ରତ୍ନଗିରି: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅମଠପୁର ପଞ୍ଚାୟତର ପାଲଟପୁର ଗ୍ରାମରେ ଜଣେ ମହିଳାଙ୍କୁ ଟାଣିନେଇ ଖାଇଦେଲା କୁମ୍ଭୀର। ସମସ୍ତେ ଦେଖୁଥିଲେ, କିଛି କରିପାରିଲେନି। ମୃତ ମହିଳା ହେଉଛନ୍ତି ଗ୍ରାମର ଅନାମ ଚରଣ ଜେନାଙ୍କ ଧର୍ମପତ୍ନୀ ଜ୍ୟୋତ୍ସ୍ନା (୩୬)। ଆଜି ସକାଳୁ ନିଜ ସଂପର୍କୀୟ ଯାଆଙ୍କ ସହ ସେ ଲୁଗା ସଫା କରିବା ପାଇଁ ନିକଟସ୍ଥ ବିରୂପା ନଦୀକୁ ଯାଇଥିଲେ। ଯାଆ ନଦୀ ତଟରେ ଛିଡ଼ାହୋଇଥିଲେ। ଜ୍ୟୋତ୍ସ୍ନା ପାଣିଭିତରକୁ ପଶୁପଶୁ ଶିକାର ଅନ୍ବେଷଣରେ ଛକି ରହିଥିବା କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଭିଡ଼ି ନେଇଥିଲା। ଅଥଳ ଜଳ ମଧ୍ୟରେ ବୁଡ଼େଇ ମାରିବା ପରେ କିଛିଦୂରରେ ଥିବା ତଣ୍ତିବଣ ନିକଟକୁ ନେଇ ଖିନ୍ଭିନ୍ କରି ଖାଉଥିବା ଦୃଶ୍ୟ ଉପସ୍ଥିତ ଲୋକଙ୍କ ହୃଦୟ ଥରାଇ ଦେଇଥିଲା। ସମ୍ପର୍କୀୟା ଯାଆଙ୍କ ଡାକରେ ଗ୍ରାମବାସୀ ରୁଣ୍ତ ହୋଇ ଦେଖିବା ଛଡ଼ା ଆଉ କିଛି କରିପାରି ନଥିଲେ। ବିରାଟକାୟ କୁମ୍ଭୀରଟି ଖଣ୍ତଖଣ୍ତ କରି ମହିଳାଙ୍କ ଶରୀରକୁ ଖାଇଯାଇଥିଲା।
ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ବିଖଣ୍ତିତ ଅଂଶକୁ ଉଦ୍ଧାର କରିଥିଲା। ପ୍ରଶାସନ ପକ୍ଷରୁ ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି, ବିଡିଓ ନମିତା ବାରିକ, ମନ୍ଦାରୀ ରାଜସ୍ବ ନିରୀକ୍ଷକ ବିଶ୍ବରଞ୍ଜନ ନାୟକ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ବରୀ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହି ଘଟଣା ପରେ ବନ ବିଭାଗ ଗାଁରେ ପହଞ୍ଚି ଡାକବାଜି ଯନ୍ତ୍ରରେ ସ୍ଥାନୀୟ ଲୋକଙ୍କୁ ନଦୀକୁ ନଯିବାକୁ ପରାମର୍ଶ ଦେଇଛି। ମୃତ ମହିଳାଙ୍କ ସ୍ବାମୀ ଜଣେ ଦିବ୍ୟାଙ୍ଗ ହୋଇଥିବାବେଳେ ବୃଦ୍ଧ ଶାଶୂଶଶୁର ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ମହିଳାଙ୍କ ୭ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଅଛନ୍ତି।
ମୃତ ମହିଳାଙ୍କ ପରିବାରକୁ ୬୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ବରୀ ବିଧାୟିକା ସୁନନ୍ଦା ଦାସ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପୃଷ୍ଟି ପରିବାର ନିହଟରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଚେକ୍ ପ୍ରଦାନ କରିଥିଲେ। ବରୀ ବିଜେଡି ନେତା ଦେବେନ୍ଦ୍ର ଦାସ, ବରୀ ବ୍ଲକ୍ ବିଜେଡି ସଭାପତି କେଦାର ସାମଲ, ପ୍ରସନ୍ନ ମଲ୍ଲିକ୍, ବିଜେପି ନେତା କବୀର ଦାସ, ବରୀ ବ୍ଲକ୍ ପ୍ରାକ୍ତନ ଅଧ୍ୟକ୍ଷା ଭାରତୀ ବେହେରା, ସେକ୍ ସଫିର୍ ଉଦ୍ଦିନ୍, ପ୍ରାକ୍ତନ ସରପଞ୍ଚ ପତିତପାବନ ଆକ୍ୟୁ, ପ୍ରିୟବ୍ରତ ମହାନ୍ତି, ବିରଜାଶଙ୍କର ଦାସ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/54fsh654fs654fh654fhs.jpg)