ରାୟଗଡ଼ା/ ଭୁବନେଶ୍ବର: ଭାରତ ଭ୍ରମଣରେ ଆସିଥିବା ରୁଷ୍‌ ପର୍ଯ୍ୟଟକ ତଥା ଭ୍ଲାଦିମିର୍ କ୍ଷେତ୍ରର ସାଂସଦ ତଥା ପ୍ରତିଷ୍ଠିତ ବ୍ୟବସାୟୀ ପାୱେଲ୍ ଆନ୍ଥେଭ ଓ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ମୃତ୍ୟୁକୁ ନେଇ ବଡ଼ ବିତର୍କ ମୁଣ୍ଡ ଟେକିଲାଣି। ଦୁଇ ଦିନ ବ୍ୟବଧାନରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ସେପଟେ ୟୁକ୍ରେନ୍ ଯୁଦ୍ଧ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ସହିତ ପାୱେଲ୍‌ଙ୍କ ମତଭେଦ ହୋଇଥିବା ଦୃଷ୍ଟିରୁ ଉଭୟଙ୍କ ଆକସ୍ମିକ ମୃତ୍ୟୁ ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ବିତର୍କ ଆରମ୍ଭ ହୋଇଛି। ଏପଟେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାରଙ୍କର ମଧ୍ୟ ମୁଣ୍ଡବ୍ୟଥା ବଢ଼ିଲାଣି। ପ୍ରକୃତ ସତ କ’ଣ ତାହା ଖୋଜି ବାହାର କରିବା ଲାଗି ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଆଜି ପୁଲିସ ଡିଜି ସୁନୀଲ ବଂଶଲ ଏଭଳି ନିର୍ଦେଶ ଦେଇଛନ୍ତି। ତେବେ ଏହାପୂର୍ବରୁ ଉଭୟ ପର୍ଯ୍ୟଟକ ରହୁଥିବା ରାୟଗଡ଼ା ସ୍ଥିତ ହୋଟେଲରେ ପହଞ୍ଚି ପୁଲିସ ବରିଷ୍ଠ ଅଧିକାରୀ ତନାଘନା କରିଥିଲେ। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଏବଂ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସହିତ ଯାଇ ତଦନ୍ତ କରିଥିଲେ।

Advertisment

ଇତିମଧ୍ୟରେ ଦୁଇଟି ବଡ଼ ଘଟଣା ସାମ୍ନାକୁ ଆସିଛି। ଜାତୀୟସ୍ତରର ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଘଟଣାରେ ରୁଷ୍‌ର କନସୁଲ ଜେନେରାଲ ଆଲେକ୍ସି ଇଡାମକିନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପ୍ରାରମ୍ଭିକ ଖବର ଅନୁସାରେ ସେ ଝରକାରୁ ଖସି ପଡ଼ିଥିବା ଖବର ପାଇଛୁ। ଓଡ଼ିଶା ପୁଲିସ ଏହି ସୂଚନା ଦେଇଛି। ତେବେ ଆମେ ତାଙ୍କ ମୃତ୍ୟୁ ତଦନ୍ତକୁ ଅନୁଧ୍ୟାନ କରୁଛୁ। ଏପଟେ ଆଜି ସଂଧ୍ୟାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ରୁଷୀୟ ଦମ୍ପତି ଓ ଟୁରିଷ୍ଟ ଗାଇଡ୍ ଜିତେନ୍ଦ୍ର ସିଂହଙ୍କୁ ଭୁବନେଶ୍ବର କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟକୁ ଆଣି ଜେରା କରୁଛି। ସେମାନେ କେବେ ଓଡ଼ିଶା ଆସିଥିଲେ? କେଉଁଠି କେଉଁଠି ବୁଲିଲେ ଏ ନେଇ ଗାଇଡଙ୍କୁ ପଚରାଯାଇଛି।

ଗତକାଲି ରୁଷ ଦୂତାବାସ ପାୱେଲଙ୍କ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ଅନୁମତି ଦେଇଥିଲା। ଏହାପରେ ଗୋଟିଏ ଡାକ୍ତରୀ ଦଳ ଗଠନ କରି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିଥିଲା ପୁଲିସ। ଗତକାଲି ସଂଧ୍ୟାରେ ହିଁ ସିରିଗୁଡା ଶ୍ମଶାନରେ ପାୱେଲଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏହାପରେ ପାୱେଲଙ୍କ ସହ ଆସିଥିବା ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ଆଜି ରାୟଗଡ଼ା ଛାଡ଼ିଥିଲେ।

ରୁଷିଆର ଏକ ପ୍ରତିଷ୍ଠିତ ନ୍ୟୁଜ୍ ସରବରାହ ସଂସ୍ଥା ‘ଟାସ୍’ ତଥ୍ୟ ଅନୁଯାୟୀ, ପାୱେଲ ନିଜ ୬୬ତମ ଜନ୍ମଦିନ ପାଳନ ପାଇଁ ବନ୍ଧୁମାନଙ୍କ ସହିତ ଭାରତ ଆସିଥିଲେ। ଭାରତରେ ପହଞ୍ଚିବା ପରେ ୧୮ ତାରିଖରେ ଭୁବନେଶ୍ବର ଏବଂ ୨୧ ତାରିଖରେ ରାୟଗଡ଼ାରେ ପହଞ୍ଚିଥିଲେ। ରୁଷର ଭ୍ଲାଦିମିର୍ ଅଞ୍ଚଳରୁ ସାଂସଦ ଭାବେ ପାୱେଲ ପ୍ରତିନିଧିତ୍ବ କରୁଛନ୍ତି। ନିକଟରେ ରୁଷ-ୟୁକ୍ରେନ୍ ଯୁଦ୍ଧର ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ଏପରିକି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଯୁଦ୍ଧ ନୀତିକୁ ସିଧାସଳଖ ବିରୋଧ କରି ନିଜ ବ୍ଲଗ୍‌ରେ ଉଲ୍ଲେଖ କରିଥିଲେ। ସେ କିବ୍‌ ଉପରେ ରୁଷ୍‌ର ଆକ୍ରମଣକୁ ଆତଙ୍କବାଦ ବୋଲି କହିବାକୁ ପଛାଇ ନଥିଲେ। ପରବର୍ତ୍ତୀ ସମୟରେ ଚାପରେ ପଡ଼ି କ୍ଷମା ପ୍ରାର୍ଥନା କରିବା ସହ ନିଜ ବ୍ଲଗ୍‌କୁ ହଟାଇ ଦେଇଥିଲେ। ଏହାପରେ ଭାରତ ଭ୍ରମଣରେ ଆସି ହୋଟେଲ୍ ଛାତରୁ ପଡି ମୃତ୍ୟୁବରଣ କରିବା ଆଦୌ ସ୍ବାଭାବିକ ନୁହେଁ ବୋଲି ଗୋଟିଏ ମତ ପ୍ରକାଶ ପାଉଛି। ଏହି ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପାୱେଲଙ୍କ ପରିବାର ଲୋକ। ରୁଷ୍‌ ଗଣମାଧ୍ୟମରେ ଗତକାଲି ପାୱେଲଙ୍କ ମୃତ୍ୟୁ ସଂପର୍କିତ ଖବର ପ୍ରସାରଣ ପରେ ଭାରତ ସରକାରଙ୍କ ଉପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଚାପ ସୃଷ୍ଟି ହୋଇଛି। ପାୱେଲ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ସାଂସଦ ହୋଇଥିବାରୁ ଓଡ଼ିଶା ପୁଲିସ୍ ଉପରେ ଏବେ ଭୀଷଣ ଚାପ ରହିଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା ଭ୍ରମଣରେ ଆସିଥିବା ପାୱେଲ ଓ ତାଙ୍କ ବନ୍ଧୁ ଭ୍ଲାଦିମିର୍ ବିଦାନୋଭା ରାୟଗଡ଼ାର ଏକ ହୋଟେଲରେ ରହିଥିଲେ। ୨୨ ତାରିଖ ପୂର୍ବାହ୍ନରେ ବିଦାନୋଭା ହୃଦ୍‌ଘାତରେ ପ୍ରାଣ ହରାଇଥିବା କୁହାଯାଇଥିଲା। ପୁଲିସ ସେହି ରୁମ ଯାଞ୍ଚବେଳେ ଖୋଲା ମଦ ବୋତଲ ଜବତ କରିଥିଲା। ତାଙ୍କ ଶେଷକୃତ୍ୟର କିଛି ଘଣ୍ଟା ପରେ ୨୪ ତାରିଖ ସଂଧ୍ୟାରେ ପାୱେଲ୍ ଆନ୍ଥେଭ ହୋଟେଲର ୩ ମହଲା ଉପରୁ ପଡ଼ି ମୃତ୍ୟୁବରଣ କରିଥିବା ପୁଲିସ୍ ସୂଚନା ଦେଇଥିଲା। ତାଙ୍କ ମୃତଦେହକୁ ପୁଲିସ ହୋଟେଲର ସୁଇମିଂ ପୁଲ୍ ନିକଟରୁ ଜବତ କରିଥିଲା।