ଫୁଲନଖରା: ୭୨ଟି ଗାଈ ରଖିଥିଲେ। ସେମାନଙ୍କୁ ଖାଇବାକୁ ଦେଇ ନ ପାରି ଶେଷରେ ୬୭ଟି ଗାଈଙ୍କୁ ବିଭିନ୍ନ ଲୋକ ଓ ଗୋ ସେବାକେନ୍ଦ୍ରକୁ ଦାନ କରି ଦେଲେ ଜଣେ ଦୁଗ୍ଧ ବ୍ୟବସାୟୀ। ଏହି ସବୁ ଗାଈଙ୍କ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। କରୋନା କାଳର ଏଭଳି ପ୍ରଭାବ ଜଣେ ପ୍ରତିଷ୍ଠିତ ଦୁଗ୍ଧ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବାଗଲପୁର ପଞ୍ଚାୟତ ସୁନ୍ଦର ଗ୍ରାମର ଦୁଗ୍ଧ ବ୍ୟବସାୟୀ ସୁଶିଲ କୁମାର ମିଶ୍ର ୨୦୦୨ରୁ ପ୍ରଥମେ ୪ଟି ଗାଈରୁ ବ୍ୟବସାୟ ଆରମ୍ଭ କରିଥିଲେ। ନିଜର ବ୍ୟକ୍ତିଗତ ଉଦ୍ୟମରେ ଧାରକରଜ କରି ବ୍ୟବସାୟକୁ ଆଗକୁ ବଢାଇବା ସହିତ ନିଜର ଗାଈ ସଂଖ୍ୟା ୭୨ରେ ପହଞ୍ଚାଇ ପାରିଥିଲେ। କିନ୍ତୁ କରୋନ ଜନିତ ସ୍ଥିତି ତାଙ୍କ ପାଇଁ ବିପଦ ଡାକି ଆଣିଲା। ଲକ୍ଡାଉନ୍ ସମୟରେ କ୍ଷୀର ଅଥବା କ୍ଷୀରଜାତ ସାମଗ୍ରୀ ବିକ୍ରି ହେଲା ନାହିଁ। ଗାଈମାନଙ୍କୁ ଖାଦ୍ୟ ଦେବାକୁ ଅର୍ଥ ଅଭାବ ପଡିଲା। ଏଭଳି ସ୍ଥିତିରେ ତାଙ୍କ ପାଇଁ ଅନ୍ୟ ବାଟ ନଥିଲା ବୋଲି ସୁଶିଲ କହିଛନ୍ତି।
ସୁଶିଲ କହିବା ଅନୁଯାୟୀ ଗତବର୍ଷ ଫନି ବାତ୍ୟାରେ ଗୁହାଳ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳି ନଥିଲେ ବି ନିଜେ କ୍ଷତି ସହି ଦୁଗ୍ଧ ବ୍ୟବସାୟ ଜାରି ରଖିଥିଲେ। ହେଲେ ଫନି ପରେ ଦୀର୍ଘଦିନ ଧରି ବିଦ୍ୟୁତ ଯୋଗାଣ ବ୍ୟାହତ ରହିବାରୁ ଫ୍ରିଜର୍ ଅଚଳ ହୋଇ ଦୈନିକ ଶହ ଶହ ଲିଟର କ୍ଷୀର ନଷ୍ଟ ହେଲା। ସେହି କ୍ଷତି ସହି ଆଗକୁ ବଢୁଥିଲେବି କରୋନାଜନିତ ଲକ୍ଡାଉନ୍ ଓ ସଟ୍ଡାଉନ୍ ତାଙ୍କ ବ୍ୟବସାୟକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଲା। ବିପୁଳ ପରିମାଣର କ୍ଷୀର, ପନିର ଓ ଛେନା ବିକ୍ରି ନ ହେବାରୁ ଗାଈଙ୍କୁ ଦାନା ଯୋଗାଇବା ସମ୍ଭବ ହେଲା ନାହିଁ। ଓମଫେଡ୍କୁ କ୍ଷୀର ନେବାକୁ କହିଲେ ବି ସହଯୋଗ ମିଳିଲା ନାହିଁ। ଗାଈ ବିକ୍ରି କରିବାକୁ ସ୍ଥିର କରିଥିଲେ ବି ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ କେହି ଗାଈ କିଣିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ଶେଷରେ ଅନ୍ୟ ଉପାୟ ନପାଇ ସେ ଗାଈଗୁଡ଼ିଙ୍କୁ ମାଗଣାରେ ବାଣ୍ଟିବାକୁ ସ୍ଥିର କଲେ। କେବଳ ୫ଟି ଗାଈଙ୍କୁ ରଖି ବାକି ୬୭ଟି ଶଙ୍କରଜାତୀୟ ଦୁଧିଆଳୀ ଗାଈଙ୍କୁ ବିନାମୂଲ୍ୟରେ ବାଣ୍ଟି ଦେଲେ। ୪୮ଟି ଗାଈଙ୍କୁ ଗୋସେବା କରୁଥିବା ଏକ ସଂସ୍ଥାକୁ ଦେଇଥିବା ବେଳେ ବାକି ୧୯ଟି ଗାଈଙ୍କୁ ଆଖପାଖ ଅଞ୍ଚଳର ଗରିବ ଲୋକଙ୍କୁ ଡାକି ଦାନ କରି ଦେଇଥିବା ସୁଶିଲ କହିଛନ୍ତି। କେବଳ ସୁଶିଲ ନୁହନ୍ତି, ତାଙ୍କ ଭଳି ଆଉ କେତେଜଣ ଦୁଗ୍ଧ ବ୍ୟବସାୟୀ ବି ଏହି ବ୍ୟବସାୟରୁ ସମ୍ପୂର୍ଣ୍ଣ ଓହରି ଯିବାକୁ ଚିନ୍ତା କଲେଣି। ସରକାର ‘ଓମଫେଡ୍’ ମାଧ୍ୟମରେ ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ ନକଲେ ବାରଙ୍ଗ ଓ କଣ୍ଟାପଡ଼ା ଅଞ୍ଚଳର ଦୁଗ୍ଧ ବ୍ୟବସାୟ ସମ୍ପୂର୍ଣ୍ଣ ଉଜୁଡ଼ି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/dairy.jpg)