କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ଘଟଣା: ସ୍ତ୍ରୀର ଶେଷକୃତ୍ୟ ପାଇଁ ଆସି ସଙ୍ଗରୋଧରେ ସ୍ବାମୀ

ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ପୁଅ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଭାଲୁପିଟା ଗ୍ରାମର ଜଙ୍ଗଲରେ କେନ୍ଦୁପତ୍ର ତୋଳୁଥିବା ବେଳେ ଗାଁର ଶୋଭାଗିନୀ ମଲ୍ଲିକଙ୍କ ସୋମବାର ମୃତ୍ୟୁ ଘଟିଥିଲା। ସ୍ତ୍ରୀର ଶେଷକୃତ୍ୟ ପାଇଁ ଝାରସୁଗୁଡ଼ାରେ ଫସି ରହିଥିବା ସ୍ବାମୀ ପଙ୍କଜ ମଲ୍ଲିକ ସୋମବାର ରାତିରେ ଗାଁରେ ପହଞ୍ଚିଥିଲେ। ତେବେ ଗ୍ରାମବାସୀଙ୍କ ଜିଦ୍‌ ଯୋଗୁଁ ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ତାଙ୍କ ବାପାଙ୍କୁ ନିଜ ଘରେ ଗୃହାବଦ୍ଧରେ ରଖିବାକୁ ଅନୁମତି ଦିଆଯାଉ ବୋଲି ମୃତକଙ୍କ ପୁଅ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୋମବାର କେନ୍ଦୁପତ୍ର ତୋଳୁଥିବା ବେଳେ ଶୋଭାଗିନୀଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପାଇ ଝାରସୁଗୁଡ଼ାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ସ୍ବାମୀ ପଙ୍କଜ ରାତିରେ ନିଜ ଗାଁକୁ ଫେରିଥିଲେ। ଶେଷକୃତ୍ୟ ପରେ ଗ୍ରାମବାସୀଙ୍କ ଚାପ ଯୋଗୁଁ ତାଙ୍କୁ ଗାଁ ସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଅପରପକ୍ଷରେ ଶୋଭାଗିନୀଙ୍କ ପୁଅ ମନୋରଞ୍ଜନ ନିଜ ମା’ ଶୁଦ୍ଧି ‌କାର୍ଯ୍ୟ କରିବା ପାଇଁ କୌଣସି ବିଧି ଜାଣି ନ ଥିବାରୁ ଏ ନେଇ ପାଟଣାଗଡ଼ ବିଡିଓଙ୍କ ପାଖକୁ ଯାଇ ନିଜ ବାପାଙ୍କୁ ଘରେ ଗୃହାବଦ୍ଧରେ ରଖାଯିବା ପାଇଁ ଅନୁମତି ପ୍ରଦାନ କରାଯିବା ନେଇ ଅନୁରୋଧ କରିଥିଲେ। ସେହିପରି ସେ ଗରିବ ପରିବାରର ହୋଇଥିବା ଓ ବର୍ତ୍ତମାନ ‌ବହୁ ଅସୁବିଧାରେ ରହୁଥିବା ଦର୍ଶାଇ ଶୋଭାଗିନୀଙ୍କ ପୁଅ ଆଦିବାସୀ ସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ସହ ଆସି ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସହ‌ାୟତା ପାଇଁ ଆଦେବନ କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ପଦ୍ମାନଭ ପୁରୋହିତଙ୍କ ଭେଟି ଆବେଦନପତ୍ର ପ୍ରଦାନ କରିଛନ୍ତି। ମନୋରଞ୍ଜନଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ପାଟଣାଗଡ଼ ଗଣବାନା ସଂଘ ପକ୍ଷରୁ ମଧ୍ୟ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରା ଯାଇଛି। ବର୍ତ୍ତମାନ ସୁଦ୍ଧା ଭାଲୁପିଟା ଗ୍ରାର ସ୍କୁଲରେ ସଙ୍ଗରୋଧରେ ଥିବା ପଙ୍କଜଙ୍କ ପାଖରେ ପ୍ରଶାସନ ପହଞ୍ଚି ନ ଥିବା ଜଣାପଡ଼ିଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଧୁବଲପଡ଼ାର ସରପଞ୍ଚ ଓ ପିଇଓଙ୍କ ସହିତ ଯୋଗାଯୋଗ କରି ହରିଶ୍ଚିନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ପଙ୍କଜଙ୍କୁ ସ୍କୁଲ ବଦଳରେ ନିଜ ଘରେ ଗୃହାବଦ୍ଧରେ ରଖାଯିବା ପାଇଁ ଗ୍ରାମବାସୀଙ୍କୁ ମନାଇବା ପାଇଁ କହିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ରେଞ୍ଜର ଜଗନ୍ନାଥ ଦାଶ ସୋମବାର ଘଟଣାସ୍ଥଳକୁ ଯାଇ ବ୍ୟକ୍ତିଗତ ଭାବେ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର