ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା: ପୁଅ, ଝିଅଙ୍କ ପରେ ଆଖି ବୁଜିଲେ ମା’; ବାପା ଗୁରୁତର

ଖାଦ୍ୟ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ମାଣିଆବନ୍ଧ : ବିଷାକ୍ତ ଖାଦ୍ୟ ଉଜାଡ଼ି ଦେଇଛି ପରିବାର। ଗତକାଲି ଭାଇ, ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଦିନ ଚିକିତ୍ସିତ ହେଉଥିବା ମା’ ରୁନୁବାଳା ପାତ୍ର(୩୬)ଙ୍କର ମୃତ୍ୟୁ ଘଟିଛି। ଏହିପରି ଭାବେ ବଡ଼ମ୍ବା ବ୍ଳକ ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବରପୁର ଗ୍ରାମର ଗୋଟିଏ ପରିବାରରେ ୩ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ବାପା ଗୋବିନ୍ଦ ପାତ୍ର ଏବେ ବି ଗୁରୁତର ରହିଛନ୍ତି।

ହସ୍ତଗତ ସୂଚନା ଅନୁସାରେ, ଗୁରୁବାର ଦିନ ସନ୍ଧ୍ୟାରେ ଘରେ ଚାଟ୍‌ ତିଆରି କରି ପରିବାରର ସମସ୍ତେ ଖାଇଥିଲେ। ସେହି ରାତିରେ ସମସ୍ତେ ଝାଡ଼ା, ବାନ୍ତିରେ ଆକ୍ରାନ୍ତ ହୋଇ ଶୁକ୍ରବାର ଦିନ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ରୁଚିକା ପାତ୍ର(୮)ର ମୃତ୍ୟୁ ହୋଇଥିଲା ଓ ପରେ ପୁଅ ରୁଦ୍ରପ୍ରସାଦର ମୃତ୍ୟୁ ହୋଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଦୁଇ ପିଲାଙ୍କ ଜୁଇ ଜଳିଥିଲା। ଏପଟେ, ଗୁରୁତର ଅବସ୍ଥାରେ ବାପା ଗୋବିନ୍ଦ ପାତ୍ର ( ୪୧)  ଓ ମା’ ରୁନୁବାଳା (୩୬)ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ରୁନୁବାଳାଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁତର ଗୋବିନ୍ଦ ଏବେ ବି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

 

ପୁଅ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ ମନରୁ ଯାଇ ନଥିବା ବେଳେ ଗତ ରାତିରେ ପତ୍ନୀ ରୁନୁବାଳାଙ୍କ ମୃତ୍ୟୁପରେ ରବିବାର ଦିନ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଛି। ଏହି ଘଟଣା ପରେ ସାରା ଗାଁ ଯେମିତି ସ୍ତବ୍‌ଧ ହୋଇଯାଇଛି। ଏପରିକି, କୌଣସି ଅପମିଶ୍ରିତ ଜିନିଷ ବ୍ୟବହାର କରାଯାଇଥିବାରୁ ଖାଦ୍ୟ ସମ୍ପୂର୍ଣ୍ଣ ବିଷାକ୍ତ ହୋଇଥିବା ସନ୍ଦେହ କରାଯାଉଛି। ସିଡିଏମ୍‌ଓଙ୍କ କାର୍ଯ୍ୟାଳୟର ଖାଦ୍ୟ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘରେ ପଡ଼ିଥିବା ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି। ସଂଗୃହୀତ ନମୁନାକୁ ଯାଞ୍ଚ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି। ଖାଦ୍ୟକୁ ପରୀକ୍ଷା କରିବାପରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର