ନିଷ୍ପତ୍ତିରେ ଅଟକିଛି ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି

୧୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୨୩ ଶଯ୍ୟା, ୭୦ ଆଇସିୟୁ ଶଯ୍ୟା କେବେ?

ଭୁବନେଶ୍ବର: ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶଯ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୨୩ ଶଯ୍ୟା ବୃଦ୍ଧି ପାଇଁ ମଞ୍ଜୁର ହୋଇଛି। ହେଲେ କାଗଜକଲମରେ ହୋଇଥିବା ଏହି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ବାସ୍ତବ ରୂପ ପାଇ ପାରିନାହିଁ। କେବେ ଏସବୁ ହସ୍ପିଟାଲରେ ଶଯ୍ୟା ବୃଦ୍ଧି କରାଯିବ, ତାହା ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସ୍ପଷ୍ଟ କରିପାରୁ ନାହାନ୍ତି।

ସରକାରୀ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଛି। ପରିସ୍ଥିତି ଏପରି ହେଉଛି ଯେ ଅଧିକାଂଶ ସମୟରେ ରୋଗୀମାନଙ୍କୁ ତଳେ ଶୋଇବାକୁ ପଡ଼ୁଛି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ରାଜ୍ୟସାରା ବିଭିନ୍ନ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳୁଛି। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ବୃଦ୍ଧି କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଗତ ମାର୍ଚ ମାସରେ ସ୍ବାସ୍ଥ୍ୟ ବିଭାଗ ଅନୁଗୁଳ, ଦେବଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା, ଜୟପୁର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲା। ଅନୁଗୁଳରେ ୯୨ ଶଯ୍ୟା ଥିବା ବେଳେ ୨୦୮ ଶଯ୍ୟା ବୃଦ୍ଧି, ଦେବଗଡ଼ ୬୦ ଶଯ୍ୟାରେ ୧୪୦ ବୃଦ୍ଧି, କଳାହାଣ୍ଡି ୧୭୫ ଶଯ୍ୟାରେ ୧୦୦ ବୃଦ୍ଧି, କେନ୍ଦ୍ରାପଡ଼ାରେ ୧୯୫ ଶଯ୍ୟାରେ ୫୫ ଶଯ୍ୟା ବୃଦ୍ଧି, ଜୟପୁରରେ ୧୪୫ ଶଯ୍ୟାରେ ୧୦୫ବୃଦ୍ଧି, ମାଲକାନଗିରିରେ ୧୨୫ଶଯ୍ୟାରେ ୭୫ବୃଦ୍ଧି, ନବରଙ୍ଗପୁରରେ ୧୦୨ଶଯ୍ୟାରେ ୯୮ ବୃଦ୍ଧି, ନୟାଗଡ଼ାରେ ୧୪୯ ଶଯ୍ୟାରେ ୧୦୧ ବୃଦ୍ଧି, ସମ୍ବଲପୁରରେ ୨୨୧ଶଯ୍ୟାରେ ୫୦ ବୃଦ୍ଧି, ଆରଜିଏଚ୍‌ ରାଉରକେଲାରେ ୨୦୯ଶଯ୍ୟାରେ ୧୯୧ ଶଯ୍ୟା ବୃଦ୍ଧି ପାଇଁ ଯୋଜନା ହୋଇଥିଲା। ଏହି ୧୦ ଜିଲ୍ଲାରେ ପୂର୍ବରୁ ୧୪୭୩ ଶଯ୍ୟା ରହିଥିବା ବେଳେ ଆହୁରି ୧୧୨୩ ଶଯ୍ୟା ବୃଦ୍ଧି ହେବା ଫଳରେ ଏହା ୨୫୯୬କୁ ବୃଦ୍ଧି ପାଇବ। ମାତ୍ର ଗତ ୯ ମାସ ଭିତରେ ଏସବୁ ହସ୍ପିଟାଲରେ ମଞ୍ଜୁର ହୋଇଥିବା ଶଯ୍ୟାରେ ବୃଦ୍ଧି ଘଟିନାହିଁ। ସେହିପରି ୧୦ଟି ହସ୍ପିଟାଲରେ ଆଇସିୟୁ ଶଯ୍ୟା ବୃଦ୍ଧି ପାଇଁ ମଧ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। କ୍ୟାପିଟାଲ ହସ୍ପିଟାଲରେ ୧୬, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ଅନୁଗୁଳ, ବରଗଡ଼, ଯାଜପୁର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି ଲେଖାଏଁ ଆଇସିୟୁ ଶଯ୍ୟା ବୃଦ୍ଧି ପାଇଁ ମଞ୍ଜୁର କରାଯାଇଥିଲା। ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଶଯ୍ୟା ବୃଦ୍ଧି ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅପରପକ୍ଷରେ ବିଭାଗୀୟ ଅଧିକାରୀଙ୍କ କହିବା କଥା, ଚଳିତବର୍ଷ କରୋନା ମହାମାରୀ ପାଇଁ ଶଯ୍ୟା ବୃଦ୍ଧି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସଂକ୍ରମଣ ପାଇଁ ଜିଲ୍ଲାସ୍ତରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପଡ଼ିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ବୃଦ୍ଧି ପାଇଁ ଆବଶ୍ୟକ ଜାଗା ଓ ଡିଜାଇନ୍‌ ନେଇ ସମସ୍ୟା ଉପୁଜିଥିଲା। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶଯ୍ୟା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଗା ଚିହ୍ନଟ ହୋଇଛି। ଜିଲ୍ଲା ଚିକିତ୍ସାଳୟରେ ଯେଉଁ ବିଲ୍ଡିଂ ନିର୍ମାଣ ହେବ ତାହାର ଡିଜାଇନ୍‌କୁ ମଧ୍ୟ ଅନୁମତି ମିଳି ସାରିଛି। ତେବେ ଚଳିତବର୍ଷ କରୋନା ପାଇଁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଆଗକୁ କାର୍ଯ୍ୟ ଏହି କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର