କାଳିଆପାଣି : ଟ୍ରକ୍‌ ଚଳାଇ ପଶ୍ଚିମବଙ୍ଗର ଦୁର୍ଗାପୁର ଷ୍ଟିଲ୍‌ ପ୍ଲାଣ୍ଟ୍‌ ଯାଇଥିଲେ। ସେଠାରୁ ମୃତଦେହ ଫେରିଲା। ମୃତ ଡ୍ରାଇଭର ସୁକିନ୍ଦାଗଡ଼ର ରାଜୁ ଖାଁ ଓରଫ୍‌ ସୋନୁ(୫୪)। ୪ ଦିନ ମଧ୍ୟରେ ଭୋକଶୋଷରେ ଆଉଟୁପାଉଟୁ ହୋଇ ତାଙ୍କ ଜୀବନ ଚାଲିଗଲା ବୋଲି ଓଡ଼ିଶା ମୋଟର ଚାଳକ ମହାସଂଘ ଅଭିଯୋଗ ଆଣିଛି। ଘଟଣାର ନ୍ୟାୟିକ ତଦନ୍ତ ଓ କ୍ଷତିପୂରଣ ଦାବି କରାଯାଇଛି। ଗୁରୁବାର ଦିନ ସୁକିନ୍ଦାରେ ତାଙ୍କ ମରଶରୀର ଶୋଭାଯାତ୍ରା ଓ ଶେଷକୃତ୍ୟ ବେଳେ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ସୋନୁ ଗତ ୧୦ ତାରିଖରେ ଇମ୍ଫା ଚିଙ୍ଗୁଡ଼ିପାଳ କ୍ରୋମାଇଟ୍‌ ଖଣିରୁ କ୍ରୋମ୍‌ ପଥର ବୋଝେଇ କରିଥିଲେ। ଖଣିରେ ବୋଝେଇ ପରେ ଆବଶ୍ୟକ କାଗଜପତ୍ର ସଂଗ୍ରହ କଲା ବେ‌ଳକୁ ସନ୍ଧ୍ୟା ହୋଇଯାଇଥିଲା। ଚାଲାଣ ଦିଆଯାଉଥିବା ସ୍ଥାନରେ ଖାଇବା କିମ୍ବା ଚା’ ପିଇବାର ସୁବିଧା ନଥିଲା। ଅବ୍ୟବସ୍ଥା ମଧ୍ୟରେ ସେଦିନ ରାତିରେ ସୋନୁ ଟ୍ରକ୍ ଚଳାଇ ୧୧ ତାରିଖ ରାତିରେ ଦୁର୍ଗାପୁରରେ ପହଞ୍ଚିଥିଲେ। ୧୨ ତାରିଖ ଯାଞ୍ଚ ଶେଷ ପରେ ସେ ପ୍ଲାଣ୍ଟ୍‌କୁ ପ୍ରବେଶ କରିଥିଲେ। ସେଠାରେ ‌ମଧ୍ୟ ଖାଇବାପିଇବା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ୧୩ ତାରିଖ ଅପରାହ୍‌ଣରେ ଟ୍ରକ୍‌ ଡାଲାରୁ ପାଲ ଓ ଦଉଡ଼ି ଖୋଲୁଥିବା ବେଳେ ଭୋକ ଦାଉରୁ ଏକାଧିକବାର ଛନ୍ଦି ହୋଇଥିଲେ। ଏହା ମଧ୍ୟରେ ସୋନୁ ବେହୋସ ହୋଇ ଡାଲାରେ ପଡ଼ି ଯାଇଥିଲେ। ‌ପଛରେ ଥିବା ଟ୍ରକ୍‌ ଡ୍ରାଇଭର ହାତୀବାରି ଗାଁର ସନ୍ତୋଷ କୁମାର ସାହୁ ତାଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ସଂଜ୍ଞାହୀନ ଥିଲେ। ତାଙ୍କୁ ବଡ଼ଜୋରା ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଙ୍କୁଡ଼ା ପୁଲିସ ଶବ ଜବତକରି ଅପମୃତ୍ୟୁ ମାମଲା ରୁଜୁ କରିଛି। ଘରେ ତାଙ୍କ ବିଧବା ବୃଦ୍ଧା ମାଆ, ପତ୍ନୀ, ୨ ପୁଅ ଓ ଝିଅ ଏବେ ବେସାହାରା ହୋଇଯାଇଛନ୍ତି। ସରକାର ଓ କାରଖାନା ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଚାଳକ ମହାସଂଘ ଉପଦେଷ୍ଟା ସନ୍ତୋଷ କୁମାର ପଟ୍ଟନାୟକ ଦାବି କରିଛନ୍ତି।