ସ୍ବର୍ଣ୍ଣଲତା ପାଳଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ବାଲିଅନ୍ତାର ନବବଧୁ ସ୍ବର୍ଣ୍ଣଲତା ପାଳଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ। ରୋଗୀଙ୍କୁ ହସ୍ପିଟାଲ ଫେରେଇବା ଘଟଣାରେ ସୁପ୍ରିମକୋର୍ଟଙ୍କ ଆଦେଶର ଖୋଲା ଉଲଂଘନ ହୋଇଛି। ଏହି ଘଟଣାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଚଳିତ ବର୍ଷ ରାଜ୍ୟ ସରକାର ତତ୍ପରତା ସହ କୋଭିଡ ପାଇଁ ପଦକ୍ଷେପ ନ ନେବାରୁ ସଂକ୍ରମଣ ବଣ୍ଡା ଜନଜାତିଙ୍କୁ ଆକ୍ରାନ୍ତ କରିଛି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ କେଵଳ ସ୍ଲୋଗାନରେ ସୀମିତ ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀ ମାଝୀ କହିଛନ୍ତି, ମହାମାରୀ ରାଜ୍ୟରେ ଭୟାବହ ରୂପ ନେଲାଣି। ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ପ୍ରଥମେ ସଂକ୍ରମଣ ବ୍ୟାପିଲା। ଅଥଚ ସରକାର ସେତେବେଳେ ତତ୍ପର ହେଲେନାହିଁ। ଏବେ ସମଗ୍ର ଗ୍ରାମାଞ୍ଚଳରେ ସ୍ଥିତି ଭୟାବହ ହେଲାଣି। ଅଫିସରମାନେ କେଵଳ ଉପରଠାଉରିଆ ଭାବେ କାମ କରୁଛନ୍ତି। ସଂକ୍ରମଣ ଆରମ୍ଭରୁ ଗାଁରେ ଟିଏମ୍‌ସି ଖୋଲାଗଲା ନାହିଁ କି କୋଭିଡ ପରୀକ୍ଷା କରାଗଲା ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲପାଳ ଦାୟିତ୍ବ ଦେଇଛନ୍ତି, ଏହା ଆବଶ୍ୟକତା ନା ବାଧ୍ୟବାଧ୍ୟକତା?

ପିସିସି କାର୍ଯ୍ୟକାରୀ ସଭାପତି ରାଜ୍ୟ ସରକାରଙ୍କୁ ଦାୟୀ କରି କେତୋଟି ପ୍ରଶ୍ନ ପଚାରିଛନ୍ତି। କଣ ପାଇଁ ସ୍ବର୍ଗୀୟା ପାଳଙ୍କୁ ଚିକିତ୍ସା ସୁବିଧା ମିଳିଲା ନାହିଁ?

ବାଲିଅନ୍ତା କିମ୍ବା କ୍ୟାପିଟାଲ୍‌ ହସ୍ପିଟାଲରେ କାହିଁକି ତାଙ୍କର ଟେଷ୍ଟିଂ କରାଗଲା ନାହିଁ? ଓଡିଶା ସରକାର କହିଥିଲେ ୭୦ ପ୍ରତିଶତ ଆଇସିୟୁ ବେଡ଼ ଖାଲି ଅଛି। ମହିଳା ଜଣଙ୍କ ବିଭିନ୍ନ ମେଡ଼ିକାଲ ବୁଲିଲେ। ଗତ୧୫ ତାରିଖରେ ସମସ୍ତ ମେଡ଼ିକାଲଗୁଡ଼ିକର ଆଇସିୟୁ ବେଡ଼ ପୂର୍ଣ୍ଣ ଥିଲା କି? ଯଦି ଖାଲି ଥିଲା, ତେବେ ଏହା ସିଧାସଳଖ ହତ୍ୟାକାଣ୍ଡ। ସ୍ବାସ୍ଥ୍ୟମନ୍ତ୍ରୀ ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। କୌଣସି ରୋଗୀଙ୍କୁ ହସ୍ପିଟାଲ ଫେରେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏ ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବି ନିର୍ଦ୍ଦେଶନାମା ଜାରି କରିଥିଲେ। ତଥାପି ସ୍ବର୍ଗୀୟା ପାଳଙ୍କ କ୍ଷେତ୍ରରେ ଏହି ନିର୍ଦ୍ଦେଶନାମାର ଖୋଲା ଉଲଂଘନ ହୋଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଖୋଦ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ଆଦେଶର ଉଲଂଘନ ନେଇ ନିଜଆଡ଼ୁ କୋର୍ଟ ଅବମାନନା ମାମଲା ଋଜୁ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଏହି ଘଟଣାରେ ଅନୁସନ୍ଧାନ କରି ତ୍ବରିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର