ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ୮ ମାସ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁର ୮ମାସ ପରେ ମୁଖ୍ୟ ଖୋଲିଲେ ପତ୍ନୀ ବନଜା ପଣ୍ଡା। ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ଦୁର୍ନୀତି ହୋଇଥିଲା। ଏହାକୁ ଲୁଚାଇବା ପାଇଁ ଦେବ ନାରାୟଣଙ୍କୁ ବଳି ପକାଯାଇଛି। ତଦନ୍ତ ପ୍ରକ୍ରିୟା ଆଦୌ ଆଗେଇ ନ ଥିବା ବେଳେ ଜିଲ୍ଲାପାଳ କିମ୍ବା ପୁଲିସ ସହଯୋଗ କରୁ ନ ଥିବା ଅଭିଯୋଗ କରିଛନ୍ତି। ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ କରାଗଲା ନାହିଁ। ତେଣୁ ପୁଲିସ ଏବଂ ଜିଲ୍ଲାପାଳଙ୍କ ଉପରେ ସନ୍ଦେହ ହେଉଥିବା ଆଜି ଗଣମାଧ୍ୟମକୁ କହିଛନ୍ତି ବନଜା।

ଡିସେମ୍ବର ୨୭ ତାରିଖ ଦିନ ଦିନ ୧୧ଟା ବେଳେ କାର୍ଯ୍ୟାଳୟରେ କିଛି ଘଟିଥିଲା। ଏଥିପାଇଁ ହିଁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ଏ ସଂପର୍କରେ ଡିଆଇଜିଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇବା ସତ୍ତ୍ବେ କେହି ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ପୁଲିସ ତଦନ୍ତରେ କୌଣସି ପ୍ରକାର ସହଯୋଗ କରୁନାହିଁ। ଦେବ ନାରାୟଣଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ହିଁ ଦାୟୀ। ତେଣୁ ଏହାର ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ କରି ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ସେହିପରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଏବଂ କଲେକ୍‌ଟରେଟ୍‌ରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ର ସମୟରେ ମଧ୍ୟ ତାଳମେଳ ରହୁନାହିଁ। ଘଟଣା ଦିନ ମଧ୍ୟ ଘରେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତୁତି ଶେଷ କରି ଦେବ ନାରାୟଣ କାର୍ଯ୍ୟାଳୟକୁ ଯାଇଥିଲେ। ଏହାପରେ କଣ ହେଲା ତାହାକୁ ଲୁଚାଇ ଦେବାକୁ ଚେଷ୍ଟା କରାଯାଉଛି। ପରଦିନ ସକାଳୁ ସେ ଆତ୍ମହତ୍ୟା କରିଥିବା ପ୍ରଚାର କରାଗଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୈତିକ କାର୍ଯ୍ୟ ଚାଲୁଥିଲା। ଏଥିରେ ତାଙ୍କୁ ଜୋର କରି ସାମିଲ କରାଯାଇଛି ଏବଂ କାର୍ଯ୍ୟାଳୟରେ ତାଙ୍କ ଉପରେ ଜିଲ୍ଲାପାଳ ହାତ ଉଠାଇଥିବା ନେଇ ବି ବନଜା ଅଭିଯୋଗ କରିଛନ୍ତି।

ଦେବ ନାରାୟଣଙ୍କ ମୃତ୍ୟୁର ୫ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨୨ତାରିଖ ଦିନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଶାସନର ମୁଖା ଖୋଲିଦେବେ ବୋଲି ଚେତାବନୀ ଦେଇଥିଲେ। କିଭଳି ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି ତାହାର ତଥ୍ୟ ଦେବେ ବୋଲି କହିଥିଲେ। ଏହାପରେ ଜିଲ୍ଲାପାଳ ରାତିରେ ଶୋଇ ପାରୁ ନ ଥିଲେ। ସେହିଦିନଠାରୁ ସ୍ବାମୀଙ୍କ ଉପରେ ଅନେକ ପ୍ରକାର ଚାପ ପଡ଼ିବା ଆରମ୍ଭ ହୋଇଥିଲା। ଏପରିକି ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଜିଲ୍ଲାପାଳ। ସରକାରୀ ଗାଡ଼ି ବ୍ୟବହାର କରିବାରୁ ଏହି ନୋଟିସ୍ ଜାରି ହୋଇଥିଲା। କିନ୍ତୁ ଡ୍ରାଇଭରଙ୍କୁ କୌଣସି ଉତ୍ତର ମଗାଯାଇ ନ ଥିବାରୁ ସନ୍ଦେହ ହେଉଛି ବୋଲି ବନଜା କହିଛନ୍ତି। ସେହିପରି ପୁଅ ବିବେକ ମଧ୍ୟ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ସେ ବାରମ୍ବାର ଏନେଇ କଥା ହେବାକୁ ଚାହୁଁଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କୁ ସାକ୍ଷାତ କରିବାକୁ ଡାକି ନଥିଲେ କିମ୍ବାର ତାଙ୍କ ଫୋନର ଉତ୍ତର ରଖୁ ନଥିଲେ। ଏପରିକି ଲିଖିତ ଭାବେ ଜଣାଇବା ସତ୍ତ୍ବେ ଜିଲ୍ଲାପାଳ କୌଣସି ଉତ୍ତର ଦେଉ ନ ଥିବା କହିଛନ୍ତି। ଜିଲ୍ଲାପାଳଙ୍କ ବିରୋଧରେ ବାରମ୍ବାର ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ତଥାପି ସରକାର ଏଥିପ୍ରତି ଦୃଷ୍ଟି ଦେଇ ନ ଥିବା ବେଳେ ଦେବ ନାରାୟଣଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ବି ଚାପି ଦିଆଯାଇଛି। ଏତେ ସବୁ ଘଟିଗଲେ ମଧ୍ୟ ସରକାର ଚୁପ୍‌ ରହିବା ସାଧାରଣରେ ସଂଦେହ ସୃଷ୍ଟ କରୁଛି ବୋଲି ପ୍ରଦୀପ ମାଝି ଏବଂ ସ୍ବର୍ଗତ ପଣ୍ଡାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ପ୍ରଦୀପ ମାଝି ଏ ନେଇ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କ ଅସଲ ଚେହେରା ସାମ୍‌ନାକୁ ଆଣିବେ ବୋଲି ପୁଣି ଚେତାବନୀ ଦେଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର