ହୋଟେଲରେ ଗ୍ରାହକ ଓ ଖାଦ୍ୟ ଯାଞ୍ଚ ଟିମ୍‌ ମୁହାଁମୁହିଁ

ଥାନାରେ ପୃଥକ ପୃଥକ ଲିଖିତ ଅଭିଯୋଗ, ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର

ରାଉରକେଲା : ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଟିମ୍‌ର ଚଢ଼ଉ ବେଳେ ଆର୍‌ସିଏମ୍‌ଏସ୍‌ କମ୍ପ୍ଲେକ୍ସସ୍ଥ ଏକ ହୋଟେଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଧବାର ଅପରାହ୍ନ ପ୍ରାୟ ଦେଢ଼ଟାରେ ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରା ଓ ତାଙ୍କ ଟିମ୍‌ ହଠାତ୍‌ ହୋଟେଲ ଭିତରକୁ ପଶିଥିଲେ। ଅଭିଯୋଗ ହୋଇଛି ଯେ ଖାଦ୍ୟ ଯାଞ୍ଚ କରିବା ପରିବର୍ତ୍ତେ ଗ୍ରାହକମାନଙ୍କୁ ହୋଟେଲ ବାହାରକୁ ବାହାରିଯିବାକୁ କହିଥିଲେ। ତେଣୁ ଖାଇବାକୁ ବସିଥିବା ଗ୍ରାହକମାନେ ଉତ୍ତେଜିତ ହୋଇ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଟିମ୍‌ଙ୍କୁ ଘେରି ଯାଇଥିଲେ।

ରୋଷେଇ ଘରେ ପ୍ରସ୍ତୁତ ଖାଦ୍ୟର ମାନ ଯାଞ୍ଚ କରନ୍ତୁ, ଅଯଥାରେ ଖାଇବାକୁ ଆସିଥିବା ଲୋକଙ୍କୁ ହଇରାଣ କରନ୍ତୁ ନାହିଁ ବୋଲି କିଛି ଗ୍ରାହକ କହିଥିଲେ। ଏହାକୁ ଯାଞ୍ଚକାରୀ ଟିମ୍‌ ମାନି ନଥିଲେ। ସେମାନେ ହୋଟେଲ ଭିତରୁ ଲୋକଙ୍କୁ ବାହାରିଯିବାକୁ ବାରମ୍ବାର କହିବାରୁ ଉଭୟ ଗ୍ରାହକ ଓ ଯାଞ୍ଚକାରୀ ଟିମ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ କିଛି ସାମ୍ବାଦିକ ଖବର ସଂଗ୍ରହ କରିବାକୁ ହୋଟେଲରେ ପହଞ୍ଚିଥିଲେ। ସେମାନେ ମୋବାଇଲରେ ଭିଡିଓ ରେକର୍ଡିଂ ସହ ଫଟୋ ଉତ୍ତୋଳନ କରୁଥିଲେ। ହଠାତ୍‌ ରଘୁନାଥପାଲୀ ଥାନାର ଦୁଇ ସବ୍‌ ଇନ୍ସପେକ୍ଟର ପହଞ୍ଚି ଉତ୍ତେଜିତ ଗ୍ରାହକମାନଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ସାମ୍ବାଦିକଙ୍କୁ ତୁମେମାନେ କିଏ ବୋଲି କହି ଓଲଟା ଯୁକ୍ତି କରିଥିଲେ, ଦୁର୍ବ୍ୟବହାର କରିଥିଲେ। ବେଶ୍‌ କିଛି ସମୟ ଗ୍ରାହକ ଓ ସାମ୍ବାଦିକଙ୍କ ସହ ସବ୍‌ଇନ୍ସପେକ୍ଟରଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

ଗୋଟିଏ ପଟେ ସାମ୍ବାଦିକ, ଗ୍ରାହକଙ୍କ ସହ ପୁଲିସ ସବ୍‌ଇନ୍ସପେକ୍ଟର ଓ ଅନ୍ୟପଟେ ଗ୍ରାହକଙ୍କ ସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଶେଷର ପୁଲିସ ଉଭୟ ହୋଟେଲ ମାଲିକ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଟିମ୍‌କୁ ଥାନାକୁ ନେଇଥିଲେ। ସେଠାରେ ଉଭୟ ହୋଟେଲ ମାଲିକ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ପରସ୍ପର ବିରୋଧରେ ଦୁଇଟି ପୃଥକ ପୃଥକ ଲିଖିତ ଅଭିଯୋଗ ଦେଇଛନ୍ତି। ପୁଲିସ ଦୁଇଟି ଲିଖିତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପକ୍ଷରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରିତ ମିଡିଆର ସାମ୍ବାଦିକମାନେ ପ୍ରଥମେ ଏସ୍‌ଡିପିଓ ଶାନ୍ତା ନୂତନ ସାମଦଙ୍କୁ ଭେଟିଥିଲେ। ପରେ ସଂଧ୍ୟାରେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋଙ୍କୁ ସାକ୍ଷାତ କରିଥିଲେ। ଦୁର୍ବ୍ୟବହାର କରିଥିବା ରଘୁନାଥପାଲୀ ଥାନା ସବ୍‌ଇନ୍ସପେକ୍ଟରଙ୍କ ବ୍ୟବହାର ସଂକ୍ରାନ୍ତରେ କହିଥିଲେ। ଏସ୍‌ପି ଶ୍ରୀ ଭାମୋ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟି ଦେବ‌େ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ସାଧାରଣ ଜନତା ଓ ସାମ୍ବାଦିକମାନଙ୍କୁ ଠିକ୍‌ ବ୍ୟବହାର କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶନାମା ଜାରି କରାଯିବ।

ଉଲ୍ଲେଖଯୋଗ୍ୟ, ସହରରେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଟିମ୍ ଯାଞ୍ଚର କରିବାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ସହରରେ ମାଳ ମାଳ ଫାଷ୍ଟଫୁଡ୍‌, ହୋଟେଲ ଓ ଭେଜାଲ ସସ୍‌ ଫ୍ୟାକ୍ଟ୍ରି ଚାଲିଛି। ବାରମ୍ବାର ଅଭିଯୋଗ ହେଉଛି। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଥିପ୍ରତି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର