ଷେପ ପାଇଁ ଲୋକେ ଦାବି କରିଥିଲେ। ବନବିଭାଗର ଅବହେଳା ବିରୋଧରେ ଲୋକେ ନାରାବାଜି କରିବା ସହ ରେଂଜ କାର୍ଯ୍ୟାଳୟ ଘେରାଉ କରିଥିଲେ। ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ‌ପରେ ଲୋକଙ୍କ ରାଗ ଥଣ୍ଡା ପଡ଼ିଥିଲା। ଅନୁଗୁଳ ଜିଲ୍ଲାର ଟିକରପଡ଼ା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର