କେନ୍ଦୁଝର: ତିନିଦିନ ହେବ କେନ୍ଦୁଝର ସହର ଭୋଗୁଛି ଜଳକଷ୍ଟ। ସହରକୁ ପାଣି ଯୋଗାଉଥିବା ବଡ଼ଘାଗରା ଡ୍ୟାମ୍‌ ଶୁଖି ଯାଇଛି। ଫଳରେ ଶୋଷିଲା ରହିଛି ଅଧା ସହର। ଖରାଦିନ ଆରମ୍ଭରୁ କଳକଷ୍ଟ ହୋଇଥିଲା। ବିଭିନ୍ନ ନଈ, ନାଳ କେନାଲ ଶୁଖି ଯାଇଥିବାବେଳେ ଜଳଭଣ୍ଡାର ମଧ୍ୟ ଶୁଖିବା ଆରମ୍ଭ ହୋଇଥିଲା। ତଥାପି ଜଳ ସଙ୍କଟ ଟଳିଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ତାହା ହେଲା ନାହିଁ। ବଡ଼ଘଗରା ଡ୍ୟାମ୍‌ ଉପରେ କେନ୍ଦୁଝର ସହରର ଜଳ ଯୋଗାଣ ବ୍ୟବସ୍ଥା ଯୋଡ଼ିହୋଇ ରହିଛି। ଏହି ଡ୍ୟାମ୍‌ରୁ ସହରର ଅଧେ ବାସିନ୍ଦା ପାଣି ପାଇଥାନ୍ତି। ତଥ୍ୟ ଅନୁସା‌ରେ, ଏହି ଡ୍ୟାମ୍‌ର ସଂପୂର୍ଣ୍ଣ ଜଳଧାରଣ କ୍ଷମତା ୧୯୬୨ ଆରଏଲ (ରେଡିୟସ ଲେଭଲ)। ଏପ୍ରିଲ୍‌ ମାସରେ ସାଧାରଣତଃ ଏହି ଡ୍ୟାମ୍‌ରେ ୧୯୩୨ ଆରଏଲ ଜଳ ରହିବା କଥା। ତେବେ, ଡ୍ୟାମରେ ୧୯୨୬ ଆରଏଲ ରହିଥିଲା। ମେ ମାସରେ ଏହା ସଂପୂର୍ଣ୍ଣ ନିମ୍ନସ୍ତରରେ ପହଞ୍ଚିଥିଲା ବେଳେ ଜୁନ୍‌ ମାସରେ ଏହା ସଂପୂର୍ଣ୍ଣ ଶୁଖି ଯାଇଛି।

Advertisment

କେନ୍ଦୁଝର ସହରକୁ ପାଣି ଯୋଗାଉଥିବା ଜନସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବଡ଼ଘାଗରା ଜଳଭଣ୍ଡାରରୁ କେନ୍ଦୁଝର ସହରକୁ ପ୍ରତିଦିନ ୬୦ ଲକ୍ଷ ଲିଟର ଜଳ ଯୋଗାଣ ହୋଇଥାଏ। ଜଳସ୍ତର କମିଯିବା କାରଣରୁ ଗତ ଏପ୍ରିଲ୍‌ ମାସରେ ପ୍ରାୟ ୧୦ ଲକ୍ଷ ଲିଟର କମ୍‌ ପାଣି ଏହି ଜଳଭଣ୍ଡାରରୁ ଆସୁଛି। ଅର୍ଥାତ୍‌ ପ୍ରତିଦିନ ୬୦ ଲକ୍ଷ ଲିଟର ବଦଳରେ ୫୦ ଲକ୍ଷ ଲିଟର ପାଣି ସହରକୁ ଯୋଗାଣ ହେଉଥିଲା। ସେମିତି ମେ ମାସରେ ଆହୁରି କମିଗଲା। ଜୁନ୍‌ ମାସରେ ଗତ ତିନିଦିନଧରି ସହରକୁ ଜଳ ଯୋଗାଣ ବନ୍ଦ ହୋଇଗଲା।
ଅପରପକ୍ଷରେ ଅତି ଜରୁରୀ ପରିସ୍ଥିତିରେ ଜଳଭଣ୍ଡାରର ଡେଡ୍‌ ଷ୍ଟୋ‌ରେଜକୁ ବ୍ୟବହାର କରାଯାଏ। ସେଥିପାଇଁ ମଧ୍ୟ ଏହି ଜନସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି କରିଥିଲା। ଚାରୋଟି ବଡ଼ବଡ଼ ପମ୍ପସେଟ ଦ୍ବାରା ପମ୍ପିଂ କରି ପାଣି ଉଠାଇବାର ବ୍ୟବସ୍ଥା କରିଥିଲେ ବି ପାଣି ନ ଥିବାରୁ ତାହା ସମ୍ଭବ ହୋଇନାହିଁ।

ଖାଲି ଡ୍ୟାମ୍‌ ନୁହେଁ, ନଦୀନାଳ ଅବସ୍ଥା ମଧ୍ୟ ସମାନ। କେନ୍ଦୁଝରରେ ବୈତରଣୀକୁ ଛାଡ଼ିଦେଲେ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଛି ୨୦ରୁ ଊର୍ଦ୍ଧ୍ବ ଶାଖା ନଈ ଏବଂ ପାହାଡ଼ି ନାଳ। କୁଶେଇ, ମୂଷଳ, କାଣିଝରୀ, ଅରଡ଼େଇ, ସାନମାଛକାନ୍ଦଣା ଭଳି ଏକାଧିକ ପାହାଡ଼ି ନାଳ ଓ ନଈ ଉପ‌ରେ ଜିଲ୍ଲାର ହଜାରହଜାର ଜନବସତି ନିର୍ଭର କରିଥାନ୍ତି। ଏହି ସବୁ ପାହାଡି ନଦୀର ଜଳ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପାଇଁ ବର୍ଷାଦିନ ଛାଡ଼ିଦେଲେ ଖରାଦିନେ ପାଣି ମିଳୁନାହିଁ। ଏହି କାରଣରୁ ଖାଲି କେନ୍ଦୁଝର ସହର ନୁହେଁ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳକଷ୍ଟ ଲାଗି ରହିଛି।