ରାୟଗଡ଼ା : ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପୁରୁଣା ଟିମ୍ ବଦଳରେ ନୂଆ ଟିମ୍କୁ ତଦନ୍ତ ଭାର ଦିଆଯାଇଛି। ତେବେ, ହଠାତ୍ ଏମିତି ଟିମ୍ ବଦଳିବା ପଛର କାରଣ ସ୍ପଷ୍ଟ ହୋଇପାରିନି। କେଉଁ ଦିଗରେ ଦ୍ବିତୀୟ ଟିମ୍ର ତଦନ୍ତ ଆଗେଇବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଡିସେମ୍ବର ୨୨ତାରିଖରେ ରୁଷ ନାଗରିକ ଭ୍ଲାଦ୍ମିର ବିଦାନୋଭ ଓ ୨୪ତାରିଖରେ ପାଭେଲ ଆନ୍ଥେଭଙ୍କ ମୃତ୍ୟୁ ହୋଇଥିଲା। ସନ୍ଦେହଜନକ ଅବସ୍ଥାରେ ସାଂସଦ ପାଭେଲ ଆନ୍ଥେଭଙ୍କ ମୃତ୍ୟୁ ଚାପ ସୃଷ୍ଟି କରିଥିଲା। ତେଣୁ ପୁଲିସ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୃତ୍ୟୁ ପଛର ସତ ଖୋଜିବାକୁ କ୍ରାଇମବ୍ରାଞ୍ଚ ଡିଏସ୍ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ରାୟଗଡ଼ାରେ ଡେରା ପକାଇ ଖୋଳତାଡ଼ ଆରମ୍ଭ କରିଥିଲେ। ସେହିପରି, ୫ଜଣିଆ ଫରେନ୍ସିକ୍ ଟିମ୍ ମଧ୍ୟ ନମୁନା ସଂଗ୍ରହ ସହ ସୁରାକ ଖୋଜିଥିଲେ। କିନ୍ତୁ, ଏହି ଚର୍ଚ୍ଚିତ ଘଟଣାରେ ତଦନ୍ତ ଟିମ୍ ୫ଦିନ ପରେ ବଦଳି ଯାଇଛନ୍ତି। ଆଜିଠାରୁ ଡିଏସ୍ପି ତପନ ଦାସଙ୍କ ନେତୃତ୍ୱରେ ୫ଜଣିଆ ଦ୍ୱିତୀୟ ଟିମ୍ ରାୟଗଡ଼ାରେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମ ଟିମ୍ ନିକଟରୁ ସମସ୍ତ ତଥ୍ୟ, ତଦନ୍ତ ରିପୋର୍ଟ ଓ ଜବତ ସାମଗ୍ରୀକୁ ସଂଗ୍ରହ କରିଛନ୍ତି।
ଅନ୍ୟପକ୍ଷରେ, ପ୍ରଥମ ଟିମ୍ ଆଜି ରାୟଗଡ଼ା ଥାନାକୁ ଯାଇ ୩ଘଣ୍ଟା ଧରି ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଏସ୍ପି ବିବେକାନନ୍ଦ ଶର୍ମାଙ୍କୁ ଭେଟିଥିବା ସୂଚନା ମିଳିଛି। ଶେଷରେ କ୍ରାଇମବ୍ରାଞ୍ଚ ଡିଏସ୍ପି ଶ୍ରୀ ଦାସ ଗଣମାଧ୍ୟମକୁ ତଦନ୍ତ ସଂପର୍କରେ ଅବଗତ କରାଇଥିଲେ। ପ୍ରଥମ ଟିମ୍ ନିକଟରୁ ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ, ସାକ୍ଷୀଙ୍କ ବୟାନ, ଶ୍ମଶାନରୁ ଜବତ ହୋଇଥିବା ହାଡ଼, ପାଉଁଶ ଏବଂ ହୋଟେଲରୁ ଜବତ ବିଭିନ୍ନ ସାମଗ୍ରୀକୁ ନେଇ ପୁଣି ଥରେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏକକାଳୀନ ଦୁଇଟି ଟିମ୍ ତଦନ୍ତ କରିବେ ନା ପ୍ରଥମ ଟିମ୍ ଫେରିଯିବ ସେହି ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ତେବେ, ଦୁଇଟି ଟିମ୍ ଗୋଟିଏ ଘଟଣାର ତଦନ୍ତ କରିବା ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।
ତଦନ୍ତରେ ସାମିଲ୍ ହେଲେ ରାଜେନ୍ଦ୍ର ଡାଙ୍ଗୀ
କଟକ : ଦୁଇ ରୁଷ୍ ପର୍ଯ୍ୟଟକ ପାଭେଲ ଆଣ୍ଟୋଭ ଓ ଭ୍ଲାଦିମିର୍ ବିଦେନୋଭ୍ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତରେ ସାମିଲ୍ ହୋଇଛନ୍ତି ସିବିଆଇ ସିଏଫଏସଏଲ(କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲାବୋରେଟୋରି)ର ଚର୍ଚ୍ଚିତ ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ସିଂହ ଡାଙ୍ଗୀ। ଡକ୍ଟର ଡାଙ୍ଗୀ ଦେଶର ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ହୋଇଛନ୍ତି। ଏବେ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବେ।
ଡକ୍ଟର ଡାଙ୍ଗୀ ଫରେନ୍ସିକ୍ ସାଇନ୍ସରେ ୩୫ବର୍ଷର ଅଭିଜ୍ଞତା ରଖିଥିବା ବେଳେ ସିବିଆଇର ସିଏଫଏସଏଲରେ ନିର୍ଦ୍ଦେଶକ ଭାବେ ୬ ବର୍ଷ କାଳ କାମ କରିଛନ୍ତି। ସେ ୨୦୧୬ରେ ଚାକିରିରୁ ଅବସର ନେଇଥିଲେ। ଫରେନ୍ସିକ୍ ଭଏସ୍ ଆଇଡେଣ୍ଟିଫିକେସନ୍ ଓ କ୍ରାଇମ୍ ସିନ୍ ଇନସ୍ପେକ୍ସନରେ ସ୍ବତନ୍ତ୍ର ଦକ୍ଷତା ରଖିଛନ୍ତି। ୫ ହଜାର ମାମଲାର ପରୀକ୍ଷା କରିଥିବା ବେଳେ ୧୫ ଶହରୁ ଉର୍ଦ୍ଧ୍ବ ମାମଲାରେ ନିଜର ମତ ରଖିଛନ୍ତି। ସିବିଆଇ, ଭିଜିଲାନ୍ସ, ଏନ୍ଆଇଏ, ସେନାବାହିନୀ, ବିଏସଏଫ, ସିଆଇଏସଏଫଙ୍କୁ ତାଲିମ୍ ଦେଇଥିବା ବେଳେ ଫରେନ୍ସିସାଇନ୍ସ ଉପରେ ୪୧ ରିସର୍ଚ ପେପର୍ ଦାଖଲ କରିଛନ୍ତି। ସିଏଫଏସଏଲ ଦେଶରେ ସିବିଆଇ ସମେତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଦିଲ୍ଲୀ ପୁଲିସ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥାର ସମସ୍ତ ପ୍ରକାର ଫରେନ୍ସିକ୍ ଏବଂ ସାଇଣ୍ଟିଫିକ୍ ନମୁନାର ପରୀକ୍ଷା କରିଥାଏ। ତେଣୁ ଅଭିଜ୍ଞତା ଦୃଷ୍ଟିରୁ ଡକ୍ଟର ଡାଙ୍ଗୀ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେବାକୁ ଯାଉଥିବା କୁହାଯାଉଛି।