ଶବାଗାରରେ ୧୮ ଘଣ୍ଟା ପଡିଲା: ଶବକୁ ସମ୍ମାନ ଦେଲାନି ପୁଲିସ

କୋରାପୁଟ/ଚନ୍ଦାହାଣ୍ଡି: ଘଣ୍ଟାଏ ନୁହେଁ କି ଦୁଇ ଘଣ୍ଟା ପ୍ରାୟ ୧୮ ଘଣ୍ଟାରୁ ଅଧିକ ସମୟ ହେଲା କୋରାପୁଟ ବଡ ମେଡିକାଲ ଶବାଗାରରେ ପଡି ରହିଛି ଏକ ଶବ। ଶନିବାର ରାତି ପ୍ରାୟ ୧ଟା୫୫ରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡି ଗାଁର ମନ ଜାନୀ(୪୦)ଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବଡ ମେଡିକାଲ ବିଟ୍ ହାଉସ ରବିବାର ସକାଳ ୯ଟାରେ ଶବ ଆଣି ଶବାଗାରରେ ରଖିଥିବାବେଳେ ରାତି ସାରା ଏହା ମେଡିକାଲରେ ପଡି ରହିଥିଲା। ରବିବାର ଚନ୍ଦାହାଣ୍ଡି ପୁଲିସ ଏଠାକୁ ଆସି ପାରି ନଥିବାରୁ ଶବବ୍ୟବଚ୍ଛେଦ ହୋଇପାରିନାହିଁ।

ସୋମବାର ଚନ୍ଦାହାଣ୍ଡି ପୁଲିସ ଆସିବା ପରେ ଶବ ବ୍ୟବଚ୍ଛେଦ ହେବା ସହ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର ହେବ। ତେବେ ରବିବାର ମନଙ୍କ ସ୍ତ୍ରୀ ବୁଧବାରୀ ଜାନି ଚନ୍ଦାହାଣ୍ଡି ଥାନାରେ ଏକ ହତ୍ୟା ଅଭିଯୋଗ କରିଛନ୍ତି। ଶନିବାର ଅପରାହ୍ନ ୪ଟାବେଳେ ରାସ୍ତାରେ ଯାଉଥିବାବେଳେ ମନଙ୍କୁ ନରେଶ ମାଝି ଓ ତାଙ୍କ ସହଯୋଗୀ ଗୁଡୁ ମାଝି, ବୁଟି ମାଝି ମାରପିଟ କରିଥିଲେ। କାଠ ଫାଳିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚନ୍ଦାହାଣ୍ଡି ମେଡିକାଲ ଓ ପରେ ନବରଙ୍ଗପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ମନଙ୍କୁ କୋରାପୁଟ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ରାତି ପ୍ରାୟ ୧ଟା ୫୫ରେ ମୃତ୍ୟୁ ଘଟିଥିଲା। ତେବେ ଏବେ ଯାଏ ଚନ୍ଦାହାଣ୍ଡି ପୁଲିସ ଅଭିଯୋଗ ଗ୍ରହଣ କରି ନ ଥିବାବେଳେ କେତେବେଳେ ଅଭିଯୋଗ ଗ୍ରହଣ କରିବ, କେତେବେଳେ ମାମଲା ରୁଜୁ କରିବ ଓ କେବେ ଚନ୍ଦାହାଣ୍ଡିରୁ କୋରାପୁଟ ଆସି ଶବକୁ ବ୍ୟବଚ୍ଛେଦ କରିବ ତାହାକୁ ନେଇ ନାନା ମତ ପ୍ରକାଶ ପାଇଛି।

ଏନେଇ ଚନ୍ଦାହାଣ୍ଡି ଥାନାଅଧିକାରୀ ପରମା ସୁନାନୀ କହିଛନ୍ତି ଯେ, ହତ୍ୟା ଖବର ମିଳିଛି। କିନ୍ତୁ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୁହୁଡି ଗାଁଟି ଥାନାଠାରୁ ପ୍ରାୟ ୨୫ କିମି ହେବ, ସେମାନେ ଥାନାକୁ ଆସି ଅଭିଯୋଗ ଦେବା ପରେ ଆମେ ସେଠାକୁ ଯାଇ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର