କଅଁସରେ କୁପୋଷଣର ସାଂଘାତିକ ଚିତ୍ର: ଡାକ୍ତରଖାନା ବାରଣ୍ଡା ମାଡ଼ିନାହାନ୍ତି ମା’, ଶିଶୁ

କାଳିଆପାଣି : ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ନଗଡ଼ା ଅପପୁଷ୍ଟି ଘଟଣା ମନରୁ ନଯାଉଣୁ ପାଖାପାଖି ଅଞ୍ଚଳରେ ଆଉ କିଛି ଶିଶୁମାନଙ୍କ କ୍ଷେତ୍ରରେ ପୁଣି ସମାନ ଅବସ୍ଥା ପରିଲକ୍ଷିତ ହୋଇଛି। ଖାଦ୍ୟାଭାବରୁ ମାଳମାଳ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ କଅଁସ ବିଟ୍‌ସାହି ପାଖ ମହ୍ଲାର ବସ୍ତିରେ କୁପୋଷଣର ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି।

ବସ୍ତିରେ ରୁହନ୍ତି ଲବଙ୍ଗ ଓ ପଙ୍କ ଦେହୁରୀଙ୍କ ଦୁଇଝିଅ ଆଶା, ମାଇଁଆ। ଜହ୍ନ ଓ ହାଉଳା ଦେହୁରୀଙ୍କ ପୁଅ ସନିଆ, ଝିଅ ମାନସୀ ଓ ପତଲୁ; ଲିପି ଓ ପେଟା ଦେହୁରୀଙ୍କ ପୁଅ ଟିଙ୍କୁ, ଚିଣ୍ଟୁ; ଦ୍ରୌପଦୀ ଓ ଜଟିଆ ଦେହୁରୀଙ୍କ ଝିଅ ସୁକୁରୁମୁନି; ଅଲି ଓ ପଖଞ୍ଜ ଦେହୁରୀଙ୍କ ଝିଅ ରଶ୍ମିତା,ରାନୀ; ମନି(ଇବି) ଓ ଜାପାନି ଦେହୁରୀଙ୍କ ପୁଅ କିମନ; ଶିବୁ, ଦେବ ଓ ସୁରୁଯଙ୍କ ଝିଅ ଝୁମୁରି ବି ରହୁଛନ୍ତି। ମହାଗିରି ପାହାଡ଼ ତଳ ବସ୍ତିରେ ରହୁଥିବା ଏହି ୯ ଗୋଟି ମହ୍ଲାର ପରିବାର ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି। ସେମାନେ ରହୁଥିବା କୁଡ଼ିଆରେ କାନ୍ଥ କିମ୍ବା ଛପର ନାହିଁ। ଜଙ୍ଗଲରୁ କିଛି ବହ୍ଲା(କାଠଖୁଣ୍ଟ) କାଟି ଏହାକୁ ଭାଡ଼ି ଭଳି ତିଆରି କରିବାପରେ ଏହା ଉପରେ କିଛି ଡାଳ କିମ୍ବା ପଲିଥିନ୍ ଢାଙ୍କି ଦିଆଯାଇଛି। ଆଉ କେହି ପଲିଥିନକୁ ତମ୍ବୁ କରି ତା’ ଭିତରେ ମୁଣ୍ଡ ଗୁଞ୍ଜିଥିବା ଦେଖିବାକୁ ମିଳିଛି। କୁଡ଼ିଆ ତୋଳିବାରେ ସମସ୍ୟା ନଥିବାରୁ ଖାଦ୍ୟ ଅନ୍ବେଷଣ ଯୋଜନାରେ ସେମାନେ ବାରମ୍ବାର ବାସସ୍ଥାନ ପରିବର୍ତ୍ତନ କରିଥା’ନ୍ତି। ଜଙ୍ଗଲିଆ ସ୍ଥାନର ଅତ୍ୟନ୍ତ ଦୁସ୍ଥ ପରିବେଶରେ ରହିଥା’ନ୍ତି। ଜଙ୍ଗଲରୁ ବିଭିନ୍ନ ଫଳମୂଳ ଓ ଚେର ସଂଗ୍ରହ ପରେ ଏସବୁକୁ ବିକ୍ରୟ କରି ଯେଉଁ ଦି’ପଇସା ଆୟ କରିଥା’ନ୍ତି; ସେଥିରେ ଖାଇବା ତେଲ, ଲୁଣ କିମ୍ବା ହଳଦୀ କିଣିଥା’ନ୍ତି। ଅଭାବ ଓ ଅନଟନ ପାଇଁ ଅନ୍ୟ ଜିନିଷ କିଣାକିଣି କରିବା ସେମାନଙ୍କ କ୍ଷମତା ବାହାରେ।

ଭାତଲୁଣ କିମ୍ବା ଭାତଶାଗ ସେମାନଙ୍କ ନିତିଦିନିଆ ଖାଦ୍ୟ। ରୋଷେଇରେ ଖାଦ୍ୟ ବିବିଧତା ଦେଖିବାକୁ ମିଳେନି। ଶିଶୁଙ୍କ କ୍ଷେତ୍ରରେ ବି ତୋରାଣି ପ୍ରିୟ ପାନୀୟ। ସୁଷମ ଶିଶୁ ଆହାର ସେମାନଙ୍କ ପାଇଁ ସାତସପନ। ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଥିଲେ ମଧ୍ୟ ପେଟ ଲାଗି ଆବଶ୍ୟକୀୟ ଖାଦ୍ୟ ଯୋଗାଡ଼ କରିବା ସମ୍ଭବ ହୁଏନି। ଆବାଳ ବୃଦ୍ଧ ସମସ୍ତେ ଦୁର୍ବଳ ଓ ରୋଗଣା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେହି ବି ଡାକ୍ତରଖାନା ବାରଣ୍ଡା ମାଡ଼ିନଥିବା ଜଣାପଡ଼ିଛି। ଲବଙ୍ଗ, ପଙ୍କ ଏବଂ ଜହ୍ନ, ହାଉଳାଙ୍କ ଭଳି ପ୍ରାୟ ପ୍ରତ୍ୟେକ ପରିବାରରେ ଶିଶୁମୃତ୍ୟୁ ସମସ୍ୟା ରହିଛି। କିନ୍ତୁ ବସ୍ତିରେ ଜନ୍ମମୃତ୍ୟୁର ହିସାବ କାହାପାଖରେ ନାହିଁ। ସେମାନେ ୱାର୍ଡମେମ୍ବର, ସରପଞ୍ଚ କିମ୍ବା ନିର୍ବାଚିତ ଜନ ପ୍ରତିନିଧିଙ୍କ ସଂପର୍କରେ ଅଜ୍ଞ ହୋଇରହିଛନ୍ତି। ବସ୍ତିରୁ କିଛିଦୂରରେ ବନ କାର୍ଯ୍ୟାଳୟ ପାଖରେ ଅଙ୍ଗନବାଡ଼ି କେନ୍ଦ୍ର ଥି‌ଲେ ମଧ୍ୟ ‌ଶିଶୁ କିମ୍ବା ମାଆମାନେ ଏହାର ମାଟି ମାଡ଼ନ୍ତିନି।
ଏ ସଂପର୍କରେ ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ ପ୍ରଧାନଙ୍କୁ ପଚାରିବାରେ ସେ ପ୍ରସଙ୍ଗକୁ ସ୍ବୀକାର କରିଥିଲେ। ସେମାନେ ତ’ ସକାଳୁ ଉଠିଲେ ଜଙ୍ଗଲ ପଳାଉଛନ୍ତି, ଆଉ ସଂଧ୍ୟାରେ ଘରକୁ ଫେରୁଛନ୍ତି। ଏମିତିରେ ଆମେ ଆଉ କ’ଣ କରିବୁ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। କୁପୋଷଣ ଶିଶୁଙ୍କ ସଂପର୍କରେ ଆରବିଏସ୍‌କେ ଡାକ୍ତର ଶୁଭାଶିଷ ଜେନାଙ୍କୁ ପଚାରିବାରେ ଏ ସଂପର୍କରେ ସେ ଅବଗତ ନଥିବା କହିଥିଲେ। ଖୁବ୍‌ଶୀଘ୍ର ସେ କଅଁସ ଯାଇ ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର