ଯୁବ ଇଂଜିନିୟରଙ୍କ ପରଲୋକ, ବିଲକୁ ଯାଇ ଫେରିଲେନି

କୁହିକା : ପୂର୍ବଦିନ ରାତିରେ ପ୍ଲାଣ୍ଟ ଡ୍ୟୁଟି ସାରି ଘରକୁ ଫେରିଥିଲେ। ସକାଳୁ ଖାଇବା ପରେ ନିଜ ବିଲ ଆଡ଼କୁ ବାହାରି ଯାଇଥିଲେ। ବିଲରେ ସାନଭାଇ ଅପେକ୍ଷା କରିଥିଲେ। ଆଉ ଘରେ ଆସନ୍ନ ପ୍ରସବା ପତ୍ନୀ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ ଭାଇ ପାଖରେ ପହଞ୍ଚିଲେନି କି ଘରକୁ ଫେରିଲେନି। ବିଲରେ ପହଞ୍ଚିବା ପୂର୍ବରୁ ଟଳି ପଡ଼ିଲେ ଯୁବଇଂଜିନିୟର ପ୍ରଶାନ୍ତ କୁମାର ମହାନ୍ତ ଓରଫ ବୁଲେଟ (୩୨)। ତାଙ୍କର ଏଭଳି ଆକସ୍ମିକ ନିଧନରେ ସ୍ତବ୍ଧ ହୋଇଯାଇଛନ୍ତି ସହକର୍ମୀ ଓ ଗାଁ ଲୋକ। ପରିବାର ଲୋକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି।

ସୁକିନ୍ଦା  ଥାନା କୁହିକା ପଞ୍ଚାୟତ କୁହିକା ମହାନ୍ତସାହିର ସ୍ବର୍ଗତ ପବିତ୍ର ମହାନ୍ତଙ୍କର ବଡ଼ପୁଅ ପ୍ରଶାନ୍ତ କୁମାର ମହାନ୍ତ। ଟାଟାଷ୍ଟିଲ କଳିଙ୍ଗନଗର କାରଖାନାର ମେକାନିକାଲ ଇଂଜିନିୟର ଭାବେ କାମ କରୁଥିଲେ ପ୍ରଶାନ୍ତ। ଗତକାଲି ପୂର୍ବାହ୍ନରେ ସେ ଘର ନିକଟସ୍ଥ ବିଲକୁ ସାର ନେଇ ଯାଉଥିଲେ। ହଠାତ ବିଲ ହୁଡ଼ାରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ବିଲ କାମରେ ଥିବା ତାଙ୍କ ସାନଭାଇ ପ୍ରଭାତ(ରାଜୁ) ଙ୍କ ସହ ଆଖପାଖ ବିଲରେ କାମ କରୁଥିବା ଚାଷୀ ଓ ପଥଚାରୀ ପହଞ୍ଚି ଚିକିତ୍ସା ତାଙ୍କୁ ତୁରନ୍ତ କଳିଙ୍ଗନଗରସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଖବର ପାଇ ଟାଟା ଷ୍ଟିଲର ବହୁ ଅଧିକାରୀ ଓ ସହକର୍ମୀ ପହଞ୍ଚି ଶେଷଦର୍ଶନ କରିଥିଲେ। ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତ୍ରିରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ୨୮/୨୨ ରୁଜୁ କରିଛି। ୩ ବର୍ଷ ପୂର୍ବରୁ ତାଙ୍କ ବାପା ପବିତ୍ର ମହାନ୍ତ ଓ ବର୍ଷକ ତଳେ ମାଆଙ୍କ ମୃତ୍ୟୁ ହୋଇଥିଲା। ଦେଢ଼ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କ ବିୟୋଗରେ କୁହିକା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର