ଭୁବନେଶ୍ବର : ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସୁଦ୍ଧା ଓଡ଼ିଶା ସରକାର କି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ମୃତ୍ୟୁ ସଂଖ୍ୟାକୁ ଗ୍ରହଣ କରିବାକୁ ନାରାଜ। ଠିକ୍ ଏହି ସମୟରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମୃତକଙ୍କ ସଂଖ୍ୟା ଆଉ ୧୩ ବଢ଼ାଇ କହିଛନ୍ତି ଯେ, ଦୁର୍ଘଟଣାରେ ୨୮୮ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ବାଲେଶ୍ବର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ଦେଇଛନ୍ତି। ତିନି ଦିନ ତଳେ ମୁଖ୍ୟ ସଚିବ ରେଲୱେର ତଥ୍ୟକୁ ଆଧାର କରି ମୃତକଙ୍କ ସଂଖ୍ୟା ୨୮୮ ଜଣ ଘୋଷଣା କରିଥିଲେ ହେଁ ଏହା ପରଦିନ ୨୭୫ଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ଏବେ ପୁଣି ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା କହିବା ପରେ ମୃତକଙ୍କ ସଂଖ୍ୟା ପୁଣି ଚର୍ଚ୍ଚାକୁ ଆସିଛି।
ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ମୃତକଙ୍କ ସଂଖ୍ୟାକୁ
ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ୧୦୩ ଜଣଙ୍କର ମୃତଦେହ ଚିହ୍ନଟ ହୋଇଛି। ଏବେବି ୩୧ ଜଣ ନିଖୋଜ ଅଛନ୍ତିି। ୯୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ରେଳ ଦୁର୍ଘଟଣାରେ ଅନେକ ଜୀବନ ଯାଇଛି। ଘଟଣାକୁ ନେଇ ରାଜନୀତି କରାନଯାଉ। କିନ୍ତୁ ସତ ସାମ୍ନାକୁ ଆସୁ।
ଅର୍ଥାତ୍ ମମତାଙ୍କ ହିସାବରେ ପଶ୍ଚିମବଙ୍ଗର ୧୩୪ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଚିହ୍ନଟ ହୋଇଥିବା ୩୯ଜଣ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିରେ ବାଲେଶ୍ୱରରୁ ୧୪ଜଣ, ଭଦ୍ରକରୁ ୮, ଯାଜପୁରରୁ ୨, ମୟୁରଭଞ୍ଜରୁ ୯, ଖୋର୍ଦ୍ଧାରୁ ୨, କଟକରୁ ୩, କେନ୍ଦୁଝରରୁ ଜଣଙ୍କର ମୃତ୍ୟୁ ହୋଇଛି।
ରାଜ୍ୟ ସରକାର ମୋଟ୍ ୨୮୮ଜଣଙ୍କର ମୃତ୍ୟୁ ହୋଇଥିବା କହିଥିବା ବେଳେ ଏଥିରୁ ୨୦୫ଜଣଙ୍କର ମୃତଦେହ ଚିହ୍ନଟ ହୋଇଥିବା ଜଣାଇଛନ୍ତି। ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ତଥ୍ୟ ଅନୁଯାୟୀ ଏହି ଦୁଇ ରାଜ୍ୟରୁ ୧୪୨ଜଣଙ୍କର ମୃତ ଦେହ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗ ସରକାର ଆଉ ୩୧ଜଣ ନିଖୋଜ ଥିବା କହୁଥିବାବେଳେ ରାଜ୍ୟ ସରକାର ଓଡ଼ିଶାରେ ଆଉ କିଏ ନିଖୋଜ ଅଛନ୍ତି କି ନାହିଁ କହିନାହାନ୍ତି। ତେଣୁ ଚିହ୍ନଟ ହୋଇଥିବା ବାକି ୬୨ଜଣ କେଉଁ ରାଜ୍ୟର ତାହା ଏବେ ସୁଦ୍ଧା ଜଣାପଡ଼ିନି। କେବଳ ଏତିକି ନୁହେଁ ପଶ୍ଚିମବଙ୍ଗର ବହୁ ଲୋକ ସେମାନଙ୍କ ସମ୍ପର୍କୀୟଙ୍କୁ ଏହି ମୃତକଙ୍କ ତାଲିକାରେ ପାଉନଥିବାରୁ ସେମାନେ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠିଛି?
ଆଜି ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମୁଖ୍ୟ ସଚିବ କହିଛନ୍ତି ଯେ, ଗତକାଲି ମୃତ୍ୟୁ ସଂଖ୍ୟା ୨୭୫ କୁହାଯାଇଥିଲା। ଏହାପରେ ରେଳ ଟ୍ରାକରୁ ୩୦ମିଟର ଓ ପରେ ୭୦ମିଟର, ଦୁଇପାର୍ଶ୍ବରେ ୨୦୦ଫୁଟ ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥାନର ପୁଙ୍ଖାନୁପୁଙ୍ଖ ତନଖି ଏବଂ ଯାଞ୍ଚ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ବାଲେଶ୍ବର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟରେ ମୃତକଙ୍କ ସଂଖ୍ୟା ୨୮୮ ଥିବା କହିଛନ୍ତି।
ଭୁବନେଶ୍ବରକୁ ପ୍ରଥମେ ଜିଲ୍ଲାରୁ ୧୯୩ଟି ମୃତଦେହ ପଠାଯାଇଥିଲା, ଯାହାକି ବିଭିନ୍ନ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ବାଲେଶ୍ବରଠାରେ ଜିଲ୍ଲା ମଧ୍ୟରେ ଟ୍ରାକ୍ରୁ ହସ୍ପିଟାଲ ପର୍ଯ୍ୟନ୍ତ ରେକର୍ଡ ଯାଞ୍ଚ କରି ଜିଲ୍ଲା ସ୍ତରର ୯୪ଟି ମୃତଦେହ ଚିହ୍ନଟ ପୂର୍ବକ ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିଥିଲେ। ସେହିପରି ଭଦ୍ରକରେ ଚିକିତ୍ସିତ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ମୃତଦେହ ଚିହ୍ନଟ ପରେ ତାହା ତାଙ୍କର ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୮୮ଜଣ ବୋଲି ରେଲୱେ ପୁଲିସ ମଧ୍ୟ ତାଙ୍କ ପତ୍ରରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଏବେ ସଂକଟାପନ୍ନ ସ୍ଥିତିରେ ଅଛନ୍ତି।
ସେହିପରି ୯୬ଟି ଆମ୍ବୁଲାନ୍ସରେ ୧୯୩ଟି ମୃତଦେହକୁ ଭୁବନେଶ୍ବର ଅଣାଯାଇଥିଲା। ସେଥିରୁ ଆଜି ଅପରାହ୍ନ ସୁଦ୍ଧା ୧୧୦ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ବାଲେଶ୍ବରରେ ୯୪, ଭଦ୍ରକରେ ଜଣେ, ଭୁବନେଶ୍ବରରେ ୧୧୦ ଜଣଙ୍କୁ ମିଶାଇ ୨୦୫ଟି ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଛି। ଆଉ ୮୩ଟି ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ରହିଛି। ଚିହ୍ନଟ ହୋଇପାରିନଥିବା ମୃତଦେହଗୁଡ଼ିକର ଡିଏନ୍ଏ ନମୁନା ସଂଗ୍ରହ କରାଯାଇଛି। ଯାହାକି ପରବର୍ତ୍ତୀ ସମୟରେ ଚିହ୍ନଟ ପ୍ରକ୍ରିୟାକୁ ସାହାଯ୍ୟ କରିବ। ଆସନ୍ତାକାଲି ସୁଦ୍ଧା ମୃତଦେହ ଚିହ୍ନଟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଶ୍ରୀ ଜେନା କହିଛନ୍ତି।