ଭୁବନେଶ୍ବର: ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଗତକାଲି ଜଣେ ନାବାଳକର ଅକାଳ ମୃତ୍ୟୁ ଘଟଣାକୁ ନବ ନିର୍ବାଚିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁତ୍ବର ସହ ନେଇଛନ୍ତି। ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତ ନାବାଳକର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସବୁଠୁ ବଡ଼କଥା ହେଉଛି ଯେ ଏହି ଅଘଟଣ କିପରି ଘଟିଲା ଓ ଏଥିପାଇଁ କିଏ ଦାୟୀ, ସେନେଇ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମ୍ସି କମିସନରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ବ୍ୟାରିକେଡିଂ ହୋଇଥିଲେ ଏଭଳି ଅଘଟଣ ଘଟିନଥାନ୍ତା ବୋଲି ହୃଦୟଙ୍ଗମ କରିବା ପରେ ଯେଉଁ ଅଧିକାରୀ ଏହି ଦାୟିତ୍ବରେ ଥିଲେ ଖୋଜି ବାହାର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ୭ଦିନ ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରରେ ଏଭଳି ଆଉ କେତେ ମୁକୁଳା ଡ୍ରେନ ରହିଛି ଓ କେତେ ଡ୍ରେନର ସ୍ଲାବ୍ ପଡ଼ିବା ବାକି ଅଛି, ରିପୋର୍ଟରେ ସେସବୁ ଉଲ୍ଲେଖ କରିବାକୁ ମନ୍ତ୍ରୀ କହିଛନ୍ତି। ତା’ ସହ ୩ ଦିନ ଭିତରେ ବାକିଥିବା ସବୁଡ୍ରେନ୍ରେ ସ୍ଲାବ୍ ଓ ଯେଉଁଠି କଭର୍ ହୋଇ ପାରିବ ନାହିଁ ସେଠାରେ ବ୍ୟାରିକେଡିଂ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ
ସନ୍ଧ୍ୟା ସୁଦ୍ଧା ରିପୋର୍ଟ ତଲବ କଲେ
୩ ଦିନରେ ମୁକୁଳା ଡ୍ରେନ୍ରେ ପଡ଼ିବ ସ୍ଲାବ୍
ଗତକାଲି ନଳାରେ ଭାସି ଯାଇ ମସଜିଦ କଲୋନିର ଏସ୍କେ ରାଜେଶର ମୃତ୍ୟୁ ହୋଇଥିଲା। ଆଜି ସକାଳେ ବିଧାୟକ ବାବୁ ସିଂହ, କମିସନର ରାଜେଶ ପ୍ରଭାକର ପାଟିଲ୍ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାକାର ସ୍ଥିତି ଦେଖି ସେ ବିଚଳିତ ହୋଇପଡ଼ିଥିଲେ। ଡ୍ରେନ୍କୁ ଲାଗି ବସ୍ତି। ଜନବସତି ପରେ ଓ ବସ୍ତି ପୂର୍ବରୁ ଡ୍ରେନ୍ କଭର ହୋଇଥିବା ବେଳେ ଯେଉଁଠି ଜନବସତି ଅଛି ବା ଯେଉଁଠି ସୁରକ୍ଷା ପାଇଁ ବ୍ୟବସ୍ଥା ହେବାକଥା, ସେଠାରେ ହୋଇନାହିଁ। ଏଭଳି ଏକ ବିଚିତ୍ର ସ୍ଥିତି ବିଷୟରେ କିଭଳି ବିଏମ୍ସି ଚିନ୍ତା କରିନାହିଁ ସେନେଇ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଗତକାଲି ମେୟର କହିଥିଲେ ଯେ ଏହି ଜାଗାଟି ରେଳବାଇ ବିଭାଗ ଅଧୀନରେ ରହିଛି। ଏହି ପ୍ରସଙ୍ଗରେ କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ‘‘ପ୍ରତିଟି ଜୀବନକୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ବ। ଯେଉଁ ବିଭାଗ ଯେଉଁ ଦାୟିତ୍ବରେ ରହିଛି, ସେ ବ୍ୟବସ୍ଥା କରିବ। ୟା’ ଦୋଷ ତା’ ଦୋଷ କହି କେହି ଖସି ପାରିବେ ନାହିଁ। ଯଦି ରେଳବାଇ ବିଭାଗର ଜାଗା, ତେବେ ରେଳବାଇକୁ ବିଏମ୍ସି କେତେ ଥର ଚିଠି ଲେଖିଛି? ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କାହାରିକୁ ଛଡ଼ା ଯିବନାହିଁ।’’
ଘଟଣାସ୍ଥଳ ବୁଲିବା ପରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଆଜି ଖାରବେଳ ଭବନରେ ବିଭାଗ ପରିଦର୍ଶନ କରିଥିଲେ। ବିଭାଗ ବୁଲିବା ବେଳେ ସେ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ କହିଥିଲେ, ସହରର ଡ୍ରେନେଜ ସମସ୍ୟା, ପାନୀୟ ଜଳ, ପରିବହନ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯିବା ସହ ରାଜ୍ୟର ସମସ୍ତ ପୌରସଂସ୍ଥାଗୁଡିକରେ ଲୋକଙ୍କ ଆଶା ପୂରଣ କରିବା ପ୍ରାଥମିକତା ହେବ। ବିକଶିତ ଓଡିଶା ନିର୍ମାଣରେ ନଗର ଉନ୍ନୟନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।