ଗଦାଧର ପଣ୍ଡା
ଯାଜପୁର: ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁର। ଖଣି, ପାଣି, ଲଘୁ ଖଣିଜ ସଂପଦର ଅସରନ୍ତି ଭଣ୍ଡାର। ଜିଲ୍ଲାର ସୁକିନ୍ଦାରେ ରହିଛି ବିଶ୍ବର ବୃହତ୍ କ୍ରୋମାଇଟ୍ ଖଣି। ଧର୍ମଶାଳାର କଳାପଥର ଖାଦାନ ଉପରେ ନିର୍ଭର କରୁଛି ରାଜ୍ୟର ନିର୍ମାଣ ଭିତ୍ତିଭୂମି। ଏଠାରେ ରହିଛି ଭାରତର ଅନ୍ୟତମ ଶକ୍ତିପୀଠ ବିରଜାକ୍ଷେତ୍ର ଏବଂ ଉଦୟଗିରି, ରତ୍ନଗିରି, ପୁଷ୍ପଗିରି ଭଳି ବିଶାଳ ବୌଦ୍ଧ ପର୍ଯ୍ୟଟନ ପୀଠ। କଳିଙ୍ଗନଗରରେ ଗଢ଼ିଉଠିଛି ଏସିଆ ମହାଦେଶର ବୃହତ୍ ଇସ୍ପାତ ରାଜଧାନୀ। ଲକ୍ଷେ କୋଟି ଟଙ୍କାର ପ୍ରକଳ୍ପ କଳେବରକୁ ଧରି ଠିଆ ହୋଇଛି କଳିଙ୍ଗନଗର ଇସ୍ପାତନଗରୀ। ସବୁଦୃଷ୍ଟିରୁ ଧନଧାନ୍ୟରେ ପରିପୂର୍ଣ୍ଣ ରତ୍ନଗର୍ଭା ଯାଜପୁର। ଚକ୍ଚକ୍ ରାସ୍ତା, ଆକାଶଛୁଆଁ ବ୍ଲାଷ୍ଟ୍ ଫର୍ଣ୍ଣେସ୍, ଦିନରାତି ଜଳୁଥିବା ନିଅନ୍ ଆଲୁଅ ଭିତରେ କିନ୍ତୁ ଜିଲ୍ଲାରେ ଭୋକର ଅନ୍ଧକାର ଛାଇଯାଇଛି। ନଗଡ଼ାର ଅପପୁଷ୍ଟି ଅପବାଦ ଜିଲ୍ଲାବାସୀଙ୍କୁ ଲଜ୍ଜିତ କରିଛି। ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟର ବିକଳ ଚିତ୍ର ସମସ୍ତଙ୍କୁ ବିସ୍ମିତ କରିଛି। ବହୁବର୍ଷ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଯାଜପୁର ନେତାଙ୍କ ଭୂମିକା ଜିଲ୍ଲାବାସୀଙ୍କ ବିକାଶରେ ସହାୟକ ହୋଇନାହିଁ। ଏତେ ସମୃଦ୍ଧ ଜିଲ୍ଲାରେ ଭୋକର ଚିତ୍ର ବି ଜଳଜଳ ହୋଇ ଦିଶୁଛି। ଜିଲ୍ଲାର ମୋଟ ଜନସଂଖ୍ୟାର ୮୪.୧୫ ପ୍ରତିଶତ ଲୋକ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରୁ ମିଳୁଥିବା ଚାଉଳ ଉପରେ ନିର୍ଭର କରୁଛନ୍ତି। ଶିଳ୍ପ କାରଖାନା, ଖଣି ପାଇଁ ଚାଷବାସ ଉଜୁଡ଼ି ଯାଇଛି। ନେତାଙ୍କ ସମ୍ପତ୍ତି ବଢ଼ିଛି, ହେଲେ ଜିଲ୍ଲାବାସୀ ଯେଉଁ ଗରିବକୁ ସେହି ଗରିବ।
୮୪% ଲୋକଙ୍କ ପେଟକୁ ସାହା ରାସନ୍ ଚାଉଳ
ନେତାଙ୍କ ସମ୍ପତ୍ତି ବଢ଼ିଛି, ଜିଲ୍ଲାବାସୀ ଏବେ ବି ଗରିବ
ଲକ୍ଷେ କୋଟିର ଶିଳ୍ପ ଛାଇ ତଳେ ଦାରିଦ୍ର୍ୟ, ଅପପୁଷ୍ଟି
ତଥ୍ୟ ମୁତାବକ, ଯାଜପୁର ଜିଲ୍ଲାର ମୋଟ ଜନସଂଖ୍ୟା ୧୮ଲକ୍ଷ ୨୬ହଜାର ୨୭୫ଥିବା ବେଳେ ୧୫ଲକ୍ଷ ୩୮ହଜାର ୩୫୮ଜଣ ଲୋକ ରାସନ୍ କାର୍ଡ ଚାଉଳ ଉପରେ ନିର୍ଭର କରୁଛନ୍ତି। ସେହିପରି ଜିଲ୍ଲାର ମୋଟ ୪ଲକ୍ଷ ୭ହଜାର ପରିବାର ମଧ୍ୟରୁ ୪ଲକ୍ଷ ୨ହଜାର ପରିବାର ରାସନ୍ ଚାଉଳ ଉପରେ ନିର୍ଭରଶୀଳ। ଏହାଛଡ଼ା ୪୫ ହଜାର ୨୮୦ପରିବାର ଅନ୍ନପୂର୍ଣ୍ଣା ଅନ୍ତ୍ୟୋଦୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରାସନ୍ ନେଉଛନ୍ତି। ଏହି ଯୋଜନାରେ ଜିଲ୍ଲାରେ ୧ଲକ୍ଷ ୪୫ହଜାର ୯୩ଜଣ ଲୋକ ନିର୍ଭର କରୁଛନ୍ତି। ଜିଲ୍ଲାରେ ୧ଲକ୍ଷ ୬୯ହଜାର ପରିବାର ବିପିଏଲ୍ ଶ୍ରେଣୀଭୁକ୍ତ। ରାସନ୍କାର୍ଡ ଉପରେ ନିର୍ଭର କରୁଥିବା ମୋଟ ସଂଖ୍ୟାରୁ ୧୪ଲକ୍ଷ ୬୬ହଜାର ୧୨୬ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଚାଉଳ ପାଉଥିବା ବେଳେ ୨୪ହଜାର ୧୨୫ପରିବାର ଅର୍ଥାତ ୭୨ ହଜାର ୨୩୨ଜଣ ଲୋକ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରୁ ଉପକୃତ ହେଉଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରୁ ୮୦.୨୦ ପ୍ରତିଶତ ଓ ରାଜ୍ୟ ଯୋଜନାରୁ ୩.୯୫ ପ୍ରତିଶତ ଲୋକ ଚାଉଳ ପାଉଛନ୍ତି। ଏଥିରୁ ଜିଲ୍ଲାର ଦାରିଦ୍ର୍ୟ ଚିତ୍ର ସ୍ପଷ୍ଟ।
ଜିଲ୍ଲାରେ ଚାଷ ଜମିର ଅଭାବ ନାହିଁ। ୧ଲକ୍ଷ ୪୨ହଜାର ହେକ୍ଟର ଚାଷଜମି ରହିଛି। ୧ଲକ୍ଷ ୧୧ହଜାର ହେକ୍ଟର ଜମିରେ ଧାନଫସଲ ହେଉଥିବା ବେଳେ ୩୫ ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ କରାଯାଉଛି। ଧର୍ମଶାଳା, ରସୁଲପୁର, ବଡ଼ଚଣା, ଯାଜପୁର ବ୍ଲକ୍ ପରିବା ଚାଷରେ ନାଁ କମେଇଛି। ଜିଲ୍ଲାରେ ଥିବା ୧୦ ବୃହତ୍ ଶିଳ୍ପ ଓ ଖଣିଖାଦାନ ଅର୍ଥରୁ ଜିଲ୍ଲା ଖଣିଜ ପାଣ୍ଠି ବିନର୍ବ୍ୟୟ କରାଯାଉଛି। ତଥାପି ଜିଲ୍ଲାକୁ ଦାରିଦ୍ର୍ୟ କଳଙ୍କ ଗ୍ରାସ କରିବା ପରିତାପର ବିଷୟ। ନଗଡ଼ା ଏବେ ବି ଗଣମାଧ୍ୟମର ଶିରୋନାମ ମଣ୍ଡନ କରୁଛି। ଏଠାରେ ବାସ କରୁଥିବା ୧ଲକ୍ଷ ୨୫ହଜାର ଆଦିବାସୀଙ୍କ ଜୀବନଜୀବିକା ଅତ୍ୟନ୍ତ ଦୟନୀୟ। ସୁକିନ୍ଦା, ଦାନଗଦୀ ବ୍ଲକ୍ରେ ମଧ୍ୟ ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି।