ପୋଖରୀରୁ ଦାଦା-ପୁତୁରାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସନ୍ଦେହ

ବ୍ରହ୍ମବରଦା: ଯାଜପୁର ସଦର ଥାନା ଅର୍ଥଙ୍ଗା ପଞ୍ଚାୟତ ଅଳପୁଆ ଗାଁର ଏକ ପୋଖରୀରୁ ଆଜି ଅପରାହ୍‌ଣରେ ସନ୍ଦେହଜନକ ଭାବେ ଦାଦା-ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ହେଲେ ସାମନ୍ତରାପୁର ପଞ୍ଚାୟତ ରଶୁଣା ନରହରିପୁର ଗ୍ରାମର ଅନାମ ମଳିକ (୬୦) ଓ ଶୁକଦେବ ମଳିକ (୩୨)। ଗତ ସୋମବାରଠାରୁ ଦୁହେଁ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ନିଖୋଜ ସଂପର୍କରେ ଯାଜପୁର ସଦର ଥାନାରେ ଆଜି ସକାଳେ ଅଭିଯୋଗ କରିଥିଲେ। ଆଜି ଅପରାହ୍‌ଣରେ ଏହି ପୋଖରୀରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ରୁଣ୍ତ ହୋଇଥିଲେ। ପରିବାର ଲୋକ ପରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ଖବର ପାଇ ଯାଜପୁର ସଦର ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ର ସଦଳବଳେ ପହଞ୍ଚିଥିଲେ। ବରୀ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଦାଦା ଅନାମ ଓ ପୁତୁରା ଶୁକଦେବ ଗତ ସୋମବାର ପାଖାପାଖି ୧୧ଟା ରାତିରେ ଜାଲ ନେଇ ମାଛ ଧରିବାକୁ ସେହି ଗ୍ରାମର ପ୍ରଶାନ୍ତ ମଲିକ ଓରଫ ଡାକୁଙ୍କ ସହିତ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦାଦା-ପୁତୁରା ଘ​ରକୁ ଫରି ନଥିଲେ। ଆଜି ପୋଖରୀରେ ମୃତଦେହ ମିଳିବା ପରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ଦୁହେଁ ମାଛ ଧରୁଥିବା ବେଳେ ପୋଖରୀରେ ଖସିପଡ଼ି ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ ସେମାନେ ମାଛ ଧରିବାରେ ପାରଙ୍ଗମ ଥିବାରୁ ଏକାସଙ୍ଗେ ପାଣିରେ ବୁଡ଼ି ମୃତ୍ୟୁ ହେବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯାଜପୁର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଡାକୁ ମଳିକକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ଏବଂ ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ମାନସ ରଂଜନ ଚକ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର