ସମ୍ବଲପୁର : ଶନିବାର ଇଦ୍-ଅଲ୍-ଫିତର ଅବସରରେ ସମ୍ବଲପୁର ସହରରେ କର୍ଫ୍ୟୁ ୧୪ ଘଣ୍ଟା କୋହଳ ରହିବ। ଶୁକ୍ରବାର ୧୨ ଘଣ୍ଟା କର୍ଫ୍ୟୁ ଥିଲାବେଳେ ଶନିବାର ଇଦ୍ ପାଇଁ ଆଉ ୨ ଘଣ୍ଟା ଅଧିକ େକାହଳ କରାଯାଇଛି। ଶନିବାର ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ ବୋଲି ସଦର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଇଦ୍ ଅବସରରେ ନମାଜ ପାଠ ପାଇଁ ପ୍ରଶାସନ ତରଫରୁ କେତେକ ସର୍ତ୍ତାବଳୀ ରଖାଯାଇଛି।
ସଦର ଏସ୍ଡିପିଓ ନେଇଥିବା ଅନୁମତି ଅନୁଯାୟୀ ଗୋଟିଏ ସ୍ଥାନରେ ସର୍ବାଧିକ ୨୦୦ ଜଣ ଏକତ୍ରିତ ହୋଇପାରିବେ। ଅର୍ଥାତ୍ ନମାଜ ପାଠବେଳେ ୨୦୦ରୁ ଅଧିକ ଲୋକଙ୍କ ଭିଡ଼ ନକରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଲୋକେ ନିଜର ଜରୁରୀ କାର୍ଯ୍ୟ ପାଇଁ କୋହଳ ସମୟକୁ ବ୍ୟବହାର କରିପାରିବେ। ହେଲେ ଏହାର ଅପବ୍ୟବହାର ନକରିବାକୁ, ଅକାରଣରେ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ ଇଣ୍ଟର୍ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଛନ୍ତି। ଅର୍ଥାତ୍ ଲିଜ୍ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ ସଂଯୋଗ ଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାରଠାରୁ ୨୪ ଘଣ୍ଟିଆ ଇଣ୍ଟର୍ନେଟ୍ ପାଇଛନ୍ତି। ହେଲେ ମୋବାଇଲ୍ ଇଣ୍ଟର୍ନେଟ୍ ଏବେ ବି ବନ୍ଦ ରହିଛି। ରବିବାରଠାରୁ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/sambalpur-ffp.jpg)