ଗ୍ରାହକଙ୍କ ଟଙ୍କା ହଡ଼ପ କରି ଜେଲ ଗଲେ ଗ୍ରାହକ ସେବା କେନ୍ଦ୍ର ଏଜେଣ୍ଟ

ଗ୍ରାହକଙ୍କ ଟଙ୍କା ହଡ଼ପ କରି ଜେଲ ଗଲେ ଗ୍ରାହକ ସେବା କେନ୍ଦ୍ର ଏଜେଣ୍ଟ

ଲଖନପୁର: ଜଣେ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କଠାରୁ ଡିଜିଟାଲ ଟିପ ଚିହ୍ନ ନେଇ କୁଡ଼ାଲୋଇ ଗ୍ରାହକ ସେବା କେନ୍ଦ୍ରର ଏଜେଣ୍ଟ ଟଙ୍କା ହଡ଼ପ କରିଥିବା ନେଇ ଲଖନପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁଡ଼ାଲୋଇ ନିବାସୀ ତରଣୀସେନ ପଧାନ(୩୫)ଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଲଖନପୁର ଥାନା ଅନ୍ତର୍ଗତ କୁଡ଼ାଲୋଇ ପଞ୍ଚାୟତ ଦହଲଡେରା ଗାଁର ମହିଳା ସୁରୁ ତିର୍କୀଙ୍କ ଲଖନପୁର ଷ୍ଟେଟ ବ୍ୟାଙ୍କରେ ଥିବା ଜମା ଆକାଉଣ୍ଟରୁ ଟଙ୍କା ଉଠାଣ ପାଇଁ ଗତ ୩ ତାରିଖରେ କୁଡ଼ାଲୋଇରେ ଥିବା ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ। ସେହି ଗ୍ରାହକ ସେବା କେନ୍ଦ୍ରର ଏଜେଣ୍ଟ ତରଣୀ ସୁରୁଙ୍କ ଡିଜିଟାଲ ଟିପ ଚିହ୍ନ ନେଲା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବା କହିଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟକୁ କେନ୍ଦୁପତ୍ର ବିକ୍ରି ଟଙ୍କା ପୂର୍ବରୁ ଆସିବାକୁ ଥିବାରୁ ସ୍ଥାନୀୟ କେନ୍ଦୁପତ୍ର ଫରେଷ୍ଟରଙ୍କୁ ଟଙ୍କା ବାବଦରେ ସେ ପଚାରି ବୁଝିଥିଲେ ଏବଂ  ଅପ୍ରେଲ ୨୦ ତାରିଖରେ ୩ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରେ ୨୨୦୮ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଥିଲେ।

ପରେ ସେ ଗତ ୧୦ ତାରିଖରେ ଷ୍ଟେଟ ବ୍ୟାଙ୍କରେ ତାଙ୍କ ପାସ ବହି ଅପଡେଟ କଲା ପରେ ମେ ୩ ତାରିଖରେ ଏଇପିଏସ ଓଏଫଏଫୟୁଏସ ଏପ ମାଧ୍ୟମରେ ତାଙ୍କ ଏକାଉଣ୍ଟରୁ ୨୦୨୦ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଗ୍ରାହକ ସେବା କେନ୍ଦ୍ର ଏଜେଣ୍ଟ ତରଣୀ ତାଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରି ୧୩ ତାରିଖ ରାତିରେ ସୁରୁ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଅଭିଯୁକ୍ତ ତରଣୀକୁ ଗିରଫ କରି ଝାରସୁଗୁଡ଼ା ଏସ୍‌ଡିଜେଏମ କୋର୍ଟ ଚାଲାଣ କରାଯାଇ ଥିଲା। କୋର୍ଟରେ ବେଲ୍ ଆବେଦନ ଖାରଜ ହୋଇଯିବାରୁ ତାକୁ ଜେଲକୁ ପଠାଇ ଦିଆଯାଇଥିବା ଥାନା ଆଇଆଇସି ଦୁଃଖୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କୁଡ଼ାଲୋଇ ଗାଁର  ପବିତ୍ର ବେନିଆଁ, ବାସୁଦେବ ନାଏକ, ରାଜକୁମାରୀ ସିଂ, ଦୂତି ଭୋଇ, ଚଞ୍ଚଳା ଭୋଇ ଓ ପ୍ରତିମୋହନ ଭୋଇଙ୍କ ଆକାଉଣ୍ଟରୁ ମଧ୍ୟ ଏଭଳି ଉପାୟରେ ତରଣୀ କିଛି କିଛି ଟଙ୍କା ଉଠାଇ ନେଇଥିବା ମଧ୍ୟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏପରିକି ଦୀର୍ଘ ବର୍ଷ ହେଲା ଅନେକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ତରଣୀ ଦ୍ବାରା ଏଭଳି ଠକେଇର ଶିକାର ହେଉଥିବା ସମ୍ପର୍କରେ ଲଖନପୁର ଷ୍ଟେଟ ବ୍ୟାଙ୍କରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତା ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି। ଏବେ ମାମଲା ଥାନାରେ ପହଞ୍ଚିଥିବାରୁ ଏଭଳି ଠକେଇର ଶିକାର ହୋଇଥିବା ଅନେକ ଗ୍ରାହକଙ୍କ ଆକାଉଣ୍ଟକୁ ପୁଲିସ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe