ବସ୍‌ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ଆଜି

ଘରୋଇ ବସ୍‌ ମାଲିକ ସଂଘ ସହ ଆଲୋଚନା କଲେ ପରିବହନ ମନ୍ତ୍ରୀ
ବାହୁଡା ପରେ ନିଷ୍ପତ୍ତି ନେବା ନେଇ ମନ୍ତ୍ରୀଙ୍କ ଆଶ୍ବାସନା

ଭୁବନେଶ୍ବର : ୯ଦଫା ଦାବି ନେଇ ଘରୋଇ ବସ୍‌ ମାଲିକ ସଂଘ ଜୁଲାଇ ୧ରୁ ଧର୍ମଘଟ ଡାକରା ଦେଇଥିବା ବେଳେ ଧର୍ମଘଟ ପ୍ରତ୍ୟାହାର କରିବାକୁ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରବିବାର ଦିନ ସଂଘ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଆଜି (ସୋମବାର) ଅପରାହ୍ନରେ ବସ୍‌ ମାଲିକ ସଂଘର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଥିବାରୁ ଏହି ବୈଠକରେ ବସ୍‌ ଧର୍ମଘଟ ପ୍ରତ୍ୟାହାର ହେବ କିି ନାହିଁ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

ରବିବାର ଦିନ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ବସ୍‌ ମାଲିକ ସଂଘ ସହ ଆଲୋଚନା ହୋଇଥିବା‌ବେଳେ ରଥଯାତ୍ରାକୁ ନଜରରେ ରଖି ଧର୍ମଘଟ ପ୍ରତ୍ୟାହାର କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ। ଏବେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥିବାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା ପରେ ସଂଘର ଦାବି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବାହୁଡ଼ା ପରେ ସଂଘର ଦାବି ଉପରେ କିଛି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିବା ସଂଘର ମୁଖପାତ୍ର ଶ୍ରୀ ନାୟକ କହିଛନ୍ତି।

ସଂଘ ପକ୍ଷରୁ କୁହାଯାଇଛି ଯେ ବସ୍‌ର ପରମିଟ୍‌ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବା, ବସ୍‌ ବଡି କୋଡ୍ ଆଇନ ଅନୁସାରେ ନିର୍ମାଣ ହୋଇଥିବା ବସ୍‌ଗୁଡ଼ିକୁ ଦିନବେଳା ଚଲାଇବାକୁ ଅନୁମତି ଦେବା, ବସ୍‌ ଗୁଡିକର ଫିଟନେସ୍‌ ଅବଧି ବଳବତ୍ତର ଥିବା ପର୍ଯ୍ୟନ୍ତ ସ୍ଥାୟୀ ପରମିଟ୍‌ ଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ତୁରନ୍ତ ନିର୍ମାଣ କରିବା, ଯାତ୍ରୀବାହୀ ବସ୍‌ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର ତୁରନ୍ତ ସ୍ଥାନ ଚିହ୍ନଟ କରିବା, କୋଭିଡ୍‌ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା, ଗାଡ଼ିର କାଗଜପତ୍ର ଠିକ୍ ଥିବା ସତ୍ତ୍ବେ ସାମାନ୍ୟ ତ୍ରୁଟି ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ମୋ ବସ୍‌ଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବାରୁ ସେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ‌େନବା, ଯାତ୍ରୀବାହୀ ବସ୍‌ ଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ଜୁନ୍‌ ୧୧ରେ ପରିବହନ ବିଭାଗକୁ ଦାବିପତ୍ର ଦିଆଯାଇଥିବାବେଳେ ଜୁନ୍‌ ୩୦ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ କୁହାଯାଇଥିଲା। ନଚେତ୍ ଜୁଲାଇ ୧ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହେବ ବୋଲି ସଂଘ ଚେତାବନୀ ଦେଇଥିଲା।

ଅପରପକ୍ଷେ ଆଜି ମନ୍ତ୍ରୀ ଶ୍ରୀମତୀ ସାହୁ ସମସ୍ତ ଦାବି ଶୁଣିବା ପରେ ଏନେଇ କିଛି ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ବସ୍‌ ମାଲିକମାନେ ଏକାଠି ବସି ନେବେ।

ଏହି ବୈଠକରେ ପରିବହନ ବିଭାଗର ‌ଅତିରିକ୍ତ କମିସନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିସନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀ, ଘରୋଇ ବସ୍‌ ମାଲିକ ସଂଘର ସଭାପତି ଲୋକନାଥ ପାଣି, ମୁଖପାତ୍ର ଦେବାଶିଷ ନାୟକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର