ସମ୍ବଲପୁର: ସାମାଜିକ ଅନୁଷ୍ଠାନ ଭାରତ ସମନ୍ବିତ ସମାଜ କଲ୍ୟାଣ ସଂସ୍ଥା (ବିଶ୍ବ)ର ପ୍ରତିଷ୍ଠାତା କ୍ଷୀରୋଦ ମଲ୍ଲିକ (୬୮)ଙ୍କର ବୁଧବାର ସମ୍ବଲପୁର ଦାନିପାଲିସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ତାଙ୍କ ପଛରେ ପୁଅ ଦେବବ୍ରତ ଏବଂ ୩ ଝିଅଙ୍କୁ ଛାଡ଼ି ଯାଇଛନ୍ତି। ଆସନ୍ତାକାଲି ଯାଜପୁର ଜିଲ୍ଲା ବିଞ୍ଝାରପୁରସ୍ଥିତ ପୈତୃକ ବାସଭବନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସ୍ବର୍ଗତ ମଲ୍ଲିକ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କର ବଡ଼ଭାଇ ଅଟନ୍ତି।
ସ୍ବର୍ଗତ ମଲ୍ଲିକ ପ୍ରଥମେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ ଭାବେ ଚାକିରି କରିଥିଲେ। ପରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ସେ ୧୯୯୪ ମସିହାରେ ସମ୍ବଲପୁରରେ ସାମାଜିକ ସଙ୍ଗଠନ ‘ବିଶ୍ବ’ ପ୍ରତିଷ୍ଠା କରିଥିଲେ। ଏହି ସମୟରେ ସେ ହଜାର-ହଜାର ସଂଖ୍ୟାରେ ମହିଳା ଏସ୍ଏଚ୍ଜି ଗଠନ କରି ପ୍ରଶଂସିତ ହୋଇଥିଲେ। ତାଙ୍କ ଉଦ୍ୟମରେ ଅସହାୟ ବିଧବା, ମାନସିକ ଅନଗ୍ରସର ମହିଳାଙ୍କ ଥଇଥାନ ପାଇଁ ସ୍ବଧାର, ଗରିବ ବିଦ୍ୟାର୍ଥୀଙ୍କ ପାଇଁ ୧୬ଟି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ରାଜ୍ୟର ୨୨ଟି ଜିଲ୍ଲା ସହିତ ସମ୍ବଲପୁର ମାନେଶ୍ବର ବ୍ଲକ୍ର ୪୦ଟି ଗାଁରେ ସ୍ବଜଳଧାରା କାର୍ଯ୍ୟକାରୀ କରାଯାଇଥିଲା। ୨୦୧୧ ମସିହା ପର୍ଯ୍ୟନ୍ତ ‘ବିଶ୍ବ’ ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ସହଯୋଗୀ ସଂସ୍ଥା ରୂପେ କାର୍ଯ୍ୟ କରୁଥିଲା। ତାଙ୍କ ସାମାଜିକ ସଙ୍ଗଠନରେ ଅନେକ ସଂଖ୍ୟାରେ ଯୁବକ-ଯୁବତୀ ରୋଜଗାର ପାଇଥିଲେ।
ସ୍ବର୍ଗତ ମଲ୍ଲିକ ଅନେକ ସାଂସ୍କୃତିକ ସଙ୍ଗଠନ ଏବଂ ଯାତ୍ରା ଆଦିର ପୃଷ୍ଠପୋଷକ ମଧ୍ୟ ଥିଲେ। ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ମିଳିଥିଲା। ସମ୍ବଲପୁର ସମେତ ରାଜ୍ୟରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବରେ ଜଣାଶୁଣା ଥିଲେ। ତେବେ ପରବର୍ତ୍ତୀ କାଳରେ ଡାଲି ଦୁର୍ନୀତିରେ ଭଉଣୀ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଯୁକ୍ତ ହେବା କ୍ଷୀରୋଦ ମଲ୍ଲିକଙ୍କ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲା। ମାଇକ୍ରୋ ଫାଇନାନ୍ସ ଋଣ ବ୍ୟବସ୍ଥା ନେଇ ‘ବିଶ୍ବ’ ଉପରେ ଇଡି ଚଢ଼ଉ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇ ସେ ଅନେକ ଦିନ ଜେଲ୍ରେ ରହିଥିଲେ। ଜାମିନ ପାଇ ସମ୍ବଲପୁର ଫେରିଥିଲେ ମଧ୍ୟ ‘ବିଶ୍ବ’ର ପ୍ରଭାବ ହ୍ରାସ ପାଇଥିଲା। ଶେଷ ଜୀବନରେ ସେ ଏକୁଟିଆ ହୋଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/kCWaVa46BarPdxlnyc8p.jpg)