ତେଲକୋଇ : ପାରିବାରିକ କଳହକୁ କେନ୍ଦ୍ରକରି ବୋହୂ ଗରମ ପେଯ ପକାଇ ଦେବାରୁ ଶାଶୂ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତ ବନବିହାରୀପୁର ମୁଣ୍ଡାସାହିରେ। ଗୁରୁତର ଶାଶୂ ହେଲେ ସୁକୁମତି ମୁଣ୍ଡା (୫୦)। ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁକୁମତିଙ୍କ ପୁଅ ମଙ୍ଗଲ ଦେଢ଼ବର୍ଷ ତଳେ ଦେଉଳଡିହା ଗ୍ରାମର ଲକ୍ଷ୍ମୀ ମୁଣ୍ଡାଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ଶାଶୂବୋହୂଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା।
ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଆଜି ଅପରାହ୍ଣରେ ବୋହୂ ଲକ୍ଷ୍ମୀଙ୍କୁ ଶାଶୂ ସୁକୁମତି ପେଯ ପିଇବା ପାଇଁ ମାଗିଥିଲେ। ବୋହୂ ପେଯ ଟିକେ ପିଇବାକୁ ଦେବା ବଦଳରେ ଚୁଲିରେ ଫୁଟୁଥିବା ଭାତରୁ ଗରମ ପେଯ ବାହାର କରି ଆଣି ଶାଶୂଙ୍କ ଉପରେ ଢାଳି ଦେଇଥିଲା। ଫଳରେ ଶାଶୂ ସୁକୁମତି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହି ଘଟଣା ପରେ ବୋହୂ ଶାଶୂଙ୍କୁ ଛାଡ଼ି ବାପଘରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ସୁକୁମତିଙ୍କୁ ଉଦ୍ଧାର କରି ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।