ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି, ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ କମିଲା

ସିଇଟି ହେବ ବିପିୟୁଟିର ଅନୁବନ୍ଧିତ ମହାବିଦ୍ୟାଳୟ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) କୁଳପତିଙ୍କ କାର୍ଯ୍ୟକାଳ କମିବ। ରାଜ୍ୟର ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ପରି ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ଏଣିକି ୫ ବର୍ଷ ବଦଳରେ ୪ ବର୍ଷ କରିବାକୁ ରାଜ୍ୟ କ୍ୟାବିନେଟ୍‌ରେ ମୋହର ମରାଯାଇଛି। ଏଥିସହ ଛାତ୍ରଛାତ୍ରୀ ବିଶୃଙ୍ଖଳା ନିୟନ୍ତ୍ରଣ ଲାଗି କୁଳପତିଙ୍କ ଦ୍ବାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଅନୁଶାସନ କମିଟି ଗଠନ ହେବ। ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳାଧିପତି/କୁଳପତି ଦ୍ବାରା ଚୟନ କମିଟି ଗଠନ ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ ସହ କରାଯିବାର ପ୍ରସ୍ତାବ ରହିଛି।

ବିଧାନସଭାରେ ଉପସ୍ଥାପିତ ହେବ ବିପିୟୁଟି ବାର୍ଷିକ ରିପୋର୍ଟ
ଜାଭିଅର ବିଶ୍ବବିଦ୍ୟାଳୟ, ଓଡ଼ିଶା ନାଁ ବଦଳିଲା
ଅନ୍‌ଲାଇନ୍‌ରେ ଶିକ୍ଷା ଦେବ ଜାଭିଅର ବିଶ୍ବବିଦ୍ୟାଳୟ

କ୍ୟାବିନେଟ୍ ନିଷ୍ପତ୍ତିକ୍ରମେ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ସୁପରିଚାଳନା ପାଇଁ ୨୦୦୨ ବିପିୟୁଟି ଆଇନରେ ସଂଶୋଧନ କରାଯାଇ କନ୍‌ଷ୍ଟିଚ୍ୟୁଏଣ୍ଟ କଲେଜର ସଂଜ୍ଞାର ପୁନଃ ନିରୂପଣ କରାଯାଇଛି। ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଭୁବନେଶ୍ବରସ୍ଥିତ ସିଇଟି ଆଉ ବିପିୟୁଟିର ଏକ କନ୍‌ଷ୍ଟିଚ୍ୟୁଏଣ୍ଟ କଲେଜ ହୋଇ ରହିବ ନାହିଁ। ବରଂ ଏହା ବିଶ୍ବବିଦ୍ୟାଳୟର ଏକ ଅନୁବନ୍ଧିତ ମହାବିଦ୍ୟାଳୟ ଭାବେ ପରିଗଣିତ ହେବ ଏବଂ ନିଜସ୍ବ ବୋର୍ଡ ଅଫ୍‌ ଗର୍ଭନାନ୍ସରେ ପରିଚାଳିତ ହେବ। ବିପିୟୁଟିର ପ୍ରଫେସର, ରିଡର ଓ ଅଧ୍ୟାପକମାନେ ଏଣିକି ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ପୁନଃ ନାମିତ ହେବେ। କୁଳପତି କିମ୍ବା ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀଙ୍କ କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ କୁଳାଧିପତି ଏହାର ସଂଶୋଧନ ପାଇଁ ଆବଶ୍ୟକୀୟ ନିର୍ଦେଶ ଦେଇପାରିବେ। ବିପିୟୁଟି କୁଳସଚିବ ପଦବୀରେ ଓଏଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ଯୁଗ୍ମ ଶାସନ ସଚିବ ପାହ୍ୟା ଅଧିକାରୀ ଏବଂ ବିତ୍ତ ଅଧିକାରୀ ପଦବୀରେ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀ ଅବସ୍ଥାପିତ ହେବେ। ବିପିୟୁଟିର ପ୍ରଶାସନିକ ବିଭାଗ ବୈଷୟିକ ଶିକ୍ଷା ବିଭାଗର ହୋଇଥିବାରୁ ଆଇନର ବିଭିନ୍ନ ସ୍ଥାନରେ ଉଲ୍ଲେଖ ଥିବା ‘ଶିଳ୍ପ ବିଭାଗ’ ସ୍ଥାନରେ ‘ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ’ ଉଲ୍ଲେଖ କରାଯିବ। ବିଶ୍ବବିଦ୍ୟାଳୟର ବୋର୍ଡ ଅଫ୍‌ ଗର୍ଭନାନ୍ସକୁ ‌ଯେକୌଣସି ଏକ ସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷଙ୍କୁ ସରକାରଙ୍କ ଦ୍ବାରା ସଦସ୍ୟ ଭାବେ ମନୋନିତ କରାଯିବ। ବିଶ୍ବବିଦ୍ୟାଳୟ ଏହାର ବାର୍ଷିକ ରିପୋର୍ଟ ଆର୍ଥିକ ବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ପ୍ରସ୍ତୁତ କରି ବିଧାନସଭାରେ ଉପସ୍ଥାପନ କରିବା ଲାଗି ପଠାଇବେ।

ଅନ୍ୟପକ୍ଷରେ ଜାଭିଅର ବିଶ୍ବବିଦ୍ୟାଳୟ, ଓଡ଼ିଶା ଅଧିନି‌ୟମ,୨୦୧୩କୁ ସଂଶୋଧନ କରିବା ପାଇଁ ଥିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ଜାଭିଅର ବିଶ୍ବବିଦ୍ୟାଳୟ, ଓଡ଼ିଶା ଏଣିକି ଏକ୍ସଆଇଏମ୍‌ ବିଶ୍ବବିଦ୍ୟାଳୟ, ଓଡ଼ିଶା ନାମରେ ପୁନଃନାମିତ ହେବ। ଚନ୍ଦ୍ରଶେଖରପୁର ମୌଜାରେ ଥିବା ଜାଭିଅର ବିଶ୍ବବିଦ୍ୟାଳୟର ‘ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ’କୁ ଏକ ଅତିରିକ୍ତ ଶାଖା ଭାବେ ୨୦୧୩ ଅଧିନିୟମରେ ଅନ୍ତର୍ଭୁକ୍ତ କରାଯିବ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କ ଦ୍ବାରା ନିର୍ଦ୍ଧାରିତ ବିନିୟମ,୨୦୧୮ ଅନୁଯାୟୀ ଉକ୍ତ ବିଶ୍ବବିଦ୍ୟାଳୟକୁ ଅନ୍‌ଲାଇନ୍‌ ଶିକ୍ଷା ଦେବା ନିମନ୍ତେ ଅନୁମତି ଦେବା ଲାଗି ସ୍ଥିର କରାଯାଇଛି। ଏହି ବ୍ୟବସ୍ଥା ଦ୍ବାରା ଯେଉଁ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଯାଇପାରୁ ନାହାନ୍ତି ସେମାନେ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିପାରିବେ। ବିଶ୍ବବିଦ୍ୟାଳୟ ଦ୍ବାରା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷାବୃତ୍ତି, ପଦକ ତଥା ପୁରସ୍କାରଗୁଡ଼ିକ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟ ଦ୍ବାରା କୌଣସି ପରିଚାଳନାଗତ ତ୍ରୁଟିବିଚ୍ୟୁତି ହେଲେ ରାଜ୍ୟ ସରକାର ଏହାର ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଓ ବୋର୍ଡ ଅଫ୍‌ ଗଭର୍ଣ୍ଣର କର୍ତୃପକ୍ଷଙ୍କୁ ନିଲମ୍ବନ କରିପାରିବେ। ଏହି ନିଷ୍ପତ୍ତି ଦ୍ବାରା ଉପରୋକ୍ତ କର୍ତୃପକ୍ଷ ରାଜ୍ୟ ସରକାରଙ୍କ ନିକଟରେ ଉତ୍ତରଦାୟୀ ରହିବେ।

ସମ୍ବନ୍ଧିତ ଖବର