ରେମୁଣା: ବାପ ସମାନ ଶ୍ବଶୁରଙ୍କୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ବୋହୂ। ମୃତକ ହେଲେ ରେମୁଣା ଥାନା ବଡ଼ପାଳ ପଞ୍ଚାୟତ କାକବରାଇ ଗ୍ରାମର ରଘୁନାଥ ଜେନା (୭୫)। ଗୁରୁବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ରେମୁଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମୃତ ରଘୁନାଥ ଜେନାଙ୍କ ପରିବାର କହିଲେ ପତ୍ନୀ, ୨ ପୁଅ, ୨ ବୋହୂ ଓ ୨ ନାତିନାତୁଣୀ। ରଘୁନାଥ ବଡ଼ପୁଅ ଗଣେଶ୍ବର ଓ ବଡ଼ବୋହୂଙ୍କ ନିକଟରେ ରହୁଥିବା ବେଳେ ପତ୍ନୀ ନେତ୍ରମଣି ସାନପୁଅ ଅଜୟ ଓ ବୋହୂ ମମତାଙ୍କ ସହ ସେହି ଗାଁରେ ଅନ୍ୟ ଏକ ଜାଗାରେ ରହୁଥିଲେ। ଆଜି ସକାଳେ ରଘୁନାଥଙ୍କ ରକ୍ତ ଜୁଡ଼ୁବୁଡୁ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସମୟରେ ବଡ଼ବୋହୂ ପଦ୍ମାବତୀ ସନ୍ଦେହଘେରକୁ ଆସିଥିଲେ। ପୁଲିସ ତାଙ୍କୁ ଓ ତାଙ୍କ ସ୍ବାମୀ ଗଣେଶ୍ବରଙ୍କୁ ଥାନାକୁ ଆଣି ପଚରାଉଚରା କଲାବେଳେ ବଡ଼ବୋହୂ ଗତକାଲି ରାତି ୧୨ଟା ପରେ ଏକ ବାଉଁଶରେ ଶ୍ବଶୁରଙ୍କ ମୁଣ୍ଡକୁ ଭୁସି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ତାଙ୍କ ସ୍ବାମୀ ଘରେ ନଥିବା ବେଳେ ଶ୍ବଶୁର ତାଙ୍କୁ ଖରାପ ଦୃଷ୍ଟିରେ ଦେଖିବା ସହ ଅଭଦ୍ରୋଚିତ ବ୍ୟବହାର କରୁଥିଲେ। ଏଥିରେ ଅତିଷ୍ଠ ହୋଇ ସେ ଏପରି ପନ୍ଥା ଆପଣେଇଥିବା ସଫେଇ ଦେଇଥିଲେ ପଦ୍ମାବତୀ।
ଅନ୍ୟପକ୍ଷରେ ବଡ଼ପୁଅ ଗଣେଶ୍ବର ଘଟଣା ସଂପର୍କରେ କିଛି ଜାଣିନଥିବା କହିବା ସହ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ପଛରେ ଅଭିଯୁକ୍ତ ବଡ଼ବୋହୂର ବୟାନ ସତ ନା ଏହା ପଛରେ ଆଉ କିଛି ରହସ୍ୟ ଲୁଚିରହିଛି, ସେ ସଂପର୍କରେ ନାନା କଥା ଶୁଣିବାକୁ ମିଳୁଛି। ପଦ୍ମାବତୀ ଏକୁଟିଆ ଏହି ଘଟଣା ଭିଆଇଛନ୍ତି ନା ତାଙ୍କ ସହ ଆଉ କେହି ଥିଲେ, ତାକୁ ନେଇ ବି ଗାଁରେ ଚର୍ଚ୍ଚା। ମୃତକଙ୍କ ବଡ଼ପୁଅ ବାହାରେ ରହୁଥିବା ବେଳେ ଏହାର ସୁଯୋଗରେ ବଡ଼ବୋହୂ କୁଆଡ଼େ ଅନ୍ୟଜଣେ ଯୁବକଙ୍କ ସହ ଅନୈତିକ ସଂପର୍କରେ ଲିପ୍ତ ଥିଲେ। ଏ ସଂପର୍କରେ ଜାଣିବା ପରେ ଶ୍ବଶୁର ରଘୁନାଥ ଜେନା ବଡ଼ବୋହୂ ଉପରେ ଉତ୍କ୍ଷିପ୍ତ ହୋଇଥିଲେ ଓ ପୁଅକୁ ସବୁ କଥା କହିଦେବେ ବୋଲି ଧମକ ବି ଦେଇଥିଲେ। ଆଜି ବଡ଼ପୁଅ ଘରକୁ ଆସିଥାନ୍ତେ। କିନ୍ତୁ ତା’ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ବଡ଼ବୋହୂ ଓ ଉକ୍ତ ଯୁବକ ମିଶି ଶାବଳରେ କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ଭୁସି ହତ୍ୟା କରିଥିବା ଗାଁରେ ଚର୍ଚ୍ଚା ହେଉଛି। ଏ ନେଇ କେସ୍ ନମ୍ବର ୬୦/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ରେମୁଣା ଥାନା ପକ୍ଷରୁ କୁହାଯାଇଛି।