ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଶରଧାପାଲି ଗ୍ରାମରେ ଶୁକ୍ରବାର ରାତିରେ ବଡ଼ଭାଇ ଶଶି ରାଉତ (୪୭ ବର୍ଷ)ର ଠେଙ୍ଗାମାଡ଼ରେ ସାନଭାଇ ମଙ୍ଗଳୁ ଓରଫ୍ ଜନରଞ୍ଜନ ରାଉତ (୩୬ ବର୍ଷ)ଙ୍କ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୦ ଟାରେ ଶରଧାପାଲି ଗ୍ରାମର ଶଶି ପାଟିତୁଣ୍ଡ କରୁଥିଲେ। ସାନଭାଇ ମଙ୍ଗଳୁ ବଡ଼ଭାଇ ଶଶି ପାଖକୁ ଯାଇ ପାଟିତୁଣ୍ଡ ବନ୍ଦ କରିବା ପାଇଁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶଶି ଏକ ଠେଙ୍ଗାରେ ମଙ୍ଗଳୁଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଫଳରେ ମଙ୍ଗଳୁ ସଂଜ୍ଞାହୀନ ହୋଇ ପଡ଼ିଥିଲ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶଶିକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବିଭୁତି ଭୂଷଣ ଦଳାଇ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲଗା ଠେଙ୍ଗା ଓ ରକ୍ତ ଭିଜା ଲୁଗା ଜବତ କରାଯାଇଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଆସି ରକ୍ତ ନମୁନା ସଂଗ୍ରହ କରିଥିବାର ପ୍ରକାଶ।