ମାଲକାନଗିରି: ସୁଭଦ୍ରା ଯୋଜନାରେ ଗତକାଲି ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ମହିଳାଙ୍କୁ ଦିଆଗଲା। କିନ୍ତୁ ବଣ୍ଡାଘାଟିର ଅଧାରୁ ଅଧିକ ମହିଳାଙ୍କ ପାଖରେ ଯୋଜନା ପହଞ୍ଚି ପାରିନି। ତେଣୁ ପୁଣି ନିରାଶ ହୋଇଛନ୍ତି ଅଭିଶପ୍ତ ଅଞ୍ଚଳର ମହିଳାମାନେ। ବ୍ୟାଙ୍କ ଓ ଆଇସିଡିଏସ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ହତାଶ ହେବା ବ୍ୟତୀତ ମହିଳାଙ୍କ ନିକଟରେ ଆଉ କୌଣସି ବିକଳ୍ପ ବଞ୍ଚିନାହିଁ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ମୁଦୁଲିପଡ଼ା ଏବଂ ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ୩୧ ଗାଁରେ ବସବାସ କରୁଛନ୍ତି ବଣ୍ଡା ଜନଜାତି। ମୁଦୁଲିପଡ଼ା ପଞ୍ଚାୟତରେ ୭୪୮ ଏବଂ ଅଣ୍ଡ୍ରାହାଲ ପଞ୍ଚାୟତର ୭୭୪ଜଣ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଏଥିରୁ ମୁଦୁଲିପ଼ଡା ପଞ୍ଚାୟତର ୨୮୧ଜଣ ଓ ଅଣ୍ଡ୍ରାହାଲ ପଞ୍ଚାୟତର ୨୭୪ ଜଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ମୋଟ ୫୫୫ଜଣ ମହିଳା ଗତକାଲି ସୁଦ୍ଧା ୫ହଜାର ଟଙ୍କା ଲେଖାଏଁ ପାଇଛନ୍ତି। ଯାହାକି ମୋଟ ଆବେଦନର ପାଖାପାଖି ୩୦ପ୍ରତିଶତ। ଅବଶିଷ୍ଟ ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଟଙ୍କା ମିଳି ନାହିଁ।
ସରକାରୀ ଯୋଜନାରେ ଟଙ୍କା ମିଳିବ ବୋଲି ମାସ ମାସ ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରି ଆଦିମ ଜନଜାତିର ମହିଳାମାନେ ଆବେଦନ କରିଥିଲେ। ଟଙ୍କାରୁ ବଞ୍ଚିତ ହେବାପରେ ପ୍ରଥମେ ବ୍ୟାଙ୍କକୁ ଯାଉଛନ୍ତି। ସରକାର ଟଙ୍କା ଜମା କରି ନଥିବା ଜାଣିବା ପରେ ଘାଟି ତଳକୁ ଓହ୍ଲାଇ ଖଇରପୁଟ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଆସୁଛନ୍ତି। ଏଠାରେ ତଥ୍ୟ ମିଳିବା ଦୂରର କଥା ଅଧିକାରୀଙ୍କୁ ଭେଟିବା ପାଇଁ ମଧ୍ୟ ମହିଳାମାନେ ସୁଯୋଗ ପାଉନାହାନ୍ତି। ଆଧାର ସହ କେଵାଇସି ଅପଡେଟ୍ ନଥିବାରୁ ଏଭଳି ସମସ୍ୟା ହେଉଥିବା କୁହାଯାଉଛି।
ଅଣ୍ଡ୍ରାହାଲ ପଞ୍ଚାୟତ ବଡ଼ବେଲ ଗାଁର ସମ୍ବାରୀ ବଡ଼ନାୟକ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ତାଲିକାରେ ମଧ୍ୟ ତାଙ୍କ ନାଁ ଅଛି। ତୃତୀୟ ପର୍ଯ୍ୟାୟ ସୁଦ୍ଧା ତାଙ୍କୁ ଟଙ୍କା ମିଳିନି। ମୁଦୁଲିପଡ଼ା ପଞ୍ଚାୟତ କିରସାନି ପଡ଼ାର ଶୁକ୍ରି ଶିଶା ମଧ୍ୟ ସମାନ କଥା କହିଛନ୍ତି। କମଳା ବଡନାୟକ, ସୁଚିତ୍ରା ବଡନାୟକ କେଉଁ କାରଣରୁ ଟଙ୍କାରୁ ବଞ୍ଚିତ ହୋଇଛନ୍ତି ଜାଣିପାରୁ ନାହାନ୍ତି। ଯୋଜନା ଘୋଷଣା ପରେ ଉପରୋକ୍ତ ମହିଳାମାନେ ଅନେକ କିଛି କରିବାକୁ ସ୍ବପ୍ନ ଦେଖିଥିଲେ। କିଏ ଘର ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଥିଲା ତ କିଏ ପିଲାଙ୍କ ପାଠପଢ଼ା ପାଇଁ ସଂଚୟ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ କିଏ ଭବିଷ୍ୟତ ପାଇଁ ସଞ୍ଚିବା ପାଇଁ ଚାହୁଥିଲା। ଅନିଶ୍ଚିତତା ମଧ୍ୟରେ ମହିଳାମାନେ ରହିବା ସହ ପ୍ରତିଦିନ ସୂର୍ଯ୍ୟ ଉଇଁଲାମାତ୍ରେ ୧୫ରୁ ୩୦ କିଲୋମିଟର ବ୍ୟାଙ୍କ, ଗ୍ରାହକ ସେବା କେନ୍ଦ୍ର ଏବଂ ଆଇସିଡିଏସ୍ କାର୍ଯ୍ୟାଳୟରେ ପହଞ୍ଚି ଯାଉଛନ୍ତି। ଏବେ ଶିଶୁ ବିକାଶ କାର୍ଯ୍ୟାଳୟ ହେଲପ୍ ଡେସ୍କ୍ କର୍ମଚାରୀ ବଣ୍ଡାଘାଟିର ଗାଁକୁ ଗାଁ ବୁଲି ସର୍ଭେ କରି କିଭଳି ମହିଳାମାନେ ଯୋଜନାରେ ସାମିଲ ହେବେ ତାହାର ତଥ୍ୟ ସଂଗ୍ରହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/26/fq91agJp2dyJE6gTHCU6.jpg)