ବାଇକ୍ ଧକ୍କାରେ ସାଇକଲ ଚାଳକ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡ଼ା ପୁରୁଣାପାଣି ରାସ୍ତାର କିଣ୍ଡିରା ଛକରେ ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଏକ ବାଇକ୍‌ ଧକ୍କା ଦେବାରୁ ଜଣେ ସାଇକଲ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ସାତକମା ବିଜାଡିହି ଗ୍ରାମର ବେଣୁଧର ଡିଲା (୫୦ ବର୍ଷ) ସାର ପାଇଁ କିଣ୍ଡିରା ଗ୍ରାମକୁ ଯାଇଥିଲେ। ତେବେ ସେଠାରୁ ରାତି ପ୍ରାୟ ୮ଟା ବେଳେ ସାଇକଲରେ ଫେରୁଥିବା ସମୟରେ କିଣ୍ଡିରା ଛକରେ ବିଜାଡିହି ପଟୁ ଏକ ବାଇକ୍‌ (ଓଡି ୧୫ ଏଲ୍‌-୬୪୭୬)ରେ ଆସୁଥିବା କୁଟୁରାଚୁଆଁ ଗ୍ରାମର ରାଜିନ ସୁନାନୀ ତାଙ୍କୁ ଧକ୍କା ଦେଇଥିଲେ। ବାଇକ୍‌ ଧକ୍କାରେ ସାଇକଲ୍‌ଟି ସଂପୂର୍ଣ୍ଣ ଚେପା ହୋଇଯାଇଥିବା ବେଳେ ବେଣୁଧରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ସେଠାରେ ଉପସ୍ଥିତ ଉତ୍ତ୍ୟକ୍ତ ଲୋକେ ରାଜିନଙ୍କୁ ଧରି ପ୍ରବଳ ମାଡ଼ ଦେଇଥିଲେ। ତେବେ ପିସିଆର୍‌ ଗାଡ଼ି ପହଞ୍ଚି ତାଙ୍କୁ ଗିରଫ କରିବା ସହ ଶବ ଜବତ କରି କୁଚିଣ୍ଡା ଡାକ୍ତରଖାନାକୁ ପଠାଇଥିଲା। ରାଜିନଙ୍କ ସହ ମା’ ଅମ୍ବିକା ସୁନାନି ମଧ୍ୟ ବାଇକ୍‌ରେ ଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ଅନ୍ଧାର ଯୋଗୁଁ ସେ ସାଇକଲ ଚାଳକଙ୍କୁ ଦେଖିପାରି ନଥିବା ରାଜିନ କହିଛନ୍ତି। ତେବେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର