କାମରେ ଆସୁନି ଆଡ଼ିବନ୍ଧ, ଜମିକୁ ମାଡ଼ୁନି ପାଣି

ହରିଚନ୍ଦନପୁର: ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ରହିଛି ଏକ ଆଡ଼ିବନ୍ଧ। ପୂର୍ବରୁ ଏହି ଆଡ଼ିବନ୍ଧ ପାଣିରେ ସ୍ଥାନୀୟ ଅଞ୍ଚଳର ଚାଷଜମି ଜଳସେଚିତ ହେଉଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପୋତି ହୋଇଯାଇଥିବାରୁ ୧୫ ବର୍ଷ ହେଲା ଜମିକୁ ପାଣି ମାଡ଼ି ପାରୁନି। ଫଳରେ ଚାଷୀ ହଇରାଣ ହେଉଛନ୍ତି।

ଏହି ଆଡ଼ିବନ୍ଧକୁ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ମାଣ କରିଥିଲା। କିଛି ବର୍ଷ ପରେ ଏହା ବ୍ଲକ୍‌କୁ ହସ୍ତାନ୍ତର କରାଯାଇଥିଲା। ୨୦ ବର୍ଷ ହେଲା ଆଡ଼ିବନ୍ଧଟି ବ୍ଲକ ଅଧୀନରେ ରହିଛି। ପୂର୍ବରୁ ଆଡ଼ିବନ୍ଧ ପାଣି ମୁଖ୍ୟ କେନାଲ ଦେଇ ଆସୁଥିଲା। ହରିଚନ୍ଦନପୁର ହାଇସ୍କୁଲ ପୋଖରୀ ନିକଟରୁ ଏହା ଦୁଇଟି ଶାଖା କେନାଲ ଦ୍ବାରା ଚାଷଜମିକୁ ପାଣି ପହଞ୍ଚୁଥିଲା। ଗୋଟିଏ ଶାଖା କେନାଲ ବାଳିକା ହାଇସ୍କୁଲ୍‌ ଓ ବିଦ୍ୟୁତ୍‌ କାର୍ଯ୍ୟାଳୟ ଦେଇ ଯାଇ ହରିଚନ୍ଦନପୁର ପଡ଼ିଆପଶି ଗ୍ରାମର ଜମିକୁ ଜଳସେଚିତ କରୁଥିଲା। ଅନ୍ୟଟି ହରିଚନ୍ଦନପୁର ପଞ୍ଚାୟତ କାର୍ଯ୍ୟାଳୟ ଓ ଥାନା ଦେଇ ଯାଇ ତଳବଜାରର ଚାଷଜମିକୁ ଜଳସେଚିତ କରୁଥିଲା। ଉଭୟ କେନାଲ ଦ୍ବାରା ପ୍ରାୟ ଶହେ ଏକର ଜମି ଜଳସେଚିତ ହେଉଥିଲା।

ତେବେ ରକ୍ଷଣାବେକ୍ଷଣ ଅଭାବରୁ ୧୫ ବର୍ଷ ହେଲା କେନାଲରେ ପାଣି ଆସୁନାହିଁ। ଆଡ଼ିବନ୍ଧର ସ୍ଲୁଇସ୍‌ ଗେଟ୍‌ ଖୋଲା ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ କେନାଲ ଭାଙ୍ଗିରୁଜି ଯାଇଛି। ବହୁବର୍ଷ ଧରି ସଫା ହୋଇ ନଥିବାରୁ ଅନାବନା ଗଛ ଉଠି କେନାଲ ପୋତି ହୋଇଯାଇଛି। ଫଳରେ ଚାଷ ପ୍ରଭାବିତ ହେଉଛି। ଚାଷୀମାନେ ବର୍ଷା ଉପରେ ନିର୍ଭର କରୁଛନ୍ତି। ଅନ୍ୟପକ୍ଷରେ ଜମିକୁ ପାଣି ମାଡ଼ୁ ନଥିଲେ ମଧ୍ୟ ଚାଷୀମ‌ାନେ ଜଳକର ଦେଉଥିବା କହିଛନ୍ତି। ସେହିପରି ଅଧିକ ବର୍ଷା ହେଲେ କେନାଲରେ ପାଣି ଆସି ହରିଚନ୍ଦନପୁର ହାଇସ୍କୁଲ୍‌ ନିକଟ ପୋଖରୀ ଏବଂ ବାଳିକା ହାଇସ୍କୁଲ୍‌ ନିକଟରେ ଘାଇ ସୃଷ୍ଟି କରି ଜଗବନ୍ଧୁ ସାହୁଙ୍କ ଚାଷଜମିକୁ ବାଲିଚର କରିଥାଏ। ଏହାଛଡ଼ା ବଜାର ପାଣି ମଧ୍ୟ ଶ୍ରୀ ସାହୁଙ୍କ ଚାଷଜମିରେ ପଶିଥାଏ। ଶ୍ରୀ ସାହୁ କେନାଲ ମରାମତି ପାଇଁ ବ୍ଲକ୍‌ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରତିବର୍ଷ ଚାଷଜମିରୁ ବାଲି ବାହାର କରିବା ପାଇଁ ଶ୍ରୀ ସାହୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କିଛି ସ୍ଥାନରେ କେନାଲ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ତୁରନ୍ତ ଆଡ଼ିବନ୍ଧ ଓ କେନାଲ ମରାମତି କରି ଚାଷଜମିକୁ ଜଳସେଚିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର