ସମ୍ବଲପୁର: କ୍ଷେତରାଜପୁର ଥାନା ସମ୍ମୁଖ ମହାନଦୀ କୂଳରେ ଜଣେ ଯୁବକଙ୍କ ମୃତଦେହ ମିଳିଛି। ଶନିବାର ସକାଳେ କିଛି ଲୋକେ ଗାଧୋଇବାକୁ ଯାଉଥିବା ବେଳେ ପଥର ଉପରେ ଯୁବକ ପଡ଼ି ରହିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ କ୍ଷେତରାଜପୁର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଯୁବକଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ କ୍ଷେତରାଜପୁର ଥାନା ଚନ୍ଦନନଗରର ଦାଦୁ କୁମ୍ଭାର ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ପାଇଁ ପୁଲିସ ଦାଦୁଙ୍କ ମୃତଦେହକୁ ବୁର୍ଲା ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

Advertisment

ସୂଚନାନୁସାରେ, ଦାଦୁ ଗାଧୋଇବା ପାଇଁ ଯାଉଛି ବୋଲି କହି ଶୁକ୍ରବାର ସନ୍ଧ୍ୟାରେ ଘରୁ ମହାନଦୀକୁ ଯାଇଥିଲେ। ଆଉ ଫେରି ନଥିଲେ। ଶନିବାର ସକାଳେ ମହାନଦୀ କୂଳରେ ପଥର ଉପରେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ଏକ ଗାମୁଛା ପିନ୍ଧିଥିବା ବେଳେ ତାଙ୍କ ମୃତଦେହ ନିକଟରେ ପ୍ୟାଣ୍ଟ ଓ ସାର୍ଟ ପଡ଼ିଥିଲା।