ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚାଣ୍ଟିପଦର ଗାଁରେ ଅଂଜଳି ରଣା (୨୭ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରୁ ପୁଲିସ ଉଦ୍ଧାର କରିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ ପୁଲିସ ତାଙ୍କ ସ୍ବାମୀ ମନୋଜ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଗୋପାଳପୁର ଗାଁର ଅଭିମନ୍ୟୁ ରଣାଙ୍କ ଝିଅ ଅଂଜଳି ଚାଣ୍ଟିପଦର ଗାଁର ମନୋଜଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ଅଢେ଼ଇ ବର୍ଷର ପୁଅ ରହିଛି। ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁକୁ ଖେଳାଇବା ପାଇଁ ଅଞ୍ଜଳିଙ୍କ କୋଠରିକୁ ତାଙ୍କ ଶାଶୂ ଯାଇଥିଲେ। ସେହି ସମୟରେ ଅଂଜଳି ନିଜ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ବୋଲି ପରିବାର ଲୋକ‌େ ପୁଲିସକୁ କହିଛନ୍ତି।

Advertisment

ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରାତି ହୋଇଥିବାରୁ ଘରକୁ ତାଲା ପକାଇ ଦେଇଥିଲା। ବୁଧବାର ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଏସ୍‌ଆଇ ଭାନୁପ୍ରିୟା ମହାନ୍ତି ଓ କମଳ ଲୋଚନ ମାଝୀ ଓ ବଲାଙ୍ଗୀର ସାଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀରକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରପକ୍ଷରେ ମଙ୍ଗଳବାର ରାତିରେ ମୃତ ଅଞ୍ଜଳିଙ୍କ ବାପା ଅଭିମନ୍ୟୁ ରଣା ତାଙ୍କ ଝିଅଙ୍କୁ ମନୋଜ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମନୋଜଙ୍କୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡ଼ିବା ବୋଲି ପୁଲିସ କହିଛି।