ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘୁଣୀ ଜୀନତ୍‌କୁ ନେଇ ଚର୍ଚ୍ଚା ବଢ଼ୁଛି। ଜୁଲାଇ ୩ ତାରିଖରେ ସେ ତିନି ମାସର ଗର୍ଭବତୀ ଥିବାନେଇ ପିସିସିଏଫ୍‌ କହିଥିବା ବେଳେ ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ଆରମ୍ଭରେ ଶାବକକୁ ଜନ୍ମ ଦେବ ବୋଲି ଆଶା କରାଯାଉଥିଲା। ହେଲେ ନଭେମ୍ବର ଦ୍ବିତୀୟ ସପ୍ତାହ ‌ହେଲାଣି ଜୀନ୍‌ତ ଖୁସିଖବର ଦେଇନି। ଗୋଟିଏ ମହାବଳ ବାଘର ଗର୍ଭଧାରଣ ସମୟ ୧୦୫ରୁ ୧୨୦ ଦିନ। ସମୟ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ସେ ସୁସ୍ଥ ଭାବେ ବୁଲିବା ସହ ନିୟମିତ ଶିକାର କରୁଥିବାରୁ ଶାବକ ଜନ୍ମ ନେଇ ଦ୍ବନ୍ଦ୍ବ ଉପୁଜିଛି।  

Advertisment

ମହାରାଷ୍ଟ୍ରରୁ ଆସିଥିବା ଜୀନତ୍ ମେ ମାସରେ ମେଲାନିଷ୍ଟିକ୍ ମହାବଳ ବାଘ (ଟି-୧୨) ସହ ସଙ୍ଗମ କରି ଗର୍ଭବତୀ ରହିଥିବା ଜୁଲାଇ ୨୦୨୫ରେ ଓଡ଼ିଶା ବନ ବିଭାଗ ଘୋଷଣା କରିଥିଲା। ଟ୍ରାପ୍‌ କ୍ୟାମେରାରେ ତା’ର ମିଳନର ଫଟୋ ଧରାପଡ଼ିଥିଲା। ପ୍ରିନ୍ସିପାଲ୍ ଚିଫ୍ କନଜର୍ଭେଟର୍ ଅଫ୍ ଫରେଷ୍ଟ (ଵାଇଲ୍ଡଲାଇଫ୍) ପ୍ରେମ୍ କୁମାର ଝା କହିଥିଲେ ଆଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭରେ ଶାବକ ଜନ୍ମ ହେବା ନେଇ ଆଶା କରାଯାଉଛି। କିନ୍ତୁ ନଭେମ୍ବର ଦ୍ବିତୀୟ ସପ୍ତାହ ଆରମ୍ଭ ହୋଇଥିଲେ ବି ଶାବକ ଜନ୍ମ ହୋଇନାହିଁ। ୨୪ ଘଣ୍ଟିଆ ଟ୍ରାକିଂ ସିଷ୍ଟମ୍‌ ଦ୍ବାରା ପର୍ଯ୍ୟବେକ୍ଷଣ କରାଯାଉଥିବାବେଳେ ଶାବକ ଜନ୍ମ ନେଇ କୌଣସି ରିପୋର୍ଟ ମଧ୍ୟ ସମ୍ମୁଖକୁ ଆସିପାରିନି। ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମନାକୁ ଆସୁଥିବା ବେଳେ ଗର୍ଭପାତ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ତେବେ ଜୀନତ୍‌ର ଗର୍ଭଧାରଣ ନେଇ କଣ ସମସ୍ୟା ଦେଖାଦେଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ ତିନି ମାସ ପ୍ରବଳ ବର୍ଷା ହୋଇଥିବାରୁ ମଳ ନମୁନା ସଂଗ୍ରହ କରି ହରମନ୍ ପରୀକ୍ଷା ହୋଇପାରି ନଥିଲା।  ଚାପ, ଖାଦ୍ୟ ଅଭାବ ବା ଅନ୍ୟ କାରଣରୁ ବନ୍ୟଜନ୍ତୁଙ୍କ ଠାରେ ୨୦-୩୦% ଗର୍ଭପାତ ହୋଇଥାଏ। ନିୟନ୍ତ୍ରିତ ଟ୍ରାଙ୍କୁଲାଇଜର ମଧ୍ୟ କାରଣ ହୋଇପାରେ। 

ଏ ନେଇ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ଜୀନତ୍ ବର୍ତ୍ତମାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମୁଖ୍ୟ ଅଞ୍ଚଳରେ ବିଚରଣ କରୁଛି। ସେ ନିୟମିତ ବ୍ୟବଧାନରେ ସମ୍ବର, ହରିଣ, ବନ୍ୟଜନ୍ତୁଙ୍କୁ ଶିକାର କରୁଛି। ୨୪ଘଣ୍ଟିଆ ଟ୍ରାକିଂ କରି ନିରୀକ୍ଷଣ କରାଯାଉଛି। ତାର ଅବସ୍ଥାନ ସମ୍ପର୍କରେ ସାଟେଲାଇଟ୍ ମାଧ୍ୟମରେ ମଧ୍ୟ ନିୟମିତ ରିପୋର୍ଟ ରଖାଯାଉଛି। ସେ ଏବେ ସୁସ୍ଥ ରହିଛି। ତେବେ ଜଙ୍ଗଲୀ ଜନ୍ତୁର ଗର୍ଭଧାରଣ ସ୍ଥିତି ବିଷୟରେ ଆମେ କେବେ ନିଶ୍ଚିତ ଭାବେ ଜାଣିପାରିବା ନାହିଁ। ନମୁନା ସଂଗ୍ରହ ବିନା ସ୍ପଷ୍ଟ ଭାବେ କିଛି କୁହାଯାଇ ପାରିବନି ବୋଲି ସେ କହିଛନ୍ତି।