ଅବର୍ତ୍ତମାନରେ ଅଞ୍ଜନ, ଝୁରୁଛି ଜନ୍ମମାଟି

ବେତନଟୀ:ଜଣାଶୁଣା ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କର ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ଗତକାଲି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାଇଟ୍‌ ଡ୍ୟୁଟି ସାରି ଆଜି ସକାଳେ ବାରିପଦା ସ୍ଥିତ ନିଜ ଘରକୁ କାର୍‌ ନେଇ ଫେରୁଥିଲେ। ଦିନ ପ୍ରାୟ ୯ଟା ୩୫ରେ ବେତନଟୀ ଥାନା ନୟାପୁରୁଷୋତ୍ତମ ନିକଟରେ ତାଙ୍କ କାର୍‌ ରାସ୍ତା ଉପରେ ଠିଆ ହୋଇଥିବା ଏକ‌ ଟ୍ରକ୍‌ ପଛରେ ପିଟି ହୋଇ ଯାଇଥିଲା। ଶ୍ରୀ ଷଡ଼ଙ୍ଗୀ ଗତ ୪ ବର୍ଷ ତଳେ ବାରିପଦାରୁ ବଦଳି ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କ ମୃତ୍ୟୁ ଅନେକଙ୍କୁ ମର୍ମାହତ କରିଛି। ଶ୍ରୀ ଷଡ଼ଙ୍ଗୀଙ୍କ ଜୀବନ ସହ ଜଡ଼ିତ କଥା ଅନେକ ଏବେ ସେମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି।

କର୍ତ୍ତବ୍ୟ କରି ଜୀବନ ହରାଇଛନ୍ତି ବାପପୁଅ

ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ବେତନଟୀର ସ୍ବର୍ଗତ ଇଂ. ଶିବନାରାୟଣ ଷଡ଼ଙ୍ଗୀ ଓ ସମାଜସେବୀ ମିନତୀ ଷଡ଼ଙ୍ଗୀଙ୍କ ବଡ଼ପୁଅ ଥିଲେ। ୧୯୭୫ ମସିହା ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏକ ସରକାରୀ ପ୍ରକଳ୍ପ ଯାଞ୍ଚ ପାଇଁ ଡଙ୍ଗାରେ ଯାଉଥିବା ବେଳେ ଏହା ଜଳକା ନଦୀରେ ବୁଡ଼ିଯିବାରୁ ଅଞ୍ଜନଙ୍କ ବାପା ଶିବନାରାୟଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଆଜି ନିଜ କର୍ତ୍ତବ୍ୟ ସାରି ବାଲେଶ୍ବର ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ ଅଞ୍ଜନ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ଆରପାରିକୁ ଚାଲିଯାଇଛନ୍ତି। କର୍ତ୍ତବ୍ୟ କରି ଜୀବନ ହରାଇଥିବା ଏହି ବାପାପୁଅଙ୍କ ପାଇଁ ବାଲେଶ୍ବର ତଥା ମୟୂରଭଞ୍ଜବାସୀ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି।

ପୁଅକୁ ଝୁରି ହେଉଛନ୍ତି ମିନତୀ

ଡଙ୍ଗା ଦୁର୍ଘଟଣାରେ ଇଂ. ଶିବନାରାୟଣ ଷଡ଼ଙ୍ଗୀଙ୍କ ମୃତ୍ୟୁ ପରେ ପତ୍ନୀ ମିନତୀ ଷଡ଼ଙ୍ଗୀ ବହୁ କଷ୍ଟରେ ଚାରି ପୁଅ; ଅଞ୍ଜନ, ମନୋଜ, ରଞ୍ଜନ ଓ ସରୋଜଙ୍କୁ ମଣିଷ କରିଛନ୍ତି। ଅଞ୍ଜନ ଡାକ୍ତର ହୋଇଥିବା ବେଳେ ମନୋଜ ଓ ରଞ୍ଜନ ଇଞ୍ଜିନିୟର। ସାନପୁଅ ସରୋଜ ଜଣେ ଆଇନଜୀବୀ। ଅଞ୍ଜନ ମା’ଙ୍କ ଭାରି ପ୍ରିୟ ଥିଲେ। ସେ ତାଙ୍କୁ ସବୁ କଥା କହୁଥିଲେ। ବୟସର ଅପରାହ୍ନରେ ପୁଅକୁ ଏମିତି ହରାଇଥିବା ମିନତୀଙ୍କ ଆଖିରୁ ଲୁହ ଶୁଖୁନି। ସେ ତାଙ୍କର ସୁନାପୁଅଙ୍କୁ ଝୁରି ହେଉଛନ୍ତି।

ଦୁଃଖ ଦରିଆରେ ପରିବାର

ଡାକ୍ତରଖାନା କାମ ସାରି ଅଞ୍ଜନ ଆଜି ସକାଳେ ବାଲେଶ୍ବରରୁ ବାରିପଦା ଘରକୁ ଫେରୁଥିଲେ। ବାଟରେ ତାଙ୍କୁ ମୃତ୍ୟୁ ଜଗି ରହିଥିଲା। ଆଉ ସେ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ। ଏ ଖବର ପତ୍ନୀ ଚକ୍ଷୁ ବିଶେଷଜ୍ଞ ଡା. ମିତା ମିଶ୍ରଙ୍କ ସହ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଅନିମେଶ ଷଡ଼ଙ୍ଗୀଙ୍କୁ ଦୁଃଖ ଦରିଆରେ ଭସାଇ ନେଇଛି। ଏପରି ସମୟରେ ଅଥଳ ଦୁଃଖରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବାଲେଶ୍ବର ଓ ମୟୂରଭଞ୍ଜବାସୀ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି।

ସବୁଠି ଶୋକ

ସ୍ବର୍ଗତ ଡାକ୍ତର ଅଞ୍ଜନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଏମ୍‌ପିସି ଉଚ୍ଚ ବିଦ୍ୟାଳୟ ନିକଟରେ। ହେଲେ ସେ ବାରିପଦାରେ ଘର କରି ରହୁଥିଲେ। ବାରିପଦା ହେଉ କି ବେତନଟୀ ଅବା ବାଲେଶ୍ବର; ସବୁଠି ଜଣେ ଭଲ ମଣିଷ ଓ ଭଲ ଡାକ୍ତର ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। ଆଜି ଅଞ୍ଜନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାଲେଶ୍ବର, ବେତନଟୀ ଓ ମୟୂରଭଞ୍ଜ ସହ ସାରା ଓଡ଼ିଶାରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର