ବୁର୍ଲା: ଆଜି ସହରର ଏକ ଘରୋଇ ନର୍ସିଂହୋମ୍ର ଜଣେ କର୍ମଚାରୀଙ୍କ ମୃତଦେହ ମହତାବନଗର ପୁଲିସ ଫାୟରିଂ ରେଞ୍ଜ ପଡ଼ିଆ ପାଖ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନସ୍ଥ ଲାଦେରପାଲି ଅଞ୍ଚଳର ବିବେକାନନ୍ଦ ଗଡ଼ିତିଆ (୩୯) ଏବଂ ସେ ଏକ ଘରୋଇ ନର୍ସିଂ ହୋମ୍ରେ ଓଟି ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ପୁଲିସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ୯ଟା ସମୟରେ ମହତାବନଗର ଫାୟାରିଂ ରେଞ୍ଜ ପଡ଼ିଆ ପାଖ ଜଂଗଲରେ ଜଣେ ବ୍ୟକ୍ତିଙ୍କ ଶବ ଥିବା ଖବର ପାଇ ସେଠାରେ ପହଂଚି ଥିଲେ। ସେଠାରେ ଏକ ଗଛରେ ସାଲାଇନ୍ ବନ୍ଧା ଯାଇଥିଲା। ଗଛ ତଳେ ହାତରେ ଭେନ୍ ଫ୍ଲୋ’ ଲାଗି ବିବେକାଙ୍କ ମୃତଦେହ ପଡ଼ିଥିଲା। ମୃତଦେହ ପାଖରେ ଇଞ୍ଜେକ୍ସନ ସିରିଞ୍ଜ ସହ କିଛି ନିଶ୍ଚେତକ ଔଷଧ ବୋତଲ, ଅନ୍ୟ କିଛି ଔଷଧ ବୋତଲ ରହିଥିଲା। ପୁଲିସ ଘଟଣାସ୍ଥଳରୁ ସର୍ବମୋଟ ୬ଟି ଔଷଧ ବୋତଲ ପୁଲିସ୍ ଜବତ୍ କରିଛି।
ଯେହେତୁ ବିବେକାନନ୍ଦ ଏକ ଓଟି ଷ୍ଟାଫ୍ ଥିଲେ, ତେଣୁ ତାଙ୍କୁ ଔଷଧ ସମ୍ପର୍କୀୟ ଜ୍ଞାନ ରହିଛି। ତେବେ, ସେ ନିଜେ ପ୍ରଥମେ ସମସ୍ତ ଔଷଧକୁ ଏକ ସିରିଂଜରେ ଭରି ସେଲାଇନ୍ରେ ପୂରାଇଥିବା ପୁଲିସ୍ ସନ୍ଦେହ କରୁଛି। ପ୍ରାଥମିକ ତଦନ୍ତରୁ ମଙ୍ଗଳବାର ରାତିରେ ବିବେକାନନ୍ଦ ନିଜ ପତ୍ନୀଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ସେ ରାଗି ଘରୁ ବାହାରି ଏପରି କାମ କରିଥିବା ପୁଲିସ୍ ସନ୍ଦେହ କରୁଛି। ଘଟଣାସ୍ଥଳରୁ ପୁଲିସ୍ର ସାଇଣ୍ଟିଫିକ୍ ଟିମ୍ ଓ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ପହଞ୍ଚି ସବୁଦିଗରୁ ତର୍ଜମା କରି ଆବଶ୍ୟକ ସାମଗ୍ରୀ ଜବତ କରିଛନ୍ତି। ପଞ୍ଚନାମା ପରେ ଶବର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଓ ଭିସେରା ରିପୋର୍ଟ୍ ମୃତ୍ୟୁ ପଛର ପ୍ରକୃତ ରହସ୍ୟ ଖୋଲିବ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।