ଯାଜପୁର/ଚଣ୍ଡିଖୋଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୨୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଜିର ପ୍ରକଳ୍ପଗୁଡ଼ିକ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ସୃଷ୍ଟି ହେବ। ଦେଶରେ ଏବେ ଏମିତି ସରକାର ଚାଲିଛି, ଯିଏ ବର୍ତ୍ତମାନ ଓ ଭବିଷ୍ୟତ କଥା ଚିନ୍ତା କରୁଛି। ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ବେଣାପୁରଠାରେ ଆୟୋଜିତ ସଭାରେ ‘ଜୟ ଜଗନ୍ନାଥ’ରୁ ନିଜର ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଓଡ଼ିଶାର ବିକାଶର ଧାରା ଆରମ୍ଭ ହୋଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁବାବୁଙ୍କ ଯୋଗଦାନ ସ୍ମରଣୀୟ ହୋଇରହିବ। ସମଗ୍ର ଦେଶବାସୀଙ୍କ ପକ୍ଷରୁ ସେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହାପରେ ବିଭିନ୍ନ ଯୋଜନା ସମ୍ପର୍କରେ ମତରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ପୂର୍ବରୁ ବିଭିନ୍ନ ଯୋଜନାରେ ପ୍ରକଳ୍ପ କାମ ଠିକ୍ ସମୟରେ ସରୁନଥିଲା। ବିଜେପି ସରକାର ଆସିବାପରେ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦେଇଛି। ଆମ ସରକାର ପାରାଦୀପ ରିଫାଇନାରି କାମ ସାରିଥିଲା। ଓଡ଼ିଶାର ବିକାଶକୁ ଆମେ ଗୁରୁତ୍ୱ ଦେଇଆସୁଛୁ। ଓଡ଼ିଶାର ରେଳ ବଜେଟକୁ ପ୍ରାୟ ୧୨ ଗୁଣା ବଢ଼ାଇଛୁ। ଗଞ୍ଜାମରେ ଲୁଣିଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି। ଏଠାରେ ଲୁଣିଜଳକୁ ପାନୀୟଜଳରେ ପରିଣତ କରାଯିବ। ଲୋକଙ୍କୁ ଦୈନିକ ୫୦ ଲକ୍ଷ ଲିଟର ପାନୀୟଜଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଣ୍ଡିଖୋଲରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ପିତା ମହାନ୍ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଉଦ୍ବୋଧନ ଆରମ୍ଭ କରିଥିଲେ। ବିଜୁବାବୁ ଜଣେ ଦୂରଦୃଷ୍ଟି ସଂପନ୍ନ ନେତା ଥିଲେ। ଦେଶ, ଏପରିକି ବିଦେଶରେ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା।
ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରାଜୀବନ କାମ କରି ଯାଇଛନ୍ତି। ଯାଜପୁର ଜିଲ୍ଲାର କଳିଙ୍ଗନଗରକୁ ଶିଳ୍ପନଗରୀରେ ପରିଣତ କରିବାକୁ ସେ ସ୍ବପ୍ନ ଦେଖିଥିଲେ। ଆଜି କଳିଙ୍ଗନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି। କେବଳ ଓଡ଼ିଶା ନୁହେଁ, ସାରାଦେଶ ଏଥିରୁ ଲାଭ ପାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ପଟ୍ଟନାୟକ ସ୍ବାଗତ କରିବା ସହ ତାଙ୍କ କାର୍ଯ୍ୟଧାରାକୁ ଉଚ୍ଚପ୍ରଶଂସା କରିଥିଲେ। ଶ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ଦେଶର ଅର୍ଥନୈତିକ ପ୍ରଗତି ହୋଇଛି। ଭାରତ ବିଶ୍ବରେ ପଞ୍ଚମ ବୃହତ ଅର୍ଥନୀତିର ମାନ୍ୟତା ଲାଭ କରିପାରିଛି। ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିବା ଖୁସିର କଥା। ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥକୁ ୮ ଲେନ୍ କରିବା, ଗ୍ୟାସ୍ ପାଇପ୍ଲାଇନ୍, ତୈଳ ବିଶୋଧନାଗାର ପ୍ରକଳ୍ପ, ନୂଆ ରେଳପଥ, ନୂଆ ଟ୍ରେନ୍ ଚଳାଚଳ ଆରମ୍ଭ କରିଛନ୍ତି। ଓଡ଼ିଶାରେ ଆଜି ରୂପାନ୍ତର ଆସିଛି। ମିସନ୍ ଶକ୍ତି ମା’ମାନେ ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି। ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ଓଡିଶା ଆଜି ଦେଶର ପ୍ରମୁଖ ରାଜ୍ୟ ହୋଇପାରିଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଶୁଭେଚ୍ଛା ଓ ସହଯୋଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି ଏବଂ ମା’ ବିରଜାଙ୍କ ମନ୍ଦିରର ରୂପାନ୍ତରୀକରଣ କାମ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି। ଆଗକୁ ଆହୁରି ଅନେକ କାମ କରିବାକୁ ଅଛି କହି ମୁଖ୍ୟମନ୍ତ୍ରୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ। (ବକ୍ସ) ଶିଳାନ୍ୟାସ ଓ ଉଦ୍ଘାଟିତ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ୨୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବାଂଶପାଣି-ଦୈତାରି-ଟମ୍କା-ଯଖପୁରା ୧୬୨ କିମି ରେଳଲାଇନ୍, ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ା-ବିଂଝବାହାଳ ସେକ୍ସନ ୪ ଲେନ୍, ବିଂଝବାହାଳ-ତିଲେଇବଣୀ ସେକ୍ସନ ୪ ଲେନ୍, ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ବର ସେକ୍ସନ ୬ ଲେନ୍, ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ବର-ଝାରପୋଖରିଆ ସେକ୍ସନ ୪ ଲେନ୍, ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ରେଳଲାଇନ୍ ଏବଂ ଗଞ୍ଜାମରେ ଦିନକୁ ୫୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସମୁଦ୍ର ଜଳରୁ ଲବଣ ଅପସାରଣ ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି।
ସେହିପରି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ପାରାଦୀପ ବିଶୋଧନାଗାରରେ ମନୋ ଇଥିଲିନ୍ ଗ୍ଲାଇକୋଲ୍ ପ୍ରକଳ୍ପ, ଇଣ୍ଡିଆନ ଅଏଲର ପାରାଦୀପ-ସୋମନାଥପୁର-ହଳଦିଆ ପାଇପ୍ଲାଇନ୍ ପ୍ରକଳ୍ପ, ପାରାଦୀପରେ ଇଣ୍ଡିଆନ ଅଏଲର ଏଲପିଜି ଆମଦାନୀ ଟର୍ମିନାଲ ଓ କଳିଙ୍ଗନଗରରେ କୋନ୍କୋର କଣ୍ଟେନର ଡିପୋକୁ ଉଦ୍ଘାଟନ କରିଛନ୍ତି। କେନ୍ଦୁଝରଗଡ଼ ଷ୍ଟେସନରୁ ପୁରୀ-ଆନନ୍ଦବିହାର ଟର୍ମିନାଲ ମଧ୍ୟରେ ନୂଆ ଟ୍ରେନ୍, ପାରାଦୀପ ଷ୍ଟେସନରୁ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ ନୂଆ ଟ୍ରେନ୍ ଓ ଏମ୍ଏମ୍ଏଲପି ଯାଜପୁର, ଓଡ଼ିଶାରୁ ଆଇସିଡି ଦାଦରୀ ଓ ଉତ୍ତରପ୍ରଦେଶରୁ କଣ୍ଟେନର ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହାସହ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ପାରାଦୀପ ପର୍ଯ୍ୟନ୍ତ ୮ ଲେନ୍ ରାସ୍ତା, ୨୦ ନମ୍ବର ଜାତୀୟ ରାଜପଥ କୁଆଖିଆ-ମଙ୍ଗଳପୁର ସେକ୍ସନକୁ ୪ ଲେନ୍ କରିବା, ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହୋଲ୍ଡିଂ ୱାର୍କସପ୍, କଣ୍ଟାବାଞ୍ଜିରେ ୱାଗନ ପିରିଅଡିକାଲ ଓଭରହଲିଂ ୱାର୍କସପ୍ ଏବଂ ବାଘୁଆପାଳରେ ୱାଗନ ରକ୍ଷଣାବେକ୍ଷଣ ସୁବିଧାକେନ୍ଦ୍ର ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।