ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ମାଡ଼ିଆସୁଛି ‘ଜୋୱାଦ୍’; ପୁରୀଠାରୁ ୪୬୦ କିଲୋମିଟର ଦୂରରେ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ଜୋୱାଦ୍’ ପଶ୍ଚିମ-କେନ୍ଦ୍ରୀୟ  ବଙ୍ଗୋପ ସାଗରରେ  ଗତ ୬ ଘଣ୍ଟା  ଧରି ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି।  ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୮୦ କିଲୋମିଟର ଦୂରରେ ଥିବା ବେଳେ  ଗୋପାଳପୁରଠାରୁ ୪୦୦ କିଲୋମିଟର ଦୂରରେ ରହିଛି। ସେହିପରି ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୬୦ କିଲୋମିଟର ଦୂରରେ ଏବଂ ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି।

ଆସନ୍ତାକାଲି, ଅର୍ଥାତ  ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ | ଏହା ପରେ, ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଫେରି ଓଡ଼ିଶା ଉପକୂଳ ଦେଇ ଡିସେମ୍ବର ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି | ପରବର୍ତ୍ତୀ ସମୟରେ, ଏହା ଉପକୂଳ ଓଡ଼ିଶା ଅତିକ୍ରମ କରି ପଶ୍ଚିମବଙ୍ଗ ଉପକୂଳ ଆଡକୁ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ତେବେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପବନର ବେଗ ବଢିବା ଆରମ୍ଭ କରିବ । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଏବେ ବର୍ଷା ଆରମ୍ଭ ହୋଇଥିବାବେଳେ, ଯେଉଁ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେ ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ,  ବାତ୍ୟା ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା ରହିବ । ପବନ ଝଟକା ଏହି ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଖୋର୍ଦ୍ଧା,ନୟାଗଡ, କଟକ, କେନ୍ଦ୍ରାପଡାରେ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତା’ ସହିତ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ଜଗତସିଂହପୁରରେ ମଧ୍ୟ ବର୍ଷା ହେବା ନେଇ ପୂୂର୍ବାନୁମାନ କରାଯାଇଛି । ବାତ୍ୟା କାରଣରୁ ଏବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରକୁ ମଧ୍ୟ ବିପଦ ସଙ୍କେତ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର