ଛତ୍ରପୁର : ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ମୃତ ମାଆଙ୍କୁ ନ୍ୟାୟ ମିଳିଲାନି। ଘଟଣାକୁ ୧୩ଦିନ ବିତି ଯାଇଥିଲେ ବି ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନି। ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମାନସିକ ଭାରସାମ୍ୟ ହରାଇ ଓ ମାଆକୁ ଝୁରି ଝୁରି ଆତ୍ମହତ୍ୟା କରିଛନ୍ତି ତାଙ୍କ ସାନପୁଅ।

Advertisment

ସେ ହେଉଛନ୍ତି ବିପୁଳିଙ୍ଗି ଗ୍ରାମ ବନସାହିର ରାଧାଶ୍ୟାମ ଚୌଧୁରୀଙ୍କ ସାନପୁଅ ଦେବାଶିଷ ପଣ୍ଡା (୨୬)। ଦେବାଶିଷ ଅଜାଙ୍କୁ ଦତ୍ତପୁତ୍ର ହୋଇ ଯାଇଥିବା ବେଳେ ସେ ବାହାରେ ରହି ଚାକିରି କରୁଛନ୍ତି। ଗଁାକୁ ଆସିଲେ ସେ ମାଆ ସୁପ୍ରଭାଙ୍କ ପାଖରେ ରହୁଥିଲେ। ଗତ ୧୫ ତାରିଖ ବିଳମ୍ବିତ ରାତିରେ ସୁପ୍ରଭା ଘରେ ଶୋଇଥିବା ସମୟରେ ତାଙ୍କ ବେକକୁ ଧାରୁଆଅସ୍ତ୍ରରେ କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହିସମୟରେ ତିନିପୁଅ ହାଇଦ୍ରାବାଦରେ ଥିବା ବେଳେ ମାଆଙ୍କ ମୃତ୍ୟୁ ଖବର ଜାଣି ଗାଁରେ ପହଞ୍ଚିଥିଲେ। ଗୋଟିଏ ପଟେ ସୁପ୍ରଭାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ଅନ୍ୟପଟେ ଏହି ମାମଲାର ତଦନ୍ତରେ କଣ ଅଗ୍ରଗତି ହୋଇଛି ତାହା ଜାଣିବାକୁ ଦେବାଶିଷ ବାରମ୍ବାର ବାପା ରାଧାଶ୍ୟାମଙ୍କ ସହ ପୁଲିସ ପାଖକୁ ଯାଉଥିଲେ। ‘ଖୋଳତାଡ଼ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ’ ବୋଲି ପୁଲିସ ପକ୍ଷରୁ ଚିରାଚରିତ ଢଙ୍ଗରେ ଉତ୍ତର ମିଳୁଥିଲା। ଫଳରେ, ଅଭିଯୁକ୍ତ ଗିରଫ ହେଉ ନଥିବାରୁ ନ୍ୟାୟ ମିଳିବନି କି ନାହିଁ, ଦେବାଶିଷ ସବୁବେଳେ ଦ୍ବନ୍ଦ୍ବରେ ରହିବା ସହ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ବି ଏହା ଜଣାଇଥିଲେ।

ଗତକାଲି ମାଆଙ୍କ ଦ୍ବାଦଶାହ କାର୍ଯ୍ୟ ସରିବା ପରେ ଦେବାଶିଷ ତାଙ୍କ ପରିବାରବର୍ଗ ଓ ସଂପର୍କୀୟଙ୍କ ଗହଣରେ ଶୋଇଥିଲେ। ରାତିଅଧରେ ଚାଉଳ ପୋକମରା ଔଷଧ ପିଇ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଛତ୍ରପୁର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେ‌ଳେ ଏନେଇ କେସ୍ ନମ୍ବର ୧/୨୦୨୩ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ, ସୁପ୍ରଭାଙ୍କୁ ଯେଉଁଭଳି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ପୁଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ଅନୁସନ୍ଧାନୀ କୁକୁର ଆସି ଖୋଳତାଡ଼ କରିଥିଲେ। କିନ୍ତୁ, ଆଜି ପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀକୁ ଧରିବା‌ରେ କାହିଁକି ବିଫଳ ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି।