ଆନନ୍ଦପୁର: ଦୀର୍ଘ ୧୮ ଘଣ୍ଟା ଧରି ଡାକ୍ତରଖାନା ବାରଣ୍ଡାରେ ଶବ ପଡ଼ି ରହିବା ପରେ ବ୍ୟବଚ୍ଛେଦ ନ ହେବାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ଘସିପୁରା ଥାନା ଢିଙ୍କିଆ ଗ୍ରାମର ସୁବ୍ରତ କୁମାର ସାହୁଙ୍କ ରେମାଳ ଡ୍ୟାମ୍ରେ ବୁଡ଼ି ଜୀବନ ଯାଇଥିଲା।
ସେଦିନ ସନ୍ଧ୍ୟା ହୋଇଯିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନଥିଲା। ଡାକ୍ତରଖାନା ପକ୍ଷରୁ ଏନେଇ ଘସିପୁରା ପୁଲିସକୁ ଅବଗତ କରାଯାଇଥିଲା। ଘଟଣାଟି ହରିଚନ୍ଦନପୁର ଥାନା ଅଞ୍ଚଳରେ ହୋଇଥିବାରୁ ଘସିପୁରା ପୁଲିସ ପକ୍ଷରୁ ସମ୍ପୃକ୍ତ ଥାନାକୁ ଅବଗତ କରାଯାଇଥିଲା। ହରିଚନ୍ଦନପୁର ପୁଲିସ ଶନିବାର ସକାଳୁ ପହଞ୍ଚି ମୃତଦେହ ପଞ୍ଚନାମା କରିଥିଲା। କିନ୍ତୁ ବ୍ୟବଚ୍ଛେଦ ପାଇଁ ଡାକ୍ତର ଧରାଛୁଆଁ ଦେଇନଥିଲେ। ଏନେଇ ଡାକ୍ତରଖାନା ଅଧୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।