ଡମଶାଳ ନାଳ ପ୍ରଦୂଷିତ, ଖଣି ଅଞ୍ଚଳବାସୀଙ୍କ ଦେହରେ କ୍ରୋମିୟମ ବିଷ

କାଳିଆପାଣି: ଆମେରିକାର ବ୍ଲାକ୍‌ସ୍ମିଥ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ବିଶ୍ବ ପ୍ରଦୂଷଣ ଉପରେ ପାଖାପାଖି ୫ ବର୍ଷ ତଳୁ ପ୍ରକାଶ ପାଇଥିବା ଚାଞ୍ଚଲ୍ୟକର ରିପୋର୍ଟ ଆଧାରରେ ବିଶ୍ବର ସର୍ବାଧିକ ୧୦ଟି ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ସୁକିନ୍ଦା କ୍ରୋମ୍‌ ଉପତ୍ୟକା ଅନ୍ୟତମ। ଏହାକୁ ସୁକିନ୍ଦାର ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଫୁଲ ଚନ୍ଦ୍ର ଘଡ଼ାଇ ସ୍ବୀକାର କରିବା ସହ ଏହା ଉପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ ଏପ୍ରିଲ୍‌ ୧୬ ତାରିଖ ଏକ ସାଧାରଣ ବିଜ୍ଞପ୍ତି ଜରିଆରେ ସେ ଗ୍ରିନ୍ ପିସ୍ ଇଣ୍ଡିଆ ସର୍ଭେ ରିପୋର୍ଟ ଅବତାରଣା କରିଥିଲେ। ତାଙ୍କ ମନ୍ତବ୍ୟରେ ସେ ଉଲ୍ଲେଖ କରିଥିଲେ ଯେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ୱାଟର ମ୍ୟାନେଜମେଣ୍ଟ୍‌ ୨୦୧୮ ମସିହା ସର୍ଭେ ରିପୋର୍ଟ ଅନୁଯାୟୀ ସୁକିନ୍ଦାର ୭୦ ପ୍ରତିଶତ ଜଳ ଓ ୨୮ ପ୍ରତିଶତ ଜମି କୃଷିକାର୍ଯ୍ୟ ପାଇଁ ଅନୁପଯୁକ୍ତ ଅଟେ। ପ୍ରଦୂଷିତ ଜଳ ବ୍ୟବହାର ଦ୍ବାରା ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀ ଆଲର୍ଜି, ଅଲ୍ସର, ଗ୍ୟାଷ୍ଟ୍ରିକ୍‌, ମସ୍ତିଷ୍କ ରୋଗ, ଲିଭର ଓ କିଡ୍‌ନି ଭଳି ରୋଗରେ ଆକ୍ରାନ୍ତହୋଇ ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ଅଧିକାଂଶ ଚାଷଜମି ଅନୁର୍ବର ହୋଇ ଲକ୍ଷଲକ୍ଷ ହେକ୍ଟର ଜମି ପଡ଼ିଆ ପଡ଼ୁଥିବାର ନଜିର ରହିଛି। ଗଛର ଡାଳପତ୍ରରେ ମାତ୍ରାଧିକ ଧୂଳି ଜମିରହିବା ଦ୍ବାରା ଜଙ୍ଗଲ ବୃଦ୍ଧିରେ ବାଧା ସୃଷ୍ଟି ହେଉଛି। ଏ ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ବନ ବିଭାଗ ଓ ଖଣି କର୍ତ୍ତୃପକ୍ଷ ଯଥାଶୀଘ୍ର ଆକ୍ସନ ପ୍ଲାନ ପ୍ରସ୍ତୁତକରି ବିହିତ ପଦକ୍ଷେପ ନେବାକୁ ଶ୍ରୀ ଘଡ଼ାଇ ଆହ୍ବାନ ଦେଇଥିଲେ। ବ୍ଲାକ୍ ସ୍ମିଥ୍‌ ଇନଷ୍ଟିଚ୍ୟୁଟ୍‌ ତଥ୍ୟ କହୁଛି ‌ଯେ, ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ବ୍ୟାପକ ଖଣି ଖନନ ଦ୍ବାରା ୩ କୋଟି ମେଟ୍ରିକ୍‌ ଟନରୁ ଅଧିକ ଉତ୍ତୋଳିତ ବର୍ଜ୍ୟ ମାଟି ଓ ଧାତବ ଖଣିଜ ପଦାର୍ଥ ପାରିପାର୍ଶ୍ବିକ ଅଞ୍ଚଳର ବିଭିନ୍ନ ଜମି, ଡମଶାଳ ନାଳ ଓ ବ୍ରାହ୍ମଣୀନଦୀ ଅବବାହିକାରେ ପଡ଼ି ରହିଛି। ଧାତବ କ୍ରୋମାଇଟ୍‌ ଜଳ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ମାରାତ୍ମକ ବିଷ ହେକ୍ସାଭ୍ୟାଲେଣ୍ଟ୍‌ କ୍ରୋମିୟମ୍‌ରେ ରୂପାନ୍ତରିତ ହୋଇଥାଏ।

୧୯୫୦ ମସିହାରେ ଖଣି ଖନନ ଦିନରୁ କ୍ରୋମ୍‌ ଉପତ୍ୟକାର ମଧ୍ୟସ୍ଥଳରେ ପ୍ରବାହିତ ଚିରସ୍ରୋତା ଡମଶାଳ ନାଳ ଅତିମାତ୍ରାରେ ପ୍ରଦୂଷିତ ହୋଇଆସିଥିବା ସାଧାରଣରେ ଅଭିଯୋଗ ହୋଇଆସିଛି। ଡମଶାଳ ନାଳର ଜଳ ସଂସ୍ପର୍ଶରେ ଆସିବା ଦ୍ବାରା ଡମଶାଳର ଉତ୍ପତ୍ତିସ୍ଥଳ ରାଇଘାଟିର ତଳମୁଣ୍ଡକୁ ଥିବା ‌ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୭୦ ରୁ ଅଧିକ ଗାଁ ଟୁଙ୍ଗେଇଶୁଣି, କଅଁସ, ବାଲିପଡ଼ା, ପେଣ୍ଠସାହି, କମର୍ଦ୍ଦା, ଗୁରୁଜଙ୍ଗ, ପାଟଣା, ଓସ୍ତିଆ, ଓସ୍ତପାଳ, ସାରୁଆବିଲ, କୋଇପଶି, କାଳିଆପାଣି, ଚିରିଗୁଣିଆ, ଚିଙ୍ଗୁଡ଼ିପାଳ, ବେଣାଗାଡ଼ିଆ, ଘାଗିଆସାହି, ରଙ୍ଗମାଟିଆ, ଗୋଡ଼ିସାହି, ଭୀମଟାଙ୍ଗର, କାଠପାଳ, ଭାଲୁଟାଙ୍ଗର, ମହୀଧରପୁର, କହ୍ନେଇପାଳ, ବରଗଜୀ, ବଡ଼କାଠିଆ, ଓଡ଼ିଶ, ରାଁସୋଳ, କୃଷ୍ଣପୁର, ସାପୁଆ, ଖୋକସା, ପଳାସପିଠିଆ ଗୋଡ଼ା, କଅଁସର ‌ଗୋଡ଼ା, ବାରୁଆଁ, ରାମକୃଷ୍ଣପୁର, ସାମଳ, ମଣିପୁର, ମାର୍ଥାପୁର ଶାସନ, ନୂଅ୍ରାଗାଁ, ଦୟଣାବିଲି, ଗବଗ‌ୋଡ଼ା, ଶ୍ରୀରାମପୁର, ପାଟପୁର, ଟିପିଲେଇ, ମଠକ‌ରଗୋଳା, ସୁରପ୍ରତାପପୁରର ଗ୍ରାମବାସୀମାନେ ଉପରୋକ୍ତ ରୋଗର ଶିକାର ହୋଇଆସିଛନ୍ତି।

ଡମଶାଳ ନାଳ‌ ଢେଙ୍କାନାଳ ଜିଲ୍ଲାର ମାର୍ଥାପୁରରେ ବ୍ରାହ୍ମଣୀ ନଦୀରେ ମିଶିଥିବାରୁ ନଦୀ ଅବବାହିକାରେ ବସବାସ କରୁଥିବା ଅଧିବାସୀଙ୍କ ଉପରେ ଏହାର କୁପ୍ରଭାବ ପରିଲକ୍ଷିତ ହୋଇଛି। ବର୍ଷବର୍ଷ ଧରି ଶହଶହ କିଡ୍‌ନି ଓ କ୍ୟାନସର୍ ରୋଗୀ ପୋକମାଛି ଭଳି ଅକାଳରେ ମରିଛନ୍ତି।    ସୁକିନ୍ଦା ‌କ୍ରୋମ୍‌ ଉପତ୍ୟକାରେ ସ୍ବାସ୍ଥ୍ୟାବସ୍ଥା ଉପରେ ଗତ କିଛିବର୍ଷ ତଳେ ନରୱେ ସରକାରଙ୍କ ଅନୁଦାନରେ ଓଡ଼ିଶା ଭଲ୍ୟୁଣ୍ଟାରି ହେଲ୍‌ଥ ଆସୋସିଏସନ୍‌(ଓଭା)  ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ। ଖଣିଅଞ୍ଚଳର ୮୪.୩୯ ପ୍ରତିଶତ ଲୋକଙ୍କ ମୃତ୍ୟୁ କେବଳ କ୍ରୋମ୍‌ ପ୍ରଭାବିତ ରୋଗ ଯୋଗୁ ହୋଇଥାଏ ବୋଲି ଓଭା ଦର୍ଶାଇଥିଲା। ଅର୍ଥାତ ଖଣି ପାରିପାର୍ଶ୍ବିକ ଅଞ୍ଚଳରେ ମାତ୍ର ୧୫ ପ୍ରତିଶତ ଲୋକଙ୍କର ସ୍ବାଭାବିକ ମୃତ୍ୟୁ ‌ହୋଇଥାଏ।

ବାସ୍ତବ ତଥ୍ୟ ଆଧାରରେ ଦିନକୁ ଦିନ ଡମଶାଳ ଅଧିକ ମାତ୍ରାରେ ପ୍ରଦୂଷିତ ହେଉଥିବା ସ୍ଥଳେ ଏହା ଏବେ ପ୍ରଶାସନର ନିୟନ୍ତ୍ରଣରେ ନଥିବା ଅଭିଯୋଗ ହୋଇଛି। ଅର୍ଥାତ୍ ଦିନକୁ ଦିନ କ୍ରୋମ୍‌ ପ୍ରଭାବିତ ରୋଗୀ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଖଣି ଅଞ୍ଚଳର ବହୁ ପୁରୁଖା ବ୍ୟକ୍ତି ମତ ରଖିଛନ୍ତି। ଏ ସଂପର୍କରେ ଓଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ନିର୍ଦ୍ଦିଷ୍ଟ କିଛି ଖଣି କର୍ତ୍ତୃପକ୍ଷ ଖଣି ପରିଚାଳନା କ୍ଷେତ୍ରରେ ପ୍ରଦୂଷଣ ଆଇନର ଉଲଂଘନ କରୁଥିବା ତାଙ୍କ ନଜରକୁ ଆସିଛି। ଏ ଦିଗରେ ତାଙ୍କ ଉପରେ ସମୟସୀମା ଧାର୍ଯ୍ୟ ହୋଇଛି। ପରିସ୍ଥିତିରେ ସୁଧାର ନଆସିଲେ ସଂପୃକ୍ତ ଖଣି କମ୍ପାନି ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର