ରାଜ୍ୟରେ ସଡ଼କ ଦୁର୍ଘଟଣା ମୃତ୍ୟୁ ଜାତୀୟ ହାରଠୁ ବେଶି

ସଡ଼କ ନିରାପତ୍ତା କମିସନରେଟ୍‌ ଓ ପ୍ରାଧିକରଣ ଗଠନ ପାଇଁ ପ୍ରସ୍ତାବ

୫ ବର୍ଷରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୩୬% ବୃଦ୍ଧି
ମୃତକଙ୍କ ମଧ୍ୟରେ ୧୮ ରୁ ୪୫ ବର୍ଷ ବୟସ୍କଙ୍କ ହାର ୭୬%

ଭୁବନେଶ୍ୱର : ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତାହତ ସଂଖ୍ୟାକୁ ୫୦ % ହ୍ରାସ କରିବାଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ କମିଟି ଓଡ଼ିଶା ସରକାରଙ୍କ ପାଇଁ ୫ ବର୍ଷିଆ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ୨୦୧୯ ସୁଦ୍ଧା ବିଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୩୬ % ବୃଦ୍ଧି ପାଇଛି। ଚଳିତ ୨୦୨୧ ଜାନୁଆରିରୁ ଏପ୍ରିଲ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୨୭ % ବଢ଼ିଛି। ସର୍ବ ଭାରତୀୟ ହାର ଅନୁଯାୟୀ ପ୍ରତି ୧୦୦ଟି ସଡ଼କ ଦୁର୍ଘଟଣାରେ ୩୬.୬ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ ସର୍ବାଧିକ ୪୮ ଜଣରୁ ଅଧିକ (୪୮.୨) ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ମୃତକଙ୍କ ମଧ୍ୟରେ ୧୮ରୁ ୪୫ ବର୍ଷ ବୟସ୍କଙ୍କ ହାର ୭୬ %। ସଡ଼କ ଦୁର୍ଘଟଣା ଯୋଗୁ ବର୍ଷକୁ ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୩.୧୬ % କ୍ଷତି ହେଉଛି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ କମିଟି କ୍ଷୋଭ ପ୍ରକାଶ କରିବା ସହ ସଡ଼କ ନିରାପତ୍ତା ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ତୁରନ୍ତ ଅନୁପାଳନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

accident

ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତାହତଙ୍କ ସଂଖ୍ୟା ନିୟନ୍ତ୍ରଣ ଲକ୍ଷ୍ୟରେ ଉନ୍ନୟନ କମିସନର ପିକେ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ କେରଳ, ତାମିଲନାଡ଼ୁ, ଗୁଜରାଟ ଓ କର୍ଣ୍ଣାଟକ ଭଳି ଆମ ରାଜ୍ୟରେ ସଡ଼କ ନିରାପତ୍ତା କମିସନରେଟ୍‌ ଗଠନ କରାଯିବ। ଅନ୍ୟୁନ ୧୬ ବର୍ଷ ଅଭିଜ୍ଞତା ଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କିମ୍ବା ଭାରତୀୟ ପୁଲିସ୍‌ ସେବା (ଆଇପିଏସ୍‌)ର ବରିଷ୍ଠ ଅଧିକାରୀଙ୍କୁ ସଡ଼କ ନିରାପତ୍ତା କମିସନର୍‌ ଭାବେ ନିଯୁକ୍ତ କରାଯିବ। ଦ୍ୱିତୀୟରେ ରାଜ୍ୟ ସଡ଼କ ନିରାପତ୍ତା ପ୍ରାଧିକରଣ ଗଠନ ହେବ ଓ ଏଥି ସକାଶେ ବାଣିଜ୍ୟ ଓ ପରିବହନ ବିଭାଗ ଆଇନଗତ ପଦକ୍ଷେପ ନେବ। ସଡ଼କ ନିରାପତ୍ତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସକାଶେ ଆବଶ୍ୟକ ଅନୁଯାୟୀ ନୂଆ ପଦ ସୃଷ୍ଟି କରାଯାଇ ସେସବୁକୁ ନୂଆ ନିଯୁକ୍ତି କିମ୍ବା ବଳକା କର୍ମଚାରୀଙ୍କୁ ପୁନଃ ମୁତୟନ ଜରିଆରେ ପୂରଣ କରାଯିବ।

Telegraph Indi

ବୈଠକରେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜ୍ୟର ପାଖାପାଖି ଅଢ଼େଇ ଲକ୍ଷ କିଲୋମିଟର ରାସ୍ତାରେ ୮୧ ଲକ୍ଷ ଗାଡ଼ି ଚାଲିଛି। ଏହି ରାସ୍ତାରେ ପ୍ରାୟ ୧୫ ଶହଟି ଦୁର୍ଘଟଣାପ୍ରବଣ ସ୍ଥାନ (ବ୍ଲାକ୍‌ ସ୍ପଟ୍‌) ଚିହ୍ନଟ ହୋଇଥିବା ବେଳେ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କ ତୁରନ୍ତ ଚିକିତ୍ସା ଲାଗି ଆବଶ୍ୟକ ଟ୍ରମା କେୟାର୍‌ କେନ୍ଦ୍ର ନାହିଁ। ଏହି କାରଣରୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଦୁର୍ଘଟଣା ନିୟନ୍ତ୍ରଣ ଲାଗି ଏବେ ପରିବହନ ବିଭାଗ ରାସ୍ତା ନିରାପତ୍ତା ସହ ଜଡ଼ିତ ପୂର୍ତ୍ତ, ସ୍ୱାସ୍ଥ୍ୟ, ସ୍ୱରାଷ୍ଟ୍ର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ କାର୍ଯ୍ୟ କରୁଛି।

ଯାନବାହନ ଟିକସ ଅସୁଲଠାରୁ ଆରମ୍ଭ କରି ଲାଇସେନ୍ସ, ପରମିଟ୍‌ ସମେତ ବିଭିନ୍ନ ସେବା ନିର୍ବାହ ଦୃଷ୍ଟିରୁ ପରିବହନ ବିଭାଗ ଭାରାକ୍ରାନ୍ତ। ତେଣୁ ଦୁର୍ଘଟଣା ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ରହିଛି। ମୋଟାମୋଟି ଭାବେ ଦୁର୍ଘଟଣା ଓ ତତ୍‌ଜନିତ ମୃତାହତ ସଂଖ୍ୟାକୁ ହ୍ରାସ କରିବା ଲାଗି ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରଯାଏ ବିଭିନ୍ନ ବିଭାଗର ପ୍ରତ୍ୟକ୍ଷ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ଦୁର୍ଘଟଣାର କାରଣ ସମ୍ପର୍କରେ ନିୟମିତ ବିଶ୍ଳେଷଣ ସହ ନିରାକରଣ ପନ୍ଥା ନିର୍ଣ୍ଣୟ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର