ଧର୍ମଶାଳା : ଧର୍ମଶାଳା ଥାନା ହରିଦାସପୁର ପଞ୍ଚାୟତ ଚାରିବାଟିଆ ଗାଁ ନିକଟ ପୋଲତଳ ଜୋର ନାଳରୁ ଆରୁହା ପଞ୍ଚାୟତ କୋହ୍ଲା ଗ୍ରାମର ମକର ଚନ୍ଦ୍ର ସାହାଣି(୬୧)ଙ୍କ ମୃତଦେହ ଉଦ୍ଧାର ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହା ଅପମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରି ପରିବାର ସମେତ ଶତାଧିକ ଲୋକ ଆଜି ଆରୁହା ଛକରେ ଶବ ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Advertisment

ଗତକାଲି କେଉଁ ପରିସ୍ଥିତିରେ ସେ କାମ କରୁଥିବା ଇଟା କାରଖାନାଠାରୁ ୪ କିମି ଦୂର ନାଳରେ ବୁଡ଼ିଯାଇ ଜୀବନ ହରାଇଲେ ଏବଂ ପୁଲିସ ଉପଯୁକ୍ତ ତଦନ୍ତ ନକରି ଅପମୃତ୍ୟୁ ମାମଲା ରୁଜୁ କରି ଦାୟିତ୍ବ ସାରି ଦେଇଥିଲା, ତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ବାପାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ପୁଅ ଶଶାଙ୍କ ଶେଖର ସାହାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ହୋଇ ଫେରିବା ପରେ ସଂପର୍କୀୟମାନେ ମୃତଦେହକୁ ରାସ୍ତାରେ ରଖି ଆଜି ଅପରାହ୍‌ଣ ସାଢେ଼ ୨ଟାରେ ରାଜପଥକୁ ଅବରୋଧ କରିଥିଲେ।

ମକରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା, ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଓ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ୨ଘଣ୍ଟା ରାସ୍ତାରେ ବସି ରହିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ିମୋଟର ଅଟକି ରହିଥିଲା। ଧର୍ମଶାଳା ଆଇଆଇସି ରାକେଶ କୁମାର ତ୍ରିପାଠୀ ସଦଳବଳ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ମଙ୍ଗଳବାର ଏ ସଂପର୍କରେ ଉଭୟ ପକ୍ଷଙ୍କ ସହିତ ଆଲୋଚନା କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକ ହଟିଥିଲା।

ମକର ଗତକାଲି ସକାଳେ ଆରୁହା ଛକରେ ଥିବା ଇଟା କାରଖାନାକୁ କାମ କରିବାକୁ ଯାଇଥିଲେ। ଘରକୁ ନଫେରିବାରୁ ପତ୍ନୀ ସନ୍ଧ୍ୟା ୬ଟାରେ ଫୋନ୍ କରିବାରୁ କାମ ସାରି ଯାଉଛନ୍ତି ବୋଲି କହିଥିଲେ। ଏହାପରେ ତାଙ୍କ ମୋବାଇଲ ସୁଇଚ୍ ଅଫ ହୋଇଯାଇଥିଲା। ତାଙ୍କ ଝିଅଜ୍ବାଇଁ ଇଟା କାରଖାନାକୁ ଯାଇ ବୁଝିବାରୁ ସେ କେଉଁ ଗାଡ଼ିରେ ଚିପ୍ସ ଖଲାସ କରିବାକୁ ଯାଇଥିବା ମାଲିକ କହିଥିଲେ। ସିସି କ୍ୟାମେରା ଦେଖିବାକୁ କହିବାରୁ ଏହା ଖରାପ ହୋଇଥିବା କହିଥିଲେ। ସେଠାରେ ତାଙ୍କ ସାଇକେଲ ଓ ଟିଫିନଡବା ରହିଥିଲା। ରାତିସାରା ବିଭିନ୍ନ ସ୍ଥାନରେ ଖୋଜିଥିଲେ ହେଁ ସନ୍ଧାନ ମିଳିନଥିଲା। ଗତକାଲି ଚାରିବାଟିଆ ଗାଁ ନିକଟ ନାଳରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ମକରଙ୍କ ମୃତ୍ୟୁ ପରେ ଇଟା କାରଖାନା ବନ୍ଦ ରହିବା ଏବଂ ମାଲିକଙ୍କ ସନ୍ଦେହଜନକ ଉତ୍ତର ଶୁଣି ଏହା ଏକ ହତ୍ୟାକାଣ୍ତ ଘଟଣା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସନ୍ଦେହଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବାକୁ ତାଙ୍କ ସଂପର୍କୀୟ ଦାବି କରିଛନ୍ତି।