ରାମଚନ୍ଦ୍ରପୁର: ନିଜ ପତ୍ନୀ ଏବଂ ତିନି ଛୁଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଆଜୀବନ ସଜା କାଟୁଥିବା ରାମଚନ୍ଦ୍ରପୁର ଥାନା ନୂଆଗାଁ ନୂଆସାହିର ସନ୍ତୋଷ ବେହେରା ଓରଫ ଖଗେଶ୍ବର(୫୨)ଙ୍କର ମଙ୍ଗଳବାର ସଂଧ୍ୟାରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ହୃଦଘାତରେ ପରଲୋକ ଘଟିଛି। ମାତ୍ର ମୃତ୍ୟୁ ପରେ ସମ୍ପର୍କୀୟ ତାଙ୍କ ଶବ ନେବାକୁ ମନା କରିଦେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।
ସନ୍ତୋଷଙ୍କ ପୈତୃକ ଘର ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ସେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନୂଆଗାଁରେ ବିବାହ କରିଥିଲେ। ସେ ନୂଆଗାଁ ନୂଆସାହିରେ ରହି ଆସୁଥିଲେ। ୨୦୦୨ ମସିହାରେ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ ସମେତ ତିନି ଛୁଆ (ଦୁଇପୁଅ ଏବଂ ଗୋଟିଏ ଝିଅ)କୁ ନିର୍ମମ ଭାବରେ ହତ୍ୟା କରି ୨୦ ନମ୍ବର ଜାତୀୟ ରାଜପଥ ସୁଆଁପଦା ହାଟ ନିକଟ ନାଳ କଡର ଥିବା ଏକ ପରିତ୍ୟକ୍ତ କୂଅରେ ପିଙ୍ଗି ଦେଇଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ଛାନଭିନ୍ କରିବା ପରେ ସନ୍ତୋଷ ଗିରଫ କରିଥିଲା। ସନ୍ତୋଷ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା।
ଏହା ମାମଲାର ଚୂଡ଼ାନ୍ତ ରାୟ ୨୦୦୫ ମସିହାରେ ଜିଲ୍ଲା ଦୌରାଜଜ୍ ଶୁଣାବା ସହିତ ସନ୍ତୋଷକୁ ଫାଶୀ ଦଣ୍ତରେ ଦଣ୍ଡିତ କରିଥିଲେ। ସନ୍ତୋଷ ଫାଶୀଦଣ୍ଡକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ଫାଶୀ ଦଣ୍ତାଦେଶକୁ କୋହଳ କରି ସନ୍ତୋଷକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଥିଲେ । ଆଜୀବନ ସଜା ନିୟମ ଅନୁୟାୟୀ ଜେଲ କର୍ତ୍ତୃପକ୍ଷ ତାଙ୍କୁ ସମୟ କ୍ରମେ ରାଜ୍ୟର ବିଭିନ୍ନ କାରାଗାରକୁ ସ୍ଥାନାନ୍ତରିତ କରିଥିଲେ।
କିନ୍ତୁ ୨୦୨୦ ମସିହାରୁ ସେ କେନ୍ଦୁଝର କାରାଗାରରେ ରହି ଆସୁଥିଲେ ହେଁ ଦୀର୍ଘଦିନ ହେବ ସେ ମଧୁମେୟ ଏବଂ ଶ୍ବାସ ରୋଗରେ ପୀଡିତ ଥିଲେ। ମଙ୍ଗଳବାର ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ ସନ୍ତୋଷଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପରେ ସେମାନଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମାତ୍ର ସମ୍ପର୍କୀୟ ଶବ ନେବାକୁ ମନା କରିବାରୁ ଜେଲ କର୍ତ୍ତୃପକ୍ଷ କେନ୍ଦୁଝରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।